ମା’ ବୁଢ଼ୀ ଠାକୁରାଣୀଙ୍କୁ ଦର୍ଶନକଲେ ମୁଖ୍ୟମନ୍ତ୍ରୀ

230

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଗସ୍ତରେ ଆସି ମା’ ବୁଢ଼ୀ ଠାକୁରାଣୀଙ୍କୁ ଦର୍ଶନ କରିଛନ୍ତି। ସହରର ଐତିହ୍ୟ ଓ ପରମ୍ପରାକୁ ନେଇ ମୁଖ୍ୟମନ୍ତ୍ରୀ ଖୁସି ବ୍ୟକ୍ତ କରିବା ସହ ମା’ ବୁଢ଼ୀ ସାଆନ୍ତାଣୀଙ୍କୁ ପୂଜାର୍ଚ୍ଚନା କରିଥିଲେ। ଦୀପ ଲଗାଇ ରାଜ୍ୟବାସୀଙ୍କ ମଙ୍ଗଳ ପାଇଁ ପ୍ରାର୍ଥନା କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସହ ବ୍ରହ୍ମପୁର ସାଂସଦ ଡ. ପ୍ରଦୀପ କୁମାର ପାଣିଗ୍ରାହୀ, ବିଧାୟକ କେ. ଅନିଲ କୁମାର, ଆସିକା ବିଧାୟକ ସରୋଜ କୁମାର ପାଢ଼ୀ, ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର, ଗଞ୍ଜାମ ଜିଲ୍ଲା ବିଜେପି ସଭାପତି ସରୋଜ ସାବତ, ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀ ପ୍ରଥମେ ଭୁବନେଶ୍ୱରରୁ ହେଲିକପ୍ଟର୍‌ରେ ଆସି ବ୍ରହ୍ମପୁର ବିନାୟକ ଆଚାର୍ଯ୍ୟ କଲେଜ ନିକଟ ଅସ୍ଥାୟୀ ହେଲିପ୍ୟାଡ୍‌ରେ ଅବତରଣ କରିଥିଲେ। ସେଠାରେ ଦଳୀୟ ନେତା ଓ କର୍ମକର୍ତ୍ତା ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ। ସେଠାରୁ ସେ କାର୍‌କେଡ୍ ଯୋଗେ ବ୍ରହ୍ମପୁରର ପ୍ରସିଦ୍ଧ ମା’ ବୁଢ଼ୀ ଠାକୁରାଣୀ ଯାତ୍ରାକୁ ଆସିଥିଲେ। ସକାଳେ ଦେଶୀବେହେରା ସାହିସ୍ଥିତ ମା’ ବୁଢ଼ୀ ଠାକୁରାରୀଙ୍କ ଅସ୍ଥାୟୀ ପୀଠକୁ ଯାଇଥିଲେ। ବିଶ୍ୱ ପ୍ରସିଦ୍ଧ ମା’ଙ୍କ ଦ୍ୱିବାର୍ଷିକୀ ଯାତ୍ରା ଦେଖି ମୁଖ୍ୟମନ୍ତ୍ରୀ ଖୁସି ବ୍ୟକ୍ତ କରିଥିଲେ। ମା’ ବୁଢ଼ୀ ସାଆନ୍ତାଣୀଙ୍କୁ ଦର୍ଶନ କରିବା ସହ ଆଶୀର୍ବାଦ ଭିକ୍ଷା କରିଥିଲେ। ରାଜ୍ୟବାସୀଙ୍କ କଲ୍ୟାଣ ନିମନ୍ତେ ପ୍ରାର୍ଥନା କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟାବସ୍ଥାକୁ କଡ଼ାକଡ଼ି କରାଯାଇଥିଲା। ବିଭିନ୍ନ ସ୍ଥାନରେ ବ୍ୟାପକ ପୁଲିସ୍ ମୁତୟନ ହୋଇଥିଲେ। ଏଠାରେ କାର୍ଯ୍ୟକ୍ରମ ସାରିବା ପରେ ମୁଖ୍ୟମନ୍ତ୍ରୀ ପାତ୍ରପୁର ବ୍ଲକ ଭୀମପୁର ଉନ୍ନିତ ଉଚ୍ଚ ବିଦ୍ୟାଳୟରେ ଆୟୋଜିତ ଶତବାର୍ଷିକୀ ଉତ୍ସବରେ ଯୋଗଦେବାକୁ ଯାଇଥିଲେ।

Comments are closed, but trackbacks and pingbacks are open.