କୁକୁର କାମୁଡାକୁ ନେଇ କଲୋନୀରେ ମୁହାଁମୁହିଁ ଘଟଣା : ମାମଲା ରୁଜୁ ପରେ ଡଗ୍ କେୟାର ସେଣ୍ଟର ଗଲା କୁକୁର

20

ଭୁବନେଶ୍ୱର : ଏକ ଘରୋଇ କୁକୁର ୬ ବର୍ଷର ଶିଶୁପୁତ୍ରକୁ କାମୁଡ଼ି ଗୁରୁତର କରିବା ଘଟଣା ରାଜଧାନୀରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି । ଖାଲି ସେତିକି ନୁହେଁ, କୁକୁର କାମୁଡିବା ଯୋଗୁଁ ଏକ ଶିଶୁପୁତ୍ର ଗୁରୁତର ହେବା ସହ ତାର ୧୨ଟି ଷ୍ଟିଚ ମଧ୍ୟ ପଡ଼ିଛି । ଏଭଳି ଅନ୍ୟ ଏକ ଘଟଣା ଇନ୍‌ଫୋସିଟି ଥାନା ନିକଟସ୍ଥ ତପସ୍ୱିନୀ କଲୋନୀରେ ଘଟିଛି । ଏହାକୁ ନେଇ ଦୁଇ ପରିବାର ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହେବା କଲୋନୀ ଲୋକଙ୍କ ମଧ୍ୟରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି । ଶେଷରେ ଅଭିଯୋଗ ପହଞ୍ôଚଥିଲା ବିଏମ୍‌ସିରେ ଏବଂ କମିଶନରେଟ୍ ପୁଲିସରେ । ଇନ୍‌ଫୋଟିସି ଥାନା ପୁଲିସ କୁକୁର କାମୁଡ଼ିବା ଅଭିଯୋଗରେ ଏକ ମାମଲା ରୁଜୁ ସହ ଥାନା ଅଧିକାରୀଙ୍କ ନେତୃତ୍ୱରେ ଏକ ଟିମ୍ ଘଟଣାସ୍ଥଳ ପରିଦର୍ଶନ କରିଥିଲା । କୁକୁର ରଖିଥିବା ମାଲିକ ଶ୍ରାବଣୀ ପଟ୍ଟନାୟକଙ୍କୁ ପୁଲିସ ତାଗିଦ୍ କରିବା ପରେ ସେ କୁକୁରକୁ ଭୁବନେଶ୍ୱର ବାହାରେ ଥିବା ଡଗ କେୟାର ସେଣ୍ଟରରେ ଛାଡ଼ିଦେଇଛନ୍ତି ।
ଅନ୍ୟ ପଟେ ଋତୁରାଜ ଖଟେଇଙ୍କ ପୁଅ ଅର୍ଜୁନ ଖଟେଇଙ୍କ ଅବସ୍ଥା ଏବେ ସୁସ୍ଥ ଥିବା ଜଣାପଡିଛି । ଥରେ କି ଦୁଇ ଥର ନୁହେଁ, ଏହିଭଳି ୩ ବର୍ଷରେ ୩ ଜଣଙ୍କୁ ଏହି କୁକୁର କାମୁଡ଼ି ଗୁରୁତର କରିଥିବା ଋତୁରାଜଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଋତୁରାଜ ଓ କଲୋନୀବାସୀ ଏ ନେଇ ବିଏମ୍‌ସି କମିଶନଙ୍କୁ ମଧ୍ୟ ଅନୁରୋଧ କରିବା ସହ ଘଟଣାର ତଦନ୍ତ କରି କୁକୁରକୁ ରାଜଧାନୀର ବିଦା କରିବାକୁ ଅନୁରୋଧ କରିଥିଲେ । ସୂଚନାଯୋଗ୍ୟ ଯେ, ଇନ୍‌ଫୋସିଟି ଥାନା ନିକଟସ୍ଥ ତପସ୍ୱିନୀ କଲୋନୀରେ ରୁହନ୍ତି ଋତୁରାଜ ଖଟେଇ, ସ୍ତ୍ରୀ ଓ ପୁଅ ଅର୍ଜୁନ ଖଟେଇ । ଅର୍ଜୁନ ଦ୍ୱିତୀୟ ଶ୍ରେଣୀରେ ପାଠ ପଢ଼ନ୍ତି । ସେହି କଲୋନୀରେ ରୁହନ୍ତି ଶ୍ରାବଣୀ ପଟ୍ଟନାୟକ । ଶ୍ରାବଣୀ ଦୀର୍ଘ ୫ ବର୍ଷ ହେବ ଏକ କୁକୁର ପାଳିଥିଲେ । ହେଲେ ଏହି କୁକୁରଟି ପୂର୍ବରୁ ଅନେକ ଲୋକଙ୍କୁ କାମୁଡ଼ିବା ସହ ଗୁରୁତର କରି ପକାଇଥିଲା । ଏହାକୁ ନେଇ ପୂର୍ବରୁ ଅନେକ ଅଶାନ୍ତି ଲାଗି ରହିଥିଲା । ଗତ ୬ ତାରିଖ ଦିନ ଅର୍ଜୁନ ଖେଳୁଥିବା ସମୟରେ କୁକୁରଟି ଦୌଡ଼ି ଆସି ତାଙ୍କୁ କାମୁଡି ଗୁରୁତର କରିଥିଲା । ଅର୍ଜୁନଙ୍କ ବାପା, ମା’ ଓ କଲୋନୀବାସୀ ତାଙ୍କୁ ଗୁରୁତର ଅବସ୍ଥାରେ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ପରେ ଅର୍ଜୁନଙ୍କ ଗୋଡରେ ୧୨ଟି ସିଲେଇ ମଧ୍ୟ କରାଯାଇଥିଲା । କୁକୁରଟି କାମୁଡ଼ିବା ପରେ ତପସ୍ୱିନୀ କଲୋନୀରେ ଏକ ପ୍ରକାର ଉତ୍ତେଜନା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା । ଏ ନେଇ ଥାନାରେ ମାମଲା ରୁଜୁ ହେବା ପରେ ପୁଲିସ ଶ୍ରାବଣୀଙ୍କ ଘରକୁ ଯାଇ ତାଙ୍କୁ ତାଗିଦ୍ କରିବା ପରେ ସେ କୁକୁରକୁ ଡଗ୍ କେୟାର ସେଣ୍ଟର୍‌ରେ ଛାଡ଼ିଦେଇଛି । ଏହାକୁ ନେଇ କଲୋନୀବାସୀ ଏକ ପ୍ରକାର ଆଶ୍ୱସ୍ତି ଅନୁଭବ କରିଛନ୍ତି । ଯଦି ଆଉ ଥରେ ଏହି କୁକୁରକୁ ଶ୍ରାବଣୀ ଆଣି କଲୋନୀରେ ରଖନ୍ତି ତାହା ହେଲେ ତାକୁ ବିଷ ଦେଇ ମାରି ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି ।

Comments are closed, but trackbacks and pingbacks are open.