OTAS ଅଧିକାରୀ ଭୀମସେନ ଟୁଡୁଙ୍କୁ ଚାକିରୀରୁ ବହିଷ୍କୃତ କଲେ ମୁଖ୍ୟମନ୍ତ୍ରୀ

26

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ। ନୂଆ କରି ନିଯୁକ୍ତି ପାଇଥିବା ଓଡ଼ିଶା ଟ୍ୟାକ୍ସେସନ ଆଣ୍ଡ ଆକାଉଣ୍ଟସ ସର୍ଭିସ (OT&AS) ଅଧିକାରୀ ଭୀମସେନ ଟୁଡୁଙ୍କୁ ସରକାରୀ ସେବାରୁ ବହିଷ୍କାର କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ। କେବଳ ସେତିକି ନୁହେଁ, ଭବିଷ୍ୟତରେ ସେ ଆଉ କୌଣସି ସରକାରୀ ଚାକିରି ପାଇଁ ମଧ୍ୟ ଯୋଗ୍ୟ ବିବେଚିତ ହେବେ ନାହିଁ ବୋଲି ସ୍ପଷ୍ଟ କରାଯାଇଛି। ସୂଚନା ଅନୁଯାୟୀ, ନୂଆ କରି OT&AS ସେବାରେ ଯୋଗ ଦେଇଥିବା ଶ୍ରୀ ଟୁଡୁ ତାଙ୍କର ଇଣ୍ଡକ୍ସନ୍ ଟ୍ରେନିଙ୍ଗ୍ ସମୟରେ ୨୦୨୬ ଜୁନ୍ ୪ ତାରିଖଠାରୁ ଅନୁପସ୍ଥିତ ଥିଲେ। ମଧୁସୂଦନ ଦାସ ରିଜିଓନାଲ୍ ଏକାଡେମୀ ଅଫ୍ ଫାଇନାନ୍ସିଆଲ୍ ମ୍ୟାନେଜମେଣ୍ଟରେ ଚାଲିଥିବା ତାଙ୍କର ଶେଷ ପରୀକ୍ଷାରେ ମଧ୍ୟ ସେ ଯୋଗ ଦେଇନଥିଲେ। ଖୋଳତାଡ଼ ପରେ ଜଣାପଡ଼ିଥିଲା ଯେ, ସେହି ସମୟରେ ସେ ଏକ ମୃତ୍ୟୁ ମାମଲାରେ ସଂପୃକ୍ତ ଥିବା ଅଭିଯୋଗରେ ବାରଙ୍ଗ ପୋଲିସ ଦ୍ୱାରା ଗିରଫ ହୋଇ ଜୁଡିସିଆଲ୍ କଷ୍ଟୋଡିରେ ଅଛନ୍ତି। ଜଣେ ସରକାରୀ କର୍ମଚାରୀ ଅପରାଧିକ ମାମଲାରେ ୪୮ ଘଣ୍ଟାରୁ ଅଧିକ ସମୟଧରି ପୋଲିସ ହେପାଜତ ବା ଗିରଫଦାରୀରେ ରହିଲେ, ସରକାରୀ ସେବା ନିୟମ ଅନୁଯାୟୀ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ। ଏହି ଆଧାରରେ ମୁଖ୍ୟମନ୍ତ୍ରୀ ତାଙ୍କୁ ସିଧାସଳଖ ଚାକିରିରୁ ବରଖାସ୍ତ କରିଛନ୍ତି।

Comments are closed, but trackbacks and pingbacks are open.