ତାମିଲନାଡୁ: ତାମିଲନାଡୁ ଏକ୍ସପ୍ରେସ୍ରୁ ଏକ ସୁଟକେସ୍ ଭିତରେ ମହିଳାଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ମିଳିବା ଘଟଣାରେ ବଡ଼ ସୁରାକ ମିଳିଛି। ଏହି ହତ୍ୟାକାଣ୍ଡରେ ଓଡ଼ିଶାର ଜଣେ ସନ୍ଦିଗ୍ଧ ଦମ୍ପତିଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି। ସୂଚନା ଥାଉ ଯେ, ଗତ ଅଗଷ୍ଟ ୫ ତାରିଖରେ ତାମିଲନାଡୁ ଏକ୍ସପ୍ରେସ୍ ଚେନ୍ନାଇ ସେଣ୍ଟ୍ରାଲରୁ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିଥିଲା। ଅଗଷ୍ଟ ୬ ତାରିଖରେ ଆଗ୍ରା କ୍ୟାଣ୍ଟନମେଣ୍ଟ ଷ୍ଟେସନରେ ଟ୍ରେନ୍ ପହଞ୍ଚିବା ପରେ ସାଧାରଣ ବଗିରେ ଥିବା ଏକ ଲାଲ୍ ରଙ୍ଗର ସୁଟକେସ୍ରୁ ଦୁର୍ଗନ୍ଧ ବାହାରିଥିଲା। ଯାତ୍ରୀଙ୍କ ସୂଚନା ପରେ ରେଳବାଇ ପୋଲିସ ସୁଟକେସ୍ ଖୋଲିବାରୁ ମହିଳାଙ୍କ ମୁଣ୍ଡବିହୀନ ଖଣ୍ଡବିଖଣ୍ଡିତ ମୃତଦେହ ମିଳିଥିଲା। ଘଟଣାର ତଦନ୍ତ କରି ଆଗ୍ରା ରେଳବାଇ ପୋଲିସ ଓ ତାମିଲନାଡୁ ପୋଲିସ ଚେନ୍ନାଇ ସେଣ୍ଟ୍ରାଲ ଏବଂ ଗୁଡୁଭାଞ୍ଚେରୀ ଅଞ୍ଚଳର ୩୫୦ରୁ ଅଧିକ ସିସିଟିଭି ଫୁଟେଜ୍ ଯାଞ୍ଚ କରିଥିଲେ। ଏଥିରେ ଜଣେ ପୁରୁଷ ଓ ଜଣେ ମହିଳା ସୁଟକେସ୍ ଧରି ଚେନ୍ନାଇ ସେଣ୍ଟ୍ରାଲରେ ଟ୍ରେନ୍ରେ ଚଢ଼ୁଥିବା ଦେଖାଯାଇଥିଲା। ପୋଲିସ ସନ୍ଦିଗ୍ଧ ଦୁଇଜଣଙ୍କୁ ଓଡ଼ିଶାର ମାଣିକ ଉଦ୍ଦିନ୍ ଲସ୍କର ଏବଂ ଭଗବତୀ ମାଝୀ ବୋଲି ଚିହ୍ନଟ କରିଛି। ଗୁଡୁଭାଞ୍ଚେରୀର ଏକ ଭଡ଼ା ଘରୁ ସୁଟକେସ୍ଟି ଅଣାଯାଇଥିବା ତଦନ୍ତରୁ ଜଣାପଡ଼ିଛି। ଘରଟି ବନ୍ଦ ଥିବାବେଳେ ପଡ଼ୋଶୀଙ୍କୁ ପଚରାଉଚରା କରି ପୋଲିସ ଜାଣିଛି ଯେ ସେଠାରେ ଓଡ଼ିଶାର ଦୁଇଜଣ ମହିଳା ଓ ଜଣେ ପୁରୁଷ ରହୁଥିଲେ। ସନ୍ଦିଗ୍ଧଙ୍କ ମୋବାଇଲ୍ ଟ୍ରାକିଂରୁ ସେମାନେ ହତ୍ୟାକାଣ୍ଡ ପରେ ଫେରାର ହୋଇଥିବା ଜଣାପଡ଼ିଛି। ସେମାନଙ୍କୁ ଗିରଫ କରିବା ପାଇଁ ତାମିଲନାଡୁ ପୋଲିସର ସ୍ୱତନ୍ତ୍ର ଟିମ୍ ଓଡ଼ିଶାରେ ତଦନ୍ତ ଆରମ୍ଭ କରିଛି।
Comments are closed, but trackbacks and pingbacks are open.