ନବମ ଓ ଦଶମ ଶ୍ରେଣୀ ପିଲା ପଢିବେ ‘ଆସ୍‌ପିରେସନାଲ୍ କମ୍ପୋନେଣ୍ଟ’

27

ଭୁବନେଶ୍ବର: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ହାଇସ୍କୁଲ ପାଠ୍ୟକ୍ରମରେ ଏକ ନୂତନ ସଂସ୍କାର ଆଣିଛି । ପାଠ ସହିତ ଛାତ୍ରଛାତ୍ରୀମାନଙ୍କ ସାମଗ୍ରିକ ବିକାଶ ପାଇଁ ‘ଆସ୍‌ପିରେସନାଲ୍ କମ୍ପୋନେଣ୍ଟ’ ଭଳି ଏକ ନୂଆ ବିଷୟକୁ ସାମିଲ କରିଛି । ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନେ ଏହି ନୂତନ ବିଷୟକୁ ପଢ଼ିବେ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବୋର୍ଡ କର୍ତ୍ତୃପକ୍ଷ ପକ୍ଷରୁ ସୂଚନା ଦିଆଯାଇଛି । ଚଳିତ ବର୍ଷ ନବମ ଶ୍ରେଣୀରୁ ଏହି ନୂଆ ବିଷୟ ଆରମ୍ଭ ହେବ ଏବଂ ଆସନ୍ତା ବର୍ଷଠାରୁ ଉଭୟ ନବମ ଓ ଦଶମରେ ଏହି ବିଷୟ ଲାଗୁ ହେବ । ଆସ୍‌ପିରେସନାଲ୍ କମ୍ପୋନେଣ୍ଟରେ ୪ଟି ବିଭାଗ ରହିଛି । ବିଭାଗ ଗୁଡିକ ହେଲା ବୁକ୍ ରିଭ୍ୟୁ, ପ୍ରୋଜେକ୍ଟ ୱାର୍କ, କୋ-କରିକୁଲମ ଆକ୍ଟିଭିଟି ଓ ବେସିକ୍ ଆଇଟି ସ୍କିଲ୍ । ପ୍ରତ୍ୟେକ ବିଭାଗ ପାଇଁ ୨୫ ଲେଖାଏଁ ମାର୍କ ରହିବ । ଏହିପରି ୪ଟି ବିଭାଗ ପାଇଁ ମୋଟ ୧୦୦ ମାର୍କ ରହିବ । ବୁକ୍ ରିଭ୍ୟୁରେ ପିଲାମାନେ ଏକ ବହି ପଢିବେ । ଏହି ବହିକୁ ସମୀକ୍ଷା କରି ତାର ସାରାଂଶ ଲେଖିବେ । ପିଲାମାନେ ଆତ୍ମଜୀବନୀ ଓ କୌଣସି ଉପନ୍ୟାସର ସମୀକ୍ଷା କରିପାରିବେ ନାହିଁ । ବିଶେଷକରି ସପ୍ତମ ଓ ଅଷ୍ଟମ ଶ୍ରେଣୀର କୌଣସି ବହିକୁ ପଢ଼ି ତାହାର ସାମରି ବା ସାରାଂଶ ଲେଖିବେ । ଏ କ୍ଷେତ୍ରରେ ସଂପୃକ୍ତ ବିଦ୍ୟାଳୟର ଶିକ୍ଷକମାନେ ଛାତ୍ରଛାତ୍ରୀମାନଙ୍କୁ ଗାଇଡ଼୍ କରିବେ । ସେହିଭଳି ପ୍ରୋଜେକ୍ଟ ୱାର୍କରେ ଫରମେଟିଭ୍ ଆସେସ୍‌ମେଣ୍ଟରେ ପିଲାମାନେ ସାମାଜିକ ବିଜ୍ଞାନ, ବିଜ୍ଞାନ ଓ ଗଣିତରେ ପିଲାମାନେ ପ୍ରୋଜେକ୍ଟ ୱାର୍କ କରୁଛନ୍ତି । ମାତ୍ର ଏଥିର ଛାତ୍ରଛାତ୍ରୀମାନେ ପାଠ୍ୟ ପୁସ୍ତକ ଭିତର ଓ ବାହାର ବିଷୟକୁ ନେଇ ପ୍ରୋଜେକ୍ଟ ୱାର୍କ କରିବେ । ଯେଉଁ ପ୍ରୋଜେକ୍ଟ ୱାର୍କ ଫରମେଟିଭ ଆସେସ୍‌ମେଣ୍ଟରେ କରିଥିବେ, ସେହି ବିଷୟକୁ ଦ୍ୱିତୀୟ ଥର କରିବେ ନାହିଁ । ଏଥିପାଇଁ ଗାଇଡ୍‌ଲାଇନ୍ ପ୍ରସ୍ତୁତ କରାଯାଇଛି । ଗାଇଡ୍‌ଲାଇନ୍ ଅନୁଯାୟୀ ଛାତ୍ରଛାତ୍ରୀମାନେ ପ୍ରୋଜେକ୍ଟ ୱାର୍କ କରିବେ । ପ୍ରତି ସ୍କୁଲରେ କୋ-କରିକୁଲମ ଆକ୍ଟିଭିଟି ହେଉଛି । ମାତ୍ର ଏଥର ଯେଉଁ କୋ-କରିକୁଲମ ଆକ୍ଟିଭିଟିକୁ ବାଧ୍ୟତାମୂଳକ କରାଯାଉଛି । କାରଣ ଏଥିପାଇଁ ଛାତ୍ରଛାତ୍ରୀଙ୍କୁ ମାର୍କ ଦିଆଯାଉଛି । କୋ-କରିକୁଲମ ଆକ୍ଟିଭିଟିରେ ୭ଟି ଆକ୍ଟିଭିଟି ରହିଛି ଯଥା ହେଲ୍‌ଥ ଡେଭ୍‌ଲପ୍‌ମେଣ୍ଟ ଆକ୍ଟିଭିଟି (ବାଧ୍ୟତାମୂଳକ)ସହିତ ଲିଟେରାସି, କଲ୍‌ଚରାଲ୍‌, ସୋସିଆଲ୍ ଡେଭଲପ୍‌ମେଣ୍ଟ, ସିଟିଜେନସିପ୍ ଟ୍ରେନିଂ ଆକ୍ଟିଭିଟି ଓ ଲିଜର ଟାଇମ୍ ଆକ୍ଟିଭିଟି ରହିଛି । ଏଥିରୁ ୨ଟି ବିଷୟକୁ ପିଲାମାନେ ନେଇପାରିବେ । ବେସିକ୍ ଆଇଟି ସ୍କିଲ୍‌ରେ ସବୁ ପିଲା ପଢିବେ । ଏଥିରେ ଟାଇପିଂ ସ୍କିଲ୍ସ, ୱେବ୍ ବ୍ରାଉଜର ବ୍ୟବହାର, ମାଇକ୍ରୋସଫ୍ଟ ଅଫିସ୍ ଓ ୱାର୍ଡରେ କାମ କରିବା, ମାଇକ୍ରୋସଫ୍ଟ ଏକ୍ସଲ୍‌, ପାୱାର ପଏଣ୍ଟ ପ୍ରେଜେଣ୍ଟସନ୍ ଆଦି ଶିକ୍ଷା ଦିଆଯିବ । ଏଥିସହିତ ଇଣ୍ଟରନେଟ୍ କେମିତି ବ୍ୟବହାର କରିବେ ଏନେଇ ପିଲାଙ୍କୁ ତାଲିମ ଦିଆଯିବ । ତେବେ ଏହି ‘ଆସ୍‌ପିରେସନାଲ୍ କମ୍ପୋନେଣ୍ଟ’ ମାର୍କ ହିଁ ଗ୍ରେଡ୍‌କୁ ରୂପାନ୍ତରିତ ହେବ । ତେବେ ପରୀକ୍ଷା ଫଳରେ ଏହି ଗ୍ରେଡ୍‌କୁ ମିଶାଯିବ ନାହିଁ । ଅର୍ଥାତ କ୍ୟାରିୟରକୁ ଏହା ପ୍ରଭାବିତ କରିପାରିବ ନାହିଁ । ଏହି ନୂତନ ବିଷୟକୁ ପଢିଲେ ଜାତୀୟ ସ୍ତରରେ ବିଭିନ୍ନ ପ୍ରତିଯୋଗିତା ମୂଳକ ପରୀକ୍ଷାରେ ଛାତ୍ରଚାତ୍ରୀମାନେ ଉତ୍ତମ ପ୍ରଦର୍ଶନ କରିବେ ବୋଲି ଆଜି ଅନୁଷ୍ଠିତ ସାମ୍ବାଦିକ ସମ୍ମଳନୀରେ ବୋର୍ଡ ପକ୍ଷରୁ କୁହାଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ବୋର୍ଡ ସଭାପତି ରାମାଶିଷ ହାଜରା,ଉପସଭାପତି ନିହାର ରଞ୍ଜନ ମହାନ୍ତି ଓ ସମ୍ପାଦକ ଶ୍ରୀକାନ୍ତ ତରାଇ ଉପସ୍ଥିତ ଥିଲେ ।

Comments are closed, but trackbacks and pingbacks are open.