ରାଜ୍ୟସ୍ତରୀୟ ବିପର୍ଯ୍ୟୟ ପ୍ରଶମନ ଦିବସରେ ମୁଖ୍ୟମନ୍ତ୍ରୀଙ୍କ ଦୃଢ଼ୋକ୍ତି: ବିପର୍ଯ୍ୟୟ ପ୍ରତିରୋଧୀ ଓଡ଼ିଶା ଗଠନରେ ଆମେ ସଫଳ

25

ଭୁବନେଶ୍ୱର: ତେଇସି ବର୍ଷ ପୂର୍ବରୁ ମହାବାତ୍ୟା ଓଡ଼ିଶା ଉପକୂଳରେ ରଚିଥିଲା ମହାତାଣ୍ଡବ । ହଜାର ହଜାର ଲୋକଙ୍କ ଅକାଳ ମୃତ୍ୟୁ ହେବା ସାଂଗକୁ ବହୁଘର ଉଜୁଡ଼ି ଯାଇଥିଲା । ସେହି ବିପର୍ଯ୍ୟୟ ହିଁ ଆମକୁ ଅନେକ ଶିକ୍ଷା ଦେଇଛି । ସେଥିପାଇଁ ଓଡ଼ିିଶାରେ ଭିତ୍ତିଭୂମି ଏବେ ସୁଦୃଢ । ବିଗତ କିଛି ବର୍ଷ ହେଲା ଆମର ବିପର୍ଯ୍ୟୟ ପରିଚାଳନା ଉଦ୍ୟମକୁ ବିଶ୍ୱବାସୀ ପ୍ରଶଂସା କରିଆସୁଛି । ଏକ ବିପର୍ଯ୍ୟୟ ପ୍ରତିରୋଧୀ ଓଡ଼ିଶା ଗଠନରେ ମୋ ରାଜ୍ୟର ସାଢ଼େ ୪ କୋଟି ଭାଇ ଓ ଭଉଣୀଙ୍କର ଅକୁଣ୍ଠ ସମର୍ଥନ ଯୋଗୁଁ ତାହା ସମ୍ଭବ ହୋଇଛି । ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଶନିବାର ଓଡ଼ିିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ଆନୁକୂଲ୍ୟରେ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପରେ ରାଜ୍ୟସ୍ତରୀୟ ଓଡ଼ିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଓ ଜାତୀୟ ବିପର୍ଯ୍ୟୟ ହ୍ରାସ ଦିବସ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ମହାବାତ୍ୟା ଓ ନିକଟ ଅତୀତରେ ଘଟିଥିବା ବିଭିନ୍ନ ବିପର୍ଯ୍ୟୟରେ ପ୍ରାଣ ହରାଇଥିବା ସମସ୍ତ ବ୍ୟକ୍ତିବିଶେଷଙ୍କ ସ୍ମୃତିରେ ୧ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ପରେ ଏହି ରାଜ୍ୟସ୍ତରୀୟ ସମାରୋହରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏକ ଭିଡିଓ ବାର୍ତ୍ତା ଜରିଆରେ ସମସ୍ତଙ୍କୁ ସମ୍ବୋଧିତ କରିଥିଲେ । ସେ କହିଥିଲେ, ବିପର୍ଯ୍ୟୟ ଦିବସ ୧୯୯୯ରେ ସଂଘଟିତ ପ୍ରଳୟଙ୍କରୀ ମହାବାତ୍ୟାର ଭୟାବହତା ଓ ଧ୍ୱଂସଲୀଳାକୁ ମନେ ପକାଇବା ସହିତ ଭବିଷ୍ୟତରେ ଯେ’କୌଣସି ପ୍ରକାରର ବିପର୍ଯ୍ୟୟ ମୁକାବିଲା ପାଇଁ ପ୍ରସ୍ତୁତି ସଂପର୍କରେ ଆମ୍ଭକୁ ଦୃଢ଼ ସଂକଳ୍ପବଦ୍ଧ କରାଇଥାଏ । ସମସ୍ତ ନିର୍ବାଚିତ ଜନ ପ୍ରତିନିଧି, ମିଶନ ଶକ୍ତି ସଦସ୍ୟା, ଆଶା ଓ ଅଙ୍ଗନବାଡି କର୍ମୀ, ଗୋଷ୍ଠୀ ସ୍ତରୀୟ ସ୍ୱେଚ୍ଛାସେବୀ, ସମସ୍ତ ପଦାଧିକାରୀ,ଓଡ୍ରାଫ, ଅଗ୍ନିଶମ ସେବା, ଏନ୍‌ଡିଆର୍‌ଏଫ୍‌, ପୋଲିସ୍ ବାହିନୀମାନଙ୍କର ସମନ୍ୱିତ କାର୍ଯ୍ୟଯୋଗୁଁ ମୃତାହତ ସଂଖ୍ୟା ହ୍ରାସ କରାଯାଇପାରିଛି । ୨୦୨୨ରେ ମହାନଦୀ, ବୈତରଣୀ ଓ ସୁବର୍ଣ୍ଣରେଖା ନଦୀ ବ୍ୟବସ୍ଥାରେ ରାଜ୍ୟର ୧୬ଟି ଜିଲ୍ଲାର ୨୩ ଲକ୍ଷ ଲୋକ ପ୍ରଭାବିତ ହୋଇଥିଲେ । ଆମର ବଳିଷ୍ଠ ପ୍ରସ୍ତୁତି ଏବଂ ସମସ୍ତଙ୍କର ଉଦ୍ୟମରେ ଆମେ ୨.୭ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିପାରିଥିବା ଯୋଗୁଁ ଆମେ ନିର୍ଦ୍ଧାରିତ ସମୟରେ ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟ କରିପାରିଛୁ ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏହି ଭିତରେ ଆମେ ୮୧୫ଟି ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କରିଛୁ । ୫୫ଟି ଆଶ୍ରୟସ୍ଥଳୀ ନିର୍ମାଣାଧିନ ରହିଛି । ଆଗୁଆ ପାଣିପାଗ ସଂପର୍କରେ ସୂଚନା ପାଇଁ ରାଜ୍ୟ ସରକାର ସବୁ ଗ୍ରାମ ପଞ୍ଚାୟରରେ ଟେଲିମେଟ୍ରିକ୍ ରେନ୍ ଗଜ, ପ୍ରତି ବ୍ଲକ୍‌ରେ ସ୍ୱୟଂକ୍ରିୟ ପାଣିପାଗ ଷ୍ଟେସନ, ନଦୀ ସିଷ୍ଟମରେ ସେନ୍ସର ବ୍ୟବସ୍ଥା କରିବା ପାଇଁ ବ୍ୟବସ୍ଥା କରାଯାଉଛି । ଆମେ ଗୋଷ୍ଠୀଭିତ୍ତିକ ପ୍ରସ୍ତୁତିକୁ ଅଧିକ ସୁଦୃଢ଼ କରିବା ପାଇଁ ଗ୍ରାମ ଓ ଆଶ୍ରୟସ୍ଥଳୀ ସ୍ତରରେ ଥିବା ୪୦ ହଜାର ସ୍ୱେଚ୍ଛାସେବୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରୁଛୁ । ପଞ୍ଚାୟତିରାଜ ପ୍ରତିନିଧି, ସ୍ଥାନୀୟ ସ୍ୱାୟତ୍ତ ଶାସନ ବ୍ୟବସ୍ଥାର ପ୍ରତିନିଧି, ମିଶନ ଶକ୍ତି ସଦସ୍ୟା, ଅଙ୍ଗନବାଡି କର୍ମୀ, ବନ ସୁରକ୍ଷା ସମିତିର ସଦସ୍ୟ, ସଦସ୍ୟାମାନେ ବିପର୍ଯ୍ୟୟ ମୁକାବିଲାରେ ପ୍ରମୁଖ ଭୂମିକା ଗ୍ରହଣ କରିଆସୁଛନ୍ତି । ଆଗାମୀ ଦିନରେ ପ୍ରତି ଘରେ ଘରେ ଓ ଗାଁରେ ଜଣେ ଜଣେ ବିପର୍ଯ୍ୟୟ ପରିଚାଳନା ଯୋଦ୍ଧା ହେବା ନିମନ୍ତେ ୪ର୍ଥ ଶ୍ରେଣୀରୁ ସ୍ନାତକ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କର ପାଠ୍ୟ ଖସଡ଼ାରେ ବିପର୍ଯ୍ୟୟ ଓ ମହାମାରୀ ପରିଚାଳନା ସଂପର୍କିତ ପାଠ୍ୟକ୍ରମ ରଖାଯାଉଥିବା ସମ୍ପର୍କରେ ମୁଖ୍ୟମନ୍ତ୍ରୀ କହିଥିଲେ । ପ୍ରତି ଅଂଶୀଦାରୀ ଅନୁଷ୍ଠାନ ଓ ନାଗରିକମାନଙ୍କୁ ଏକ ବିପର୍ଯ୍ୟୟ ପ୍ରତିରୋଧୀ ଓଡିଶା ଗଠନ ଦିଗରେ ପୁନଃ ପ୍ରତିବଦ୍ଧ ହେବାକୁ ସମସ୍ତେ ସମ୍ମିଳିତ ପ୍ରୟାସ କରିବାକୁ ପଡ଼ିବ ବୋଲି ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଥିଲେ ।
ଓସ୍‌ଡମା ତରଫରୁ ଆୟୋଜିତ ଏକ ବୃହତ୍ ପ୍ରଦର୍ଶନୀକୁ ଉଦ୍‌ଘାଟନ କରିି ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ, ‘ପ୍ରତ୍ୟେକ ଜୀବନ ମୂଲ୍ୟବାନ’ ବୋଲି ମୁଖ୍ୟମନ୍ତ୍ରୀ ସବୁବେଳେ ଗୁରୁତ୍ୱ ଦେଇଆସିଛନ୍ତି । ଚଳିତ ବର୍ଷର ବିପର୍ଯ୍ୟୟ ପ୍ରସ୍ତୁତି ଦିବସର ପ୍ରସଙ୍ଗ ରହିଛି । ବିପର୍ଯ୍ୟୟ ପରିଚାଳନାରେ ଗୋଷ୍ଠୀଭିତ୍ତିକ ସମ୍ପୃକ୍ତି ଆମ ସମସ୍ତଙ୍କ ପାଇଁ ସବୁଠାରୁ ବଡ଼ ଆହ୍ୱାନ ବୋଲି ସେ ପ୍ରକାଶ କରିଥିଲେ । ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ,ସ୍ୱତନ୍ତ୍ର ରିଲିଫ୍ କମିଶନର ତଥା ଓସ୍‌ଡମାର ପରିଚାଳନା ନିର୍ଦ୍ଦେଶକ ପ୍ରଦୀପ କୁମାର ଜେନା କହିଲେ ଯେ, ୧୯୯୯ର ମହାବାତ୍ୟା ପରେ ଆମେ ଅନେକ କଥା ଶିକ୍ଷାକରିଛୁ । ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ଆମକୁ ଆହୁରି ଶକ୍ତିଶାଳୀ ହେବାକୁ ପଡ଼ିିବ । ବିପର୍ଯ୍ୟୟ ମୁକାବିଲା ପାଇଁ ଆମେ ତ୍ରିସ୍ତରୀୟ ପଞ୍ଚାୟତିରାଜ୍ ବ୍ୟବସ୍ଥାରେ ଏହାକୁ ବିଦ୍ଧିବଦ୍ଧ ଭାବେ ସାମିଲ କରାଯାଇଛୁ । ତତନୁସାରେ ଜିଲ୍ଲା ପରିଷଦ ଆଇନ୍ ଓ ପଂଚାୟତିରାଜ ଆଇନରେ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ଅଗ୍ନିଶମ ସେବା ମହାନିର୍ଦ୍ଦେଶକ ସନ୍ତୋଷ କୁମାର ଉପାଧ୍ୟାୟ, ଅତିରିକ୍ତ ପୋଲିସ୍ ମହାନିର୍ଦ୍ଦେଶକ(ଆଇନ୍ ଶୃଙ୍ଖଳା) ରାଧାକ୍ରିଷ୍ଣନ୍ ଶର୍ମା ଯୋଗଦେଇ ଯୁବଗୋଷ୍ଠୀଙ୍କୁ ପ୍ରଶିକ୍ଷଣ ଉପରେ ଗୁରୁତ୍ୱ ଦେଇଥିଲେ ।

Comments are closed, but trackbacks and pingbacks are open.