ଏସ୍କାଲେଟରରେ ପର୍ବତ ଚଢ଼ା; ଜଣାନ୍ତୁ ଏହା କିପରି?

34

ନୂଆଦିଲ୍ଲୀ: ଚୀନ୍‌ର ଝେଜିଆଙ୍ଗ ପ୍ରଦେଶରେ ରହିଥିବା ପର୍ବତମାଳାର ମନୋରମ ଦୃଶ୍ୟ ଉପଭୋଗ କରିବା ଲାଗି ବର୍ଷ ତମାମ ବହିରାଗତ ପର‌୍ୟ୍ୟଟକମାନଙ୍କ ଧାଡ଼ି ଲାଗିଥାଏ। ମାତ୍ର ଅଳସୁଆ ପର‌୍ୟ୍ୟଟକମାନଙ୍କ ପାଇଁ ପାଦରେ ପାହାଡ଼ ଚଢ଼ି ଶିଖରରେ ପହଞ୍ଚିବା ଏକ ଦୁରୂହ ବ୍ୟାପାର। ଝେଜିଆଙ୍ଗର ଚୁନାନ୍ କାଉଣ୍ଟି ଅନ୍ତର୍ଗତ ତନ୍ୟୁ ପାହାଡ଼ର ଉଚ୍ଚତା ମାତ୍ର ୩୫୦ ମିଟର ହୋଇଥିଲେ ହେଁ ତାହା ଶିଖରରେ ପହଞ୍ଚିବାକୁ ତାହାର ଚତୁଃପାର୍ଶ୍ବରେ ଥିବା ତିନିଟି ପର୍ବତକୁ ଚାଲି ଚାଲି ଅତିକ୍ରମ କରିବାକୁ ପଡ଼ିଥାଏ, ଯାହା ବୟସ୍କ ଓ ଶିଶୁମାନଙ୍କ ପକ୍ଷେ ଅସମ୍ଭବ ହେଉଥିଲା।

ତେବେ ଏଣିକି ଆଉ ସେମାନଙ୍କୁ ସେ ବାବଦରେ କଷ୍ଟ କରିବାକୁ ପଡ଼ିବନି। ବିଭିନ୍ନ ପାହାଡ଼ରେ ପର‌୍ୟ୍ୟଟନ ପରିଚାଳନା କମ୍ପାନିମାନେ ଶହ ଶହ ମିଟର ଲମ୍ବର ଏସ୍କାଲେଟରମାନ ଖଞ୍ଜିଦେଇଛନ୍ତି। ଫଳରେ ଏକଦା ବିପଦସଂକୁଳ ପର୍ବତପଥରେ କେବଳ ପଦଯାତ୍ରା ଦ୍ବାରା ସମ୍ଭବ ହେଉଥିବା ସୁଦୃଶ୍ୟ ସ୍ଥାନଗୁଡ଼ିକ ଏବେ ଆରୋହଣକାରୀଙ୍କ ପାଇଁ କେଇ ମିନିଟ୍‌ରେ ଉପଲବ୍‌ଧ ହୋଇପାରୁଛି।

ଏସ୍କାଲେଟର ଖଞ୍ଜିଥିବା ଜଣେ କମ୍ପାନି କର୍ମଚାରୀଙ୍କ କହିବାନୁସାରେ, ଏପରି ଏସ୍କାଲେଟର ଖଞ୍ଜିବାର ମୂଳ ଉଦ୍ଦେଶ୍ୟ ହେଉଛି ପର୍ବତ ଆରୋହଣରେ ଟ୍ରାଫିକ୍ ସମସ୍ୟାର ସମାଧାନ କରିବା। ପ୍ରଥମେ ସେଠାରେ କେବୁଲ ପଥ ନିର୍ମାଣ କରିବାର ଯୋଜନା ଥିଲା। ମାତ୍ର ତାହାର ସୀମିତ ପରିବହନ କ୍ଷମତା ଓ ବିପଦ ଆଶଙ୍କାକୁ ଦୃଷ୍ଟିରେ ରଖି ଏହି ସୁବିଧା ବିକଳ୍ପ ବ୍ୟବସ୍ଥା କରାଯାଇଛି। ଯଦିଓ ଏହାର ସୁଗମତା ଦୃଷ୍ଟିରୁ ଅନେକ ପର୍ବତାରୋହୀ ଏହି ଏସ୍କାଲେଟରକୁ ପସନ୍ଦ କରୁଛନ୍ତି, ଆଉ କିଛି ଲୋକ ଏହାକୁ ଏକ ଅଭିଶାପ ବୋଲି ବିଚାରୁଛନ୍ତି। ସେମାନଙ୍କ ମତରେ ସହଜରେ ଓ ଅତି କମ୍ ସମୟ ଭିତରେ ପାହାଡ଼ ଶୀର୍ଷରେ ପହଞ୍ଚିବା ଦ୍ବାରା ପାଦଚଢ଼ାଜନିତ ପର୍ବତୀୟ ଅନୁଭୂତିର ଆନନ୍ଦକୁ ଏହା ସଂପୂର୍ଣ୍ଣ ଦୂରେଇ ଦେଉଛି।

Comments are closed, but trackbacks and pingbacks are open.