ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଉନାହାନ୍ତି: ଧର୍ମେନ୍ଦ୍ର

24

ଭୁବନେଶ୍ୱର: ଓଡ଼ିଶା ସରକାରରେ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଉନାହାନ୍ତି। ସାମ୍ପ୍ରତିକ ଅବ୍ୟବସ୍ଥାକୁ ନେଇ ଉଦବେଗ ପ୍ରକାଶ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଏପରି କହି ସମାଲୋଚନା କରିଛନ୍ତି। ଭୁବନେଶ୍ୱରରେ ଦିଲ୍ଲୀପ ଶତପଥୀ ସ୍ମାରକୀ ରାଜ୍ୟସ୍ତରୀୟ ବିଜିନେସ୍ କୁଇଜ୍ ପ୍ରତିଯୋଗିତାରେ ଯୋଗ ଦେଇ ଧର୍ମେନ୍ଦ୍ର ପ୍ରଧାନ ଚେତାବନୀ ଦେଇଛନ୍ତି ଯେ ଓଡ଼ିଶା ଏବେ ଏକ ବିପଦପୂର୍ଣ୍ଣ ପରିସ୍ଥିତିର ସମ୍ମୁଖୀନ ହୋଇଛି।

ମୁଖ୍ୟମନ୍ତ୍ରୀ, ମନ୍ତ୍ରୀମଣ୍ଡଳର ସଦସ୍ୟ, ବିଧାୟକ ରାଜ୍ୟର ହିତ ପାଇଁ ନିଷ୍ପତ୍ତି ନେବାରେ ବିଫଳ। କେନ୍ଦ୍ରଶିକ୍ଷାମନ୍ତ୍ରୀ ଏହା କହିଛନ୍ତି। ଏବେ ସେଇମାନେ ନିଷ୍ପତ୍ତି ନେଉଛନ୍ତି ଯେଉଁମାନେ ଓଡ଼ିଆ ଜାତିର ଐତିହ୍ୟ ସମ୍ପର୍କରେ ଠିକ ଭାବେ ଜାଣି ନାହାନ୍ତି। ଏହିଭଳି ବ୍ୟକ୍ତିବିଶେଷଙ୍କ ଆଗରେ ଶାସକ ଦଳର ନେତା ମୁଣ୍ଡ ନୁଆଁଇଥିବା ସେ ଅଭିଯୋଗ କରିଛନ୍ତି।

ଧର୍ମେନ୍ଦ୍ର ପ୍ରଧାନଙ୍କ କହିବା ଅନୁଯାୟୀ, ବିଜୁ ପଟ୍ଟନାୟକ, ଜାନକୀ ବଲ୍ଲଭ ପଟ୍ଟନାୟକ, ହରେକୃଷ୍ଣ ମହତାବଙ୍କ ଭଳି କିମ୍ବଦନ୍ତୀ ବ୍ୟକ୍ତିତ୍ୱଙ୍କ ନୀତି ସହ ଏଭଳି ଅଗଣତାନ୍ତ୍ରିକ ପ୍ରଥା ମେଳ ଖାଉନାହିଁ। ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି ଓଡିଶାର ପୁନଃନିର୍ମାଣ ଉପରେ କେନ୍ଦ୍ରମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ଓଡ଼ିଶାର ଭାଗ୍ୟ ଏବେ ସେହିମାନେ ନିର୍ଦ୍ଧାରଣ କରୁଛନ୍ତି, ଯେଉଁମାନେ ଆଦେଶ ନେବା ଆବଶ୍ୟକ। ଏଭଳି କାର୍ଯ୍ୟ ଗ୍ରହଣୀୟ ନୁହେଁ ଯାହା ଆମ ରାଜ୍ୟର ବିଶିଷ୍ଟ ବ୍ୟକ୍ତିଙ୍କ ମୂଲ୍ୟବୋଧର ବିପରୀତ।

ଉଦାହରଣ ସ୍ୱରୂପ, ନନ୍ଦିନୀ ଦେବୀ ତାଙ୍କର ନିର୍ଣ୍ଣାୟକ ଏବଂ ଦ୍ରୁତ ନିଷ୍ପତ୍ତି ନେବା ପାଇଁ ଜଣାଶୁଣା ଥିଲେ। ଏଭଳି ଶ୍ରଦ୍ଧେୟ ବ୍ୟକ୍ତିବିଶେଷଙ୍କ ଦ୍ୱାରା ନିର୍ମିତ ଓଡ଼ିଶା ବର୍ତ୍ତମାନ ଭ୍ରମରେ ଘେରି ରହିଛି ବୋଲି ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ବକ୍ତବ୍ୟରେ ଘୋଷଣା କରିଥିଲେ। ତେବେ କେନ୍ଦ୍ରମନ୍ତ୍ରୀଙ୍କ ବୟାନକୁ ନେଇ ରାଜ୍ୟ ସରକାର କିମ୍ବା ବିଜେଡି ନେତା ପ୍ରତିକ୍ରିୟା ରଖିନାହାନ୍ତି ।

Comments are closed, but trackbacks and pingbacks are open.