ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଗଂଜାମ ଜିଲ୍ଲା ଗସ୍ତରେ ଯାଇ ଗାଙ୍ଗଦହଣୀ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବା ସହିତ ପ୍ରସିଦ୍ଧ ତାରାତାରିଣୀ ପୀଠରେ ମା’ ତାରାତାରିଣୀଙ୍କୁ ଦର୍ଶନ କରିବା ସହିତ ଏହି ଅଂଚଳର ଭିତ୍ତଭୂମି ବିକାଶ ନିମନ୍ତେ ଜିଲ୍ଲା ପ୍ରଶାସନ ସହିତ ସମୀକ୍ଷା କରିଛନ୍ତି। ମୁଖ୍ୟମନ୍ତ୍ରୀ ଗାଙ୍ଗଦହଣୀ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ମହୋତ୍ସବରେ ଯୋଗଦେବା ପୂର୍ବରୁ ତାରାତାରିଣୀ ପୀଠ ବୁଲି ଦେଖିଥିଲେ ଏବଂ ଏହି ଅଂଚଳର ଉନ୍ନତିକରଣ ପାଇଁ ବିଭିନ୍ନ କାର୍ଯ୍ୟକାରୀ ହେବାକୁ ଭିତ୍ତିଭୂମିର ବିକାଶ ପାଇଁ ସ୍ଥାନୀୟ ଲୋକପ୍ରନିଧିଙ୍କ ସହିତ ଆଲୋଚନା କରିଥିଲେ। ଏହି ଅବସରରେ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଥିଲେଯେ, ଶିକ୍ଷା କେବଳ ଛାତ୍ରଛାତ୍ରୀମାନଙ୍କୁ ସାର୍ଟିଫିକେଟ୍ ଦେବାର ପ୍ରକ୍ରିୟା ନୁହେଁ; ଏହା ସେମାନଙ୍କୁ ଜୀବନ ଦୌଡ଼ ପାଇଁ ପ୍ରସ୍ତୁତ କରିବାର ଏକ ପ୍ରକ୍ରିୟା। ୧୦୦ ବର୍ଷ ଧରି, ଆମର ସ୍କୁଲ କେବଳ ଶ୍ରେଣୀଗୃହର ସମାହାର ନୁହେଁ। ଏହା ଜ୍ଞାନ ଓ ଚରିତ୍ରର ଏକ ପବିତ୍ର ସ୍ଥାନ। ଆମର ଭବିଷ୍ୟତ ଗଠନର ମୂଳଦୁଆରେ ଥିବା ପ୍ରତ୍ୟେକ ଇଟା ଦୃଢ଼ତାର କାହାଣୀ ଧାରଣ କରିଛନ୍ତି।
ଆଜିର ଦିନରେ ତୁମମାନଙ୍କ ପାଇଁ ମୋର ଛୋଟ ଉପଦେଶ ରହିବ, ଶିକ୍ଷା କେବଳ ରୋଜଗାରର ମାଧ୍ୟମ ନହେଉ। ଏହା ମାନବିକତା ବା ମଣିଷ ତିଆରି ମନ୍ଦିର ହେଉ। ଶିକ୍ଷାକୁ ସଠିକ ମାର୍ଗରେ ଉପଯୋଗ କରାଯାଉ। ଆଜି ଆମ ପଡ଼ୋଶୀ ରାଷ୍ଟ୍ର ପାକିସ୍ତାନରେ ଅନେକ ପିଲା ପାଠ ପଢିବା ପରେ ନିଜ ଜ୍ଞାନ ଗରିମାକୁ ଆତଙ୍କବାଦୀ କାର୍ଯ୍ୟକଳାପରେ ଲଗେଇ ନିଜ ଭବିଷ୍ୟତକୁ ଧ୍ବଂସ କରୁଛନ୍ତି। ହେଲେ ଆମେ ଯୁଦ୍ଧ ନୁହେଁ, ବୁଦ୍ଧ ଚାହୁଁ। ଆମେ ଜିହାଦ ନୁହେଁ, ଜଗନ୍ନାଥ ଚାହୁଁ। ଏଣୁ ଆମେ ପାଠ ପଢି ନିଜର, ନିଜ ପରିବାରର, ନିଜ ଗାଁର ଯଶ କୀର୍ତ୍ତି ବଢ଼େଇବା ସହ ଆମ ମାଟି ମାଆର ଶୌର୍ଯ୍ୟ ଓ ସମ୍ମାନ ପାଇଁ ନିଜକୁ ସମର୍ପିତ କରିବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତିଯେ, ରାଜ୍ୟ ସରକାର ମାଁ ତାରାତାରିଣୀ ପୀଠର ଭିତ୍ତିଭୂମି ବିକାଶ ନିମନ୍ତେ 8 କୋଟି ଟଙ୍କା ଦେଇଛନ୍ତି । ଏଥିରେ ସୁରକ୍ଷା ଓ ପରିମଳ ବ୍ୟବସ୍ଥା, ଗୋଟିଏ ସ୍ଵୟଂଚାଳିତ ରନ୍ଧାଯନ୍ତ୍ର ପ୍ରତିଷ୍ଠା (ପାହାଡ ଉପରେ), ୯୯୯ ପଥର ପାହାଚର ମରାମତି ଓ ପୁନଃ ନିର୍ମାଣ, ଯାନବାହାନ ରହଣୀସ୍ଥଳ ଓ ହେଲିପ୍ୟାଡ୍ପାଇଁ ଜମି ଅଧିଗ୍ରହଣ ଦିଗରେ ପଦକ୍ଷେପ ଗ୍ରହଣ କରାଯାଇଛି । ମୁଖ୍ୟମନ୍ତ୍ରୀ କହିଛନ୍ତିଯେ, ଏହା ସହିତ ଭକ୍ତ, ଯାତ୍ରୀମାନଙ୍କୁ ଆବଶ୍ୟକୀୟ ସୁବିଧା ସୁଯୋଗ ଯୋଗାଇଦେବା ତଥା ଆଧ୍ୟାତ୍ମିକ ଓ ସାଂସ୍କୃତିକ ଅନୁଭବ ଉପଲବ୍ଧ କରାଇବା ମହତ୍ତ୍ ଉଦ୍ଦେଶ୍ୟ ନେଇ ରାଜ୍ୟ ସରକାର ପୁଣି ୩୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏଥିରେ ସିଂହଦ୍ଵାର ସାମନାରେ ବହୁତଳ ବିଶିଷ୍ଟ ଧର୍ମଶାଳା, ବଣଭୋଜି ସ୍ଥଳ, ରାସ୍ତାଘାଟ ଉନ୍ନତିକରଣ ଯଥା ନବ ନିର୍ମିତ ପୋଲ ଠାରୁ ମୁଖ୍ୟରାସ୍ତା ଓ ଘାଟ ରୋଡ ପାର୍ଶ୍ଵରେ ସୁରକ୍ଷା ପ୍ରାଚୀର, ଆଲୋକୀକରଣ, ସାଇନ୍ ବୋର୍ଡ, ମନ୍ଦିର ଚତୁର୍ଦ୍ଦିଗରେ ୫ ଗୋଟି ଗୁମୁଟ, ମନ୍ଦିର ଉତ୍ତରପାର୍ଶ୍ଵ ଉନ୍ନତିକରଣ, ଋଷିକୂଲ୍ୟା ନଦୀ ପଠାରେ ହେବାକୁଥିବା ଅନ୍ୟାନ୍ୟ ଉନ୍ନତିକରଣ କାର୍ଯ୍ୟକ୍ରମ ୨୫ କୋଟି ଟଙ୍କା ବ୍ୟୟରେ କରାଯିବ । ଏହା ସହିତ ମନ୍ଦିର ସମେତ ଅନ୍ୟାନ୍ୟ କୋଠାବାଡି ରକ୍ଷଣାବେକ୍ଷଣ ନିମନ୍ତେ ୫ କୋଟି ଟଙ୍କା ସ୍ଥାୟୀଜମା ଆକାରରେ ରଖାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
Comments are closed, but trackbacks and pingbacks are open.