ଚୀନ୍‌କୁ କୋଭିଡ୍‌-୧୯ ସଂକ୍ରମଣ ତଥ୍ୟ ମାଗିଲା ‘ହୁ

29

ଜେନେଭା: ଚୀନ୍‌ରେ ‘ଶୂନ୍ୟ କୋଭିଡ୍‌’ ନୀତିରେ ଢିଲା ଦିଆଯିବା ପରେ ଦେଶରେ ସଂକ୍ରମିତଙ୍କ ସଂଖ୍ୟାରେ ବ୍ୟାପକ ବୃଦ୍ଧି ଘଟିଛି । ଏହା ମଧ୍ୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ପୁଣିଥରେ ବେଜିଂଠାରୁ ନିୟମିତ ଭାବେ ସଂକ୍ରମଣ ସମ୍ବନ୍ଧୀୟ ବାସ୍ତବିକ ତଥ୍ୟ ମାଗିଛି । ଜିନୋମ୍ ସିକ୍ୱେନ୍ସିଂ ପରିବର୍ତ୍ତେ କୋଭିଡ୍‌-୧୯ ସଂକ୍ରମଣରେ ହସ୍ପିଟାଲ୍‌ରେ ଭର୍ତ୍ତି ଲୋକଙ୍କ ସମେତ ସଂକ୍ରମଣରେ ପ୍ରାଣ ହରାଇଥିବା ଏବଂ ଟିକା ନେଇଥିବା ବ୍ୟକ୍ତିଙ୍କ ସମ୍ପର୍କିତ ତଥ୍ୟ ଶେୟାର୍ କରିବାକୁ ଏଜେନ୍ସି ଚୀନ୍‌ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅଧିକାରୀଙ୍କୁ କହିଛି । ‘ହୁ’ ପକ୍ଷରୁ ଶୁକ୍ରବାର ଜାରି ଏକ ବୟାନରେ କୁହାଯାଇଛି, ସଂକ୍ରମିତଙ୍କ ସଂଖ୍ୟାରେ ବହୁ ବୃଦ୍ଧି ପରିପ୍ରେକ୍ଷୀରେ କୋଭିଡ୍‌-୧୯ ସ୍ଥିତି ଉପରେ ଅଧିକ ସୂଚନା ପ୍ରାପ୍ତ କରିବା ତଥା ‘ହୁ’ର ବିଶେଷଜ୍ଞ ଏବଂ ଅନ୍ୟ ସହାୟତା ପ୍ରଦାନ ପାଇଁ ଚୀନ୍ ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅଧିକାରୀଙ୍କ ମଧ୍ୟରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି । ବୟାନ୍‌ରେ ଆହୁରି କୁହାଯାଇଛି, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅଧିକ ସମ୍ବେଦନଶୀଳ ଲୋକଙ୍କୁ ଗମ୍ଭୀର ସଂକ୍ରମଣ ଏବଂ ମୃତ୍ୟୁରୁ ବଞ୍ଚାଇବା ନିମନ୍ତେ ଟିକାକରଣ ଏବଂ ସତର୍କତାମୂଳକ ଡୋଜ୍ ପ୍ରଦାନର ମହତ୍ୱକୁ ଦୋହରାଇଛି । ଏଥିରେ କୁହାଯାଇଛି ଯେ ବୈଠକରେ ଚୀନ୍‌ର ଜାତୀୟ ସ୍ୱାସ୍ଥ୍ୟ କମିଶନ୍ ଏବଂ ଜାତୀୟ ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧୀ କେନ୍ଦ୍ରର ଉଚ୍ଚସ୍ତରୀୟ ଅଧିକାରୀମାନେ ମହାମାରୀ, ଏହାର ସ୍ୱରୂପ ତଦାରଖ, ଟିକାକରଣ, କ୍ଲିନିକାଲ୍ ଅବ୍‌ଜର୍ଭେସନ୍‌, ଯୋଗାଯୋଗ ଏବଂ ଅନୁସନ୍ଧାନ ଓ ବିକାଶ କ୍ଷେତ୍ରରେ ଚୀନ୍‌ର ରଣନୀତି ଏବଂ ତାର କାର୍ଯ୍ୟ ସମ୍ପର୍କରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ସୂଚନା ପ୍ରଦାନ କରିଥିଲେ । ସେହିପରି ବୈଠକରେ ଚୀନ୍ ବୈଜ୍ଞାନିକମାନଙ୍କୁ ହୁ’ ନେତୃତ୍ୱାଧୀନ କୋଭିଡ୍‌-୧୯ ବିଶେଷଜ୍ଞ ନେଟ୍‌ୱର୍କରେ ସାମିଲ ହେବା ପାଇଁ ଆମନ୍ତ୍ରିତ କରାଯାଇଥିଲା, ଯେଉଁଥିରେ କୋଭିଡ୍‌-୧୯ କ୍ଲିନିକାଲ୍ ମ୍ୟାନେଜମେଣ୍ଟ୍ ନେଟ୍‌ୱାର୍କ ମଧ୍ୟ ସାମିଲ ।

Comments are closed, but trackbacks and pingbacks are open.