କଟକରେ ‘ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍’ ମିଶନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ଉପକୃତ ହେବେ ୧.୪୦ ଲକ୍ଷ ପରିବାର

18

ପୁରୀ ଏବଂ ଭୁବନେଶ୍ୱର ପରେ କଟକରେ ‘ଡ୍ରିଙ୍କ୍‌ ଫ୍ରମ୍‌ ଟ୍ୟାପ୍‌’ ମିଶନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ଭିଡିଓ କନଫରେନସିଂ ମାଧ୍ୟମରେ କଟକ ସହର ପାଇଁ ୨୪ ଘଣ୍ଟିଆ ପାନୀୟ ଜଳ ଯୋଗାଣ ର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ I ଏହାଦ୍ବାରା ସହରର ୧ ଲକ୍ଷ ୪୦ ହଜାର ପରିବାର ଉପକୃତ ହୋଇଛନ୍ତି । ଏହି ପ୍ରକଳ୍ପ ପାଇଁ ୭୯୦କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ସରକାର । ଏହି ଅବସରରେ ଖୁସି ବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କଟକ ସହିତ ରାଜ୍ୟର ୬୦ଟି ସହରର ସବୁ ପରିବାରକୁ ୨୪ଘଣ୍ଟିଆ ପିଇବା ପାଣି ସୁବିଧା ଦିଆଯାଇଛି । ଖୁବ୍‌ ଶୀଘ୍ର ସମସ୍ତ ୧୧୪ ସହରରେ ଏହି ସୁବିଧା ପହଞ୍ଚିବ । ଓଡ଼ିଶା ସରକାରଙ୍କ ଏହି କାର୍ଯ୍ୟକ୍ରମ କେବଳ ସାରା ଦେଶ ନୁହେଁ, ପୃଥିବୀର ବିକାଶଶୀଳ ରାଷ୍ଟ୍ରମାନଙ୍କ ପାଇଁ ଏକ ରୋଲ୍‌ ମଡେଲ୍‌ ହୋଇପାରିଛି ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ।
ଏଥିସହ କଟକରେ ୪୩୦ କୋଟି ଟଙ୍କାରେ ନିର୍ମିତ ୩ଟି ଓ୍ବାଟର ଟ୍ରିଟମେଣ୍ଟ ପ୍ଲାଣ୍ଟର ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । କଟକ ସହରର ବିକାଶ ପାଇଁ ସବୁବେଳେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଦେଇଆସିଛନ୍ତି ଏବଂ ସବୁ କାର୍ଯ୍ୟକ୍ରମ ପାଇଁ ତୁରନ୍ତ ବ୍ୟବସ୍ଥା କରିଆସିଛନ୍ତି । ୨୦୨୨ରେ କଟକରେ ୪ଟି ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପ ଲୋକାର୍ପିତ ହେବ ଏବଂ କଟକ ସହରର ବିକାଶ କ୍ଷେତ୍ରରେ ଏକ ନୂଆ ଯୁଗ ଆରମ୍ଭ ହେବ ବୋଲି କହିଥିଲେ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ।
କଟକରେ ଏହି ପ୍ରକଳ୍ପ ଆରମ୍ଭ ସହ କଟକ ଦେଶର ଦ୍ବିତୀୟ ସର୍ବବୃହତ ସହର ଭାବେ ଏପରି ଶୁଦ୍ଧ ପାନୀୟ ଜଳ ପାଇବା ତାଲିକାରେ ସ୍ଥାନ ପାଇଛି । ଏହି ଯୋଜନାରେ କଟକବାସୀଙ୍କୁ ଦୈନିକ ୧୪.୩ କୋଟି ଲିଟର ଜଳ ଯୋଗାଇ ଦିଆଯାଉଛି । ୨୪ ଘଣ୍ଟିଆ ଡ୍ରିଙ୍କ ଫ୍ରମ ଟ୍ୟାପ ଯୋଜନାକୁ ସହରବାସୀ ସ୍ବାଗତ କରିଛନ୍ତି ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ, ସିଏମସି କମିଶନର, ରାଜ୍ୟସଭା ସାଂସଦ ସୁବାସ ସିଂହ, ବିଧାୟକ ଚନ୍ଦ୍ରସାରଥୀ ବେହେରା ପ୍ରମୁଖ ଯୋଗଦେଇଥିବା ବେଳେ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ 5T ସଚିବ ଭି.କେ.ପାଣ୍ଡିଆନ୍‌ ।

Leave A Reply

Your email address will not be published.