ଜନସଂଖ୍ୟା ହ୍ରାସକୁ ନେଇ ଚୀନ୍ ସରକାର ବିବ୍ରତ, ୨୦୨୧ରେ ସବୁଠୁ କମ ସଂଖ୍ୟକ ବିବାହ

32

ବେଜିଂ: ଜନସଂଖ୍ୟା ହାର ଦ୍ରୁତଗତିରେ ହ୍ରାସ ପାଉଥିବାରୁ ଚୀନ୍ ସରକାର ବର୍ତ୍ତମାନ ଚିନ୍ତିତ ହୋଇପଡିଛନ୍ତି । ୨୦୨୧ ମସିହାରେ ଚୀନ୍‌ରେ ୭୦ ଲକ୍ଷ ୬୪ ହଜାର ବିବାହ ସମ୍ପନ୍ନ ହୋଇଛି । ବିଗତ ତିନି ଦଶନ୍ଧିରେ ଏହା ସବୁଠାରୁ କମ ବୋଲି ସରକାରୀଭାବେ କୁହାଯାଇଛି । ୧୯୮୬ରୁ ଚୀନ୍ ସରକାର ବିବାହ ସମ୍ପର୍କିତ ତଥ୍ୟକୁ ସାର୍ବଜନୀନ କରିଆସୁଛନ୍ତି । ଜନସଂଖ୍ୟା ହାର ବୃଦ୍ଧି କରିବାକୁ ସରକାର ଏକାଧିକ ଯୋଜନା ପ୍ରଣୟନ କରୁଥିଲେ ସୁଦ୍ଧା ଏହା ଆଶାନୁରୂପ ସଫଳତା ପ୍ରଦାନ କରୁନଥିବା ଜଣାପଡିଛି । ବିବାହ ସଂଖ୍ୟା କମିବା ଅର୍ଥ ଜନସଂଖ୍ୟା ସମେତ ଦେଶର ଅର୍ଥନୈତିକ ଅଭିବୃଦ୍ଧି ଉପରେ କୁପ୍ରଭାବ ପଡିବ ବୋଲି ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି । ୨୦୨୦ ତୁଳନାରେ ଚୀନରେ ୨୦୨୧ରେ ବିବାହ ସଂଖ୍ୟା ୬.୧ ପ୍ରତିଶତ ହ୍ରାସ ଘଟିଛି । ଏପରିକି ବିଗତ ୮ ବର୍ଷ ଧରି ଦେଶରେ ବିବାହ ସଂଖ୍ୟା ନିରନ୍ତରଭାବେ ହ୍ରାସ ପାଉଥିବା ସରକାରୀ ରେକର୍ଡରୁ ଜଣାପଡିଛି । ୨୦୦୩ରୁ କ୍ରମାଗତଭାବେ ଦେଶରେ ବାର୍ଷିକ ହାରାହାରି ୮୦ ଲକ୍ଷ ବିବାହ ସମ୍ପନ୍ନ ହୋଇଆସୁଥିବାବେଳେ ୨୦୧୩ରୁ ଏହି ଧାରାରେ ବ୍ରେକ୍ ଲାଗିଛି । ବର୍ତ୍ତମାନ ଅଧିକାଂଶ ବିବାହଯୋଗ୍ୟ ପୁରୁଷ ବିବାହ ପାଇଁ ଏତେଟା ଆଗ୍ରହ ପ୍ରକାଶ କରୁନଥିବା ସର୍ଭେରୁ ଜଣାପଡିଛି । ପୂର୍ବରୁ ଚୀନ୍‌ର ଯୁବକ ଯୁବତୀ ସର୍ବାଧିକ ୨୩ କିମ୍ବା ୨୪ ବର୍ଷ ବୟସରେ ବିବାହ କରିବାକୁ ପସନ୍ଦ କରୁଥିଲେ । ତେବେ ୨୦୨୧ ରେକର୍ଡ ଅନୁଯାୟୀ ୫୦ ପ୍ରତିଶତ ନବବିବାହିତଙ୍କ ବୟସ ହାରାହାରି ୩୦ ବର୍ଷ କିମ୍ବା ତଦୁର୍ଦ୍ଧ୍ୱ ବୋଲି ଜଣାପଡିଛି । ଏପରିକି ଏମାନଙ୍କ ମଧ୍ୟରୁ ୨୦ ପ୍ରତିଶତଙ୍କ ବୟସ ୪୦ ବର୍ଷରୁ ଅଧିକ ବୋଲି କୁହାଯାଇଛି । ଚୀନ୍‌ରେ ଏବେ ବେକାରୀ ସମସ୍ୟା ଉତ୍କଟ ରୂପ ଧାରଣ କରିଥିବାରୁ ଅଧିକାଂଶ ଯୁବକ ଯୁୁବତୀ ୩୦ ବର୍ଷ ବୟସ ପୂର୍ବରୁ ବିବାହ କରିବାକୁ ରାଜି ହେଉନାହାନ୍ତି ବୋଲି ଚୀନ୍‌ର ନ୍ୟାସନାଲ ହେଲଥ୍ ମିଶନ ନିର୍ଦ୍ଦେଶକ ୱଙ୍ଗ୍ ଜିନ୍‌ରୁଇ କହିଛନ୍ତି । ପୁନଶ୍ଚ ବିବାହ କରିଥିବା ନବ ଦମ୍ପତିମାନେ ମଧ୍ୟ ଆର୍ôଥକ ଦୃଷ୍ଟିକୋଣରୁ ଶୀଘ୍ର ସନ୍ତାନ ଜନ୍ମ କରିବାକୁ କୁଣ୍ଠାବୋଧ କରୁଥିବା ଜଣାପଡିଛି । ଅପରପକ୍ଷରେ ରାଜଧାନୀ ବେଜିଂରେ ବୟସ୍କ ନାଗରିକଙ୍କ ସଂଖ୍ୟା କ୍ରମଶଃ ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଇଛି । ବେଜିଂର ଲୋକସଂଖ୍ୟା ୨ କୋଟିରୁ ଊର୍ଦ୍ଧ୍ୱ ହୋଇଥିବାବେଳେ ବର୍ତ୍ତମାନ ୪୪ ଲକ୍ଷ ସ୍ଥାୟୀ ବାସିନ୍ଦାଙ୍କ ବୟସ ୬୦ କିମ୍ବା ତଦୁର୍ଦ୍ଧ୍ୱ ବୋଲି ଜଣାପଡିଛି । ଆଗାମୀ କିଛିବର୍ଷ ମଧ୍ୟରେ ଅଧିକାଂଶ ବୟସ୍କଙ୍କ ମୃତ୍ୟୁ ଘଟିଲେ, ବେଜିଂର ଲୋକସଂଖ୍ୟା ଯଥେଷ୍ଟ ହ୍ରାସ ପାଇବ ବୋଲି ଆଶଙ୍କା ସୃଷ୍ଟି ହୋଇଛି । ଜନସଂଖ୍ୟା ହାର ବୃଦ୍ଧି କରିବାକୁ ଚୀନ୍ ସରକାର ‘ଏକ ସନ୍ତାନ ନୀତି’କୁ ଖାରଜ କରି ବର୍ତ୍ତମାନ ଦୁଇ କିମ୍ବା ତିନି ସନ୍ତାନଙ୍କ ଜନ୍ମକୁ ପ୍ରୋତ୍ସାହିତ କରୁଛନ୍ତି । ଏହାସତ୍ତ୍ୱେ ଚୀନ୍ ନାଗରିକମାନେ ଏଭଳି ଜାଲରେ ଫସିବାକୁ ଉଚିତ ମଣୁନାହାନ୍ତି ।

Comments are closed, but trackbacks and pingbacks are open.