ଓଡ଼ିଶା ଆସୁଛନ୍ତି ସର- ସଂଘଚାଳକ ମୋହନ ଭାଗୱତ

51

ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆର୍‌ଏସ୍‌ଏସ୍‌) ସର- ସଂଘଚାଳକ ଡ. ମୋହନ ଜୀ’ ଭାଗୱତ। ଶୁକ୍ରବାରଠୁ ୪ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଡ. ଭାଗବତ। ଶୁକ୍ରବାର ସେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରୁ କଟକର ଗତିରାଉତପାଟଣା ସ୍ଥିତ କେଶବଧାମକୁ ଯାତ୍ରା କରିବେ। କେଶବଧାମରେ ସଂଘର ଶିକ୍ଷାବର୍ଗ ଅନୁଷ୍ଠିତ ହେଉଛି। ଡ. ଭାଗବତ ଏହି ପ୍ରଶିକ୍ଷଣ ଶିବିରରେ ଯୋଗଦେବେ ଏବଂ ଏଠାରେ ୪ ଦିନ ଅବସ୍ଥାନ କରିବେ। ଏଠାରେ କୌଣସି ସାର୍ବଜନୀନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ନାହିଁ। ଏହି ପ୍ରବାସ କେବଳ ସାଙ୍ଗଠନିକ କାର୍ଯ୍ୟ ପାଇଁ ଉଦ୍ଦିଷ୍ଟ। ଡ. ଭାଗବତ ୧୫ ତାରିଖରେ ଝାଡ଼ଖଣ୍ଡ, ରାଞ୍ଚି ଅଭିମୁଖେ ଯାତ୍ରା କରିବେ ବୋଲି ଆର୍‌ଏସ୍‌ଏସ୍‌ର ଓଡ଼ିଶା ପୂର୍ବ ପ୍ରାନ୍ତର ପ୍ରାନ୍ତ ପ୍ରଚାର ପ୍ରମୁଖ ରବିନାରାୟଣ ପଣ୍ଡା ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ଓଡ଼ିଶା ପୂର୍ବ ପ୍ରାନ୍ତର ଶିକ୍ଷାର୍ଥୀ ମାନଙ୍କ ପାଇଁ ପୂର୍ବ ପ୍ରାନ୍ତ ପ୍ରଥମ ବର୍ଷ (ସାମାନ୍ୟ) ଏବଂ ପୂର୍ବ କ୍ଷେତ୍ର ପ୍ରଥମ ବର୍ଷ (ବିଶେଷ) ପ୍ରଶିକ୍ଷଣ ବର୍ଗ କଟକ, ଗତିରାଉତପାଟଣା ସ୍ଥିତ କେଶବଧାମ ପରିସରରେ ମଇ ୧୨ ତାରିଖ ମଧ୍ୟାହ୍ନରୁ ଆରମ୍ଭ ହୋଇ ୨ ଜୁନ୍ ସକାଳ ୮ଟା’ରେ ସମାପନ ଘଟିବ। ଏହାସହ କେଶବଧାମରେ ପୂର୍ବ କ୍ଷେତ୍ର ପ୍ରଥମ ବର୍ଷ (ବିଶେଷ) ପ୍ରଶିକ୍ଷଣ ବର୍ଗ ୧୭ ମଇ ମଧ୍ୟାହ୍ନରୁ ଆରମ୍ଭ ହୋଇ ଜୁନ୍ ୧ ସନ୍ଧ୍ୟା ୭ଟା’ରେ ସମାପନ ଘଟିବ। ସେହିପରି ପୂର୍ବ କ୍ଷେତ୍ର ଦ୍ଵିତୀୟ ବର୍ଷ (ବିଶେଷ) ପ୍ରଶିକ୍ଷଣ ବର୍ଗ ସମ୍ବଲପୁର, ଧନୁପାଲି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ୨୧ ମଇ ମଧ୍ୟାହ୍ନରୁ ଆରମ୍ଭ ହୋଇ ଜୁନ୍ ସନ୍ଧ୍ୟା ୫ଟା’ରେ ସମାପନ ଘଟିବ।

Comments are closed, but trackbacks and pingbacks are open.