ଭୁବନେଶ୍ୱର : ରାଜ୍ୟରେ ନିଯୁକ୍ତି ପ୍ରକ୍ରିୟାକୁ ତ୍ରୁଟିଶୂନ୍ୟ, ନିରପେକ୍ଷ ଭାବେ ତ୍ୱରାନ୍ୱିତ କରାଯିବ। ସ୍ୱାସ୍ଥ୍ୟ, ଗୃହ, ଶିକ୍ଷା ଓ କୃଷି ଭଳି ଅତ୍ୟାବଶ୍ୟକୀୟ ସେବା ଯୋଗାଉଥିବା ବିଭାଗର ପଦବୀଗୁଡ଼ିକୁ ଖାଲି ନ ରଖି ଯଥାଶୀଘ୍ର ପୂରଣ ହେବ। ଆଗାମୀ ୫ ବର୍ଷରେ ସରକାରୀ ସ୍ତରରେ ଦେଢ଼ ଲକ୍ଷ ନିଯୁକ୍ତି ପାଇଁ ଲକ୍ଷ୍ୟ ରଖାଯାଇଛି। ଦୁଇ ବର୍ଷ ମଧ୍ୟରେ ୬୫ ହଜାର ସରକାରୀ ପଦବୀରେ ନିଯୁକ୍ତି ପାଇଁ ସ୍ଥିରୀକୃତ ହୋଇଛି। ମାର୍ଚ୍ଚ ୩୧ ସୁଦ୍ଧା ଖାଲି ପଦବୀ ପୂରଣ ପାଇଁ ନିଯୁକ୍ତି ଅ।।ୟୋଗଙ୍କୁ ପ୍ରସ୍ତାବ ଦେବାକୁ ସବୁ ବିଭାଗକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି। ବୁଧବାର ଲୋକସେବା ଭବନ ଠାରେ ବର୍ଷର ପ୍ରଥମ ଦିନରେ ରାଜ୍ୟରେ ସରକାରୀ ବିଭାଗଗୁଡ଼ିକରେ ଖାଲି ଥିବା ପଦବୀ ପୂରଣ ପାଇଁ ରାଜ୍ୟ ସରକାରଙ୍କର ବିଭିନ୍ନ ନିଯୁକ୍ତି ଆୟୋଗର ଅଧ୍ୟକ୍ଷଙ୍କ ସହିତ ମୁଖ୍ୟମନ୍ତ୍ରୀ ବିସ୍ତୃତ ଆଲୋଚନା କରିଛନ୍ତି। ବର୍ତ୍ତମାନ ରାଜ୍ୟରେ ବିଭିନ୍ନ ବିଭାଗରେ ୧,୧୦,୫୫୭ଟି ପଦବୀ ଖାଲିରହିଛି। ଏଗୁଡ଼ିକୁ ଯଥାଶୀଘ୍ର ପୂରଣ କରିବା କରାଯିବ। ୨୦୨୫ ମାର୍ଚ୍ଚ ୩୧ ସୁଦ୍ଧା ଖାଲି ପଦବୀ ପୂରଣ ପାଇଁ ନିଯୁକ୍ତି ଆୟୋଗ ଗୁଡିକୁ ପ୍ରସ୍ତାବ ଦେବାକୁ ସବୁ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ବିଭିନ୍ନ ବିଭାଗରେ ଅନୁସୂଚିତ ଜନଜାତି ଓ ଜାତି ବର୍ଗର ଖାଲି ଥିବା ପଦବୀ ପୂରଣ ପାଇଁ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ସ୍ୱତନ୍ତ୍ର ରିକ୍ରୁଟ୍ମେଣ୍ଟ ଡ୍ରାଇଭ୍ କରିବା ପାଇଁ ମଧ୍ୟ ଶ୍ରୀ ମାଝୀ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଗ୍ରୁପ-ବି ବର୍ଗର ପଦବୀ ପୂରଣ ପାଇଁ ଏମ୍ପପାୱାର୍ଡ଼ କମିଟି ଅନୁମୋଦନ ଦରକାର ନାହିଁ। ଭିନ୍ନକ୍ଷମ ବର୍ଗଙ୍କ ନିଯୁକ୍ତି କ୍ଷେତ୍ରରେ ଯାଞ୍ଚ ଓ ସଂରକ୍ଷଣ ପାଇଁ ଅର୍ଥ ବିଭାଗରେ କାର୍ଯ୍ୟରତ ଥିବା ଏମ୍ପାପାୱାର୍ଡ଼ କମିଟିକୁ ପୁନର୍ଗଠନ କରି ସେଥିରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ପ୍ରତିନିଧିଙ୍କୁ ସାମିଲ କରିବା ପାଇଁ ନିଷ୍ପତ୍ତି ହୋଇଛି। ଏଥିସହିତ ଅବିଭକ୍ତ କୋରାପୁଟ ଜିଲ୍ଲାର ପରୀକ୍ଷାର୍ଥୀଙ୍କ ସୁବିଧା ଦୃଷ୍ଟିରୁ ଜୟପୁର ଠାରେ ଲୋକସେବା ଆୟୋଗର ଏକ ପରୀକ୍ଷା କେନ୍ଦ୍ର କରାଯିବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଥିଲେ। ବର୍ତ୍ତମାନ ଲୋକସେବା ଆୟୋଗର ୫ଟି ପରୀକ୍ଷା କେନ୍ଦ୍ର ରହିଛି। କାରଣ ସରକାରଙ୍କ ଲୋକବଳ ବଢ଼ିଲେ, ଜନସାଧାରଣଙ୍କୁ ଉତ୍ତମ ସେବା ଯୋଗାଇ ଦେଇପାରିବା ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି। ବୈଠକରେ ଓପିଏସ୍ସିର ଅଧ୍ୟକ୍ଷ ଅରୁଣ ଷଡଙ୍ଗୀ, ଓଏସ୍ଏସ୍ସିର ଅଧ୍ୟକ୍ଷ ଅଭୟ, ଓଏସ୍ଏସ୍ଏସ୍ସିର ଅଧ୍ୟକ୍ଷ ଲଳିତ ଦାସ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର ଏବଂ ଆୟୋଗ ଗୁଡିକର ସଦସ୍ୟବୃନ୍ଦ ଏବଂ ସଚିବମାନେ ଉପସ୍ଥିତ ଥିଲେ ।
Comments are closed, but trackbacks and pingbacks are open.