ଚିକିଟି ମଦ ମୃତ୍ୟୁ ଘଟଣା,୨ ଅବକାରୀ ଅଧିକାରୀଙ୍କ ବଦଳି

52

ଗଞ୍ଜାମ : ଚିକିଟି ମଦ ମୃତ୍ୟୁ ଘଟଣାରେ ରାଜ୍ୟ ସରକାରଙ୍କ କଡ଼ା ପଦକ୍ଷେପ । ଗତକାଲି ବ୍ରହ୍ମପୁର ଅବକାରୀ ଅଧୀକ୍ଷକ ପ୍ରଦୀପ ପାଣିଗ୍ରାହୀ ନିଲମ୍ବନ ହୋଇଥିବା ବେଳେ ବେଳେ ଗୁରୁବାର ୨ ଅଧିକାରୀଙ୍କୁ ବଦଳି କରାଯାଇଛି। ବ୍ରହ୍ମପୁର ଅବକାରୀ ଇନ୍ସପେକ୍ଟର ଓ ଏସଆଇଙ୍କ ବଦଳି ହୋଇଛି। ଅବକାରୀ ଇନ୍ସପେକ୍ଟର ରମେଶ ଚନ୍ଦ୍ର ମହାନ୍ତି କୋରାପୁଟକୁ ବଦଳି ହୋଇଥିବା ବେଳେ ଏସଆଇ ପ୍ରସନ୍ନ କୁମାର ଜାଲିଙ୍କୁ ଢେଙ୍କାନାଳକୁ ବଦଳି ନିର୍ଦ୍ଦେଶ ଦେଲେ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ବେଆଇନ ମଦ କାରବାର କେବେ ବି ଗ୍ରହଣୀୟ ନୁହେଁ ଅବକାରୀ ମନ୍ତ୍ରୀ କହିବା ସହ ବେଆଇନ ତଥା ଚୋରା ମଦ କାରବାରକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିବାକୁ ଆବଶ୍ୟକୀୟ ପଦକ୍ଷେପ ନେବାକୁ କହିଛନ୍ତି ବେଆଇନ ମଦ ଭାଟି ଏବଂ ବିକ୍ରି ସ୍ଥାନରେ ଚଢ଼ାଉ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ସେପଟେ ଅପମିଶ୍ରିତ ମଦ ଦୁଇଟି ଜୀବନ ନେଇଛି। ଗଞ୍ଜାମ ଜିଲ୍ଲାର ଚିକିଟି ବ୍ଲକ ଜେନାପୁରରେ ଅପମିଶ୍ରିତ ମଦ୍ୟପାନ କରି ଗୁରୁତର ହେବା ପରେ ଏ‌ମକେସିଜି ମେଡିକାଲରେ ଚିକିତ୍ସିତ ହେଉଥିବା ୧୪ ଜଣଙ୍କ ମଧ୍ୟରୁ ବୁଧବାର ୨ ଜଣଙ୍କ ମୃତ୍ୟୁ ହୋଇଛି। ମୃତକ ହେଉଛନ୍ତି ଜେନାପୁରର ଜୁର ବେହେରା ଓ ଲୋକନାଥ ବେହେରା । ଦୁଇ ଜଣଙ୍କ ମୃତ୍ୟୁ ପରେ ସମ୍ପୃକ୍ତ ଗାଁରେ କୋକୁଆ ଭୟ ସୃଷ୍ଟି ହୋଇଛି। ଅନେକ ଲୋକ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ଆଜି ଏହି ଘଟଣାରେ ଦୁଇ ଅଧିକାରୀଙ୍କୁ ବଦଳି କରାଯାଇଛି।

ଅପମିଶ୍ରିତ ମଦ ପିଇ ମୃତ୍ୟୁ ଘଟଣାକୁ ନେଇ ବିଜେଡି ବିଧାନସଭାରେ ପ୍ରଶ୍ନ ଉଠାଇଛି। ବିଜେଡି ସଭାପତି ନବୀନ ପଟ୍ଟନାୟକ ଏହି ମଦ ମୃତ୍ୟୁ ଘଟଣାର ଅନୁଧ୍ୟାନ ପାଇଁ ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ନେତୃତ୍ୱରେ ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ ଗଠନ କରିଛନ୍ତି। ଏହି ଟିମରେ ପୂଜାରୀଙ୍କ ସହ ପୂର୍ବତନ ମନ୍ତ୍ରୀ ଉଷା ଦେବୀ, ପୂର୍ବତନ ବିଧାୟକ ଡା. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ଏବଂ ବିକ୍ରମ କୁମାର ପଣ୍ଡା ରହିଛନ୍ତି। ଏହି ଟିମ ଗୁରୁବାର ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହ ସଭାପତିଙ୍କୁ ମଦ ମୃତ୍ୟୁ ଘଟଣାର ବିସ୍ତୃତ ବିବରଣୀ ପ୍ରଦାନ କରିବେ

Comments are closed, but trackbacks and pingbacks are open.