ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା: ‘ଗଣତନ୍ତ୍ରର ବିଜୟ’ ବୋଲି ଦାବି କଲା ସିଜେପି

19

ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପଦରୁ ଇସ୍ତଫା ଦେବା ଥିଲା CJP ନେତୃତ୍ୱରେ ଚାଲିଥିବା ଛାତ୍ର ଆନ୍ଦୋଳନର ଏକ ପ୍ରମୁଖ ଦାବି । ଏହି ଇସ୍ତଫାକୁ ସଙ୍ଗଠନ ‘ଗଣତନ୍ତ୍ରର ବିଜୟ’ ବୋଲି ଅଭିହିତ କରିଛି। CJPର ଅଫିସିଆଲ୍ ଏକ୍ସ (X) ଆକାଉଣ୍ଟରେ “ଗଣତନ୍ତ୍ର ଜିତିଛି!” ବୋଲି ଉଲ୍ଲେଖ କରାଯାଇଛି। ଇସ୍ତଫା ଖବର ସାର୍ବଜନୀନ ହେବା ପରେ ଆନ୍ଦୋଳନକାରୀ ଓ ସାମ୍ବାଦିକମାନଙ୍କୁ ସମ୍ବୋଧିତ କରି CJP ପ୍ରତିଷ୍ଠାତା ଅଭିଜିତ୍ ଦିପକେ କହିଛନ୍ତି ଯେ, “ଆମେ ଏହା କରି ଦେଖାଇଛୁ। ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦେଇଛନ୍ତି।” ଏହା ସହିତ ଏକ ଭିଡିଓ ସେୟାର କରାଯାଇଛି ଯେଉଁଥିରେ ଆନ୍ଦୋଳନକାରୀମାନେ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ ଉତ୍ସବ ପାଳନ କରୁଥିବା ଦେଖିବାକୁ ମିଳିଛି। ଗତ ମେ’ ୩ ତାରିଖର ନିଟ୍ (NEET) ପେପର ଲିକ୍ ଘଟଣା ପରେ ଆତ୍ମହତ୍ୟା କରିଥିବା ଛାତ୍ରଛାତ୍ରୀମାନଙ୍କ ଫଟୋ ଥିବା ଏକ ବ୍ୟାନର ପ୍ରଦର୍ଶନ କରି CJP ଅଭିଜିତ୍ କହିଥିଲେ, “ଯେଉଁ ଛାତ୍ରମାନେ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଇଁ ନିଜର ଜୀବନ ହରାଇଛନ୍ତି, ଏହି ବିଜୟ ସେମାନଙ୍କ ପାଇଁ ଉତ୍ସର୍ଗୀକୃତ।” ସେ ଆହୁରି କହିଛନ୍ତି ଯେ କେବଳ ଇସ୍ତଫାରେ ଆନ୍ଦୋଳନ ଶେଷ ହୋଇନାହିଁ। ଆମର ଆହୁରି ଦୁଇଟି ଦାବି ରହିଛି। ଆତ୍ମହତ୍ୟା କରିଥିବା ପିଲାମାନଙ୍କ ପରିବାରକୁ ୧ କୋଟି ଟଙ୍କା ଲେଖାଏଁ କ୍ଷତିପୂରଣ ମିଳିବା ଉଚିତ୍। ଦ୍ୱିତୀୟରେ, ଜୁଲାଇ ୨୦ ତାରିଖରେ ସଂସଦ ମାର୍ଚ୍ଚ ବେଳେ ଆନ୍ଦୋଳନକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ପୋଲିସ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ। ତା ସହିତ ଛାତ୍ରଛାତ୍ରୀଙ୍କ ନାମରେ ରୁଜୁ ହୋଇଥିବା ସମସ୍ତ ମାମଲା ତୁରନ୍ତ ପ୍ରତ୍ୟାହାର କରିବାକୁ ସେ ଦାବି କରିଛନ୍ତି।

Comments are closed, but trackbacks and pingbacks are open.