ଭୁବନେଶ୍ୱର: ପଞ୍ଚାୟତିରାଜ ଦିବସ ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘେଷଣା। ମାର୍ଚ୍ଚ ୫ରେ ନୁହେଁ, ଅପ୍ରେଲ ୨୪ରେ ହେବ ପାଳନ। ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ମାର୍ଚ୍ଚ ୫ରେ ପାଳନ କରାଯିବ, ଛୁଟି ହେବନାହିଁ। ଏଭଳି ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେ କହିଛନ୍ତି ଯେ ୨୦୨୦ରୁ ଓଡ଼ିଶାରେ ପ୍ରତିବର୍ଷ ମାର୍ଚ୍ଚ ୫କୁ ପଞ୍ଚାୟତିରାଜ ଦିବସ ରୂପେ ପାଳନ କରାଯାଉଛି। ପ୍ରତିବର୍ଷ ଅପ୍ରେଲ୍ ୨୪କୁ ଜାତୀୟ ପଞ୍ଚାୟିତରାଜ ଦିବସ ରୂପେ ପାଳନ କରାଯାଏ। ଏହି ଦିନ ବିଭିନ୍ନ ରାଜ୍ୟର ପଞ୍ଚାୟତ ପ୍ରତିନିଧିଙ୍କୁ ପୁରସ୍କାର ପ୍ରଦାନ, ରାଷ୍ଟ୍ରୀୟ ଗୌରବ ଗ୍ରାମସଭା ପୁରସ୍କାର, ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ପୁରସ୍କାର ଆଦି ପ୍ରଦାନ କରାଯାଇଥାଏ। ପଞ୍ଚାୟତିରାଜ ଦିବସ ପାଳନରେ ଜାତୀୟ ଓ ରାଜ୍ୟସ୍ତରରେ ଥିବା ଏହି ଅସଂହତି ଦୂରକରିବା ପାଇଁ ଓଡ଼ିଶାରେ ମାର୍ଚ୍ଚ ୫କୁ ଆଉ ପଞ୍ଚାୟତିରାଜ ଦିବସ ରୂପେ ପାଳନ କରାନଯାଇ ଅପ୍ରେଲ ୨୪ରେ ପାଳନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଲୋକସେବା ଦିବସ ମଧ୍ୟ ଅପ୍ରେଲ ୨୪ରେ ପାଳନ କରାଯିବ। ଏ ସମ୍ପର୍କିତ ପ୍ରସ୍ତାବକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁମୋଦନ ଦିଆଯାଇଛି। ମୁଖ୍ୟମନ୍ତ୍ରୀ କହିଛନ୍ତି, ମାର୍ଚ୍ଚ ୫ତାରିଖ ହେଉଛି ଓଡ଼ିଶାର ମହାନ ବରପୁତ୍ର ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ। ଏହାକୁ ରାଜ୍ୟ ସରକାର ମହାସମାରୋହରେ ପାଳନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ତେବେ ଏହି ଦିବସକୁ ସରକାରୀ ଛୁଟି ଭାବେ ପାଳନ କରାଯିବ ନାହିଁ।
Comments are closed, but trackbacks and pingbacks are open.