ଓଡ଼ିଶାର ବୀର ଯବାନ ଦେବାଶିଷ ବିଶ୍ୱାଳ ସହିଦରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

24

ଜମ୍ମୁ କାଶ୍ମୀରର ପୁଞ୍ଛରେ ଆତଙ୍କବାଦୀ ଆକ୍ରମଣରେ ଓଡ଼ିଶାର ବୀର ଯବାନ ଦେବାଶିଷ ବିଶ୍ୱାଳ ସହିଦ ହୋଇଥିବା ଖବର ପାଇବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ନିଜର ଟୁଇଟରରେ ସେ ଲେଖିଛନ୍ତି,ଜମ୍ମୁ କାଶ୍ମୀରର ପୁଞ୍ଛରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଓଡ଼ିଶାର ବୀର ଯବାନ ଦେବାଶିଷ ବିଶ୍ୱାଳ ସହିଦ ହୋଇଥିବା ଖବର ଅତ୍ୟନ୍ତ ଦୁଃଖଦାୟକ।

ଦେଶର ସୁରକ୍ଷାରେ ତାଙ୍କର ବଳିଦାନ ସବୁବେଳେ ସ୍ମରଣୀୟ ରହିବ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଏପରି ଦୁଃଖଦ ସମୟରେ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଉଛି। ଏଣେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଗଭୀର ଶୋକ ପ୍ରକାଶ କରିଛନ୍ତି। ନିଜର ଟୁଇଟରରେ ସେ ଲେଖିଛନ୍ତି, ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣରେ ଓଡ଼ିଶାର ପୁରୀ ଜିଲ୍ଲାର ସାକ୍ଷୀଗୋପାଳ ଅଞ୍ଚଳର ଯବାନ ଦେବାଶିଷ ବିଶ୍ୱାଳ (ସାହିତ୍ୟ)ଙ୍କ ସମେତ ଯବାନମାନେ ଶହୀଦ ହୋଇଥିବା ଖବର ଶୁଣି ମୁଁ ଦୁଃଖିତ ଏବଂ ଗଭୀର ଭାବରେ ମର୍ମାହତ । ଏହି ବୀର ଯବାନ ମାନଙ୍କ ବଳିଦାନ ବ୍ୟର୍ଥ ଯିବ ନାହିଁ ।

ସୂଚନାଯୋଗ୍ୟ, ଗତକାଲି ଜମ୍ମୁ କାଶ୍ମୀରର ପୁଞ୍ଚରେ ଆତଙ୍କବାଦୀଙ୍କ ଗ୍ରେନେଡ୍‌ ମାଡ଼ରେ ଏକ ସେନା ଗାଡ଼ି ଜଳି ଯାଇଥିଲା। ଏହାଫଳରେ ୫ ଜଣ ଯବାନ ସହିଦ ହୋଇଯାଇଥିଲେ। ନିହତ ଯବାନଙ୍କ ମଧ୍ୟରେ ଥିଲେ ଜଣେ ଓଡ଼ିଆ ପୁଅ। ସେ ହେଲେ ପୁରୀ ଜିଲ୍ଲା ସାକ୍ଷୀଗୋପାଳ ଥାନା ଅନ୍ତର୍ଗତ ଅଳଗୁମ ଖଣ୍ଢାୟତସାହିର ଦେବାଶିଷ ବିଶ୍ବାଳ(୨୮ ବର୍ଷ)। ପ୍ରତାପ ବିଶ୍ବାଳ ଓ ମମତା ବିଶ୍ବାଳଙ୍କ ବଡ଼ପୁଅ ଦେବାଶିଷ ପ୍ରାୟ ୧୦ ବର୍ଷ ତଳେ ସେନାରେ ଭର୍ତ୍ତି ହୋଇଥିଲେ। ୨୦୨୨ ମସିହା ମେ ମାସ ୪ ତାରିଖରେ ତାଙ୍କର ସୁଶ୍ରୀସଙ୍ଗୀତା ବିଶ୍ବାଳଙ୍କ ସହ ବିବାହ ହୋଇଥିଲା ଓ ସେମାନଙ୍କର ଏକ ଛୋଟ ଝିଅ ଅଛି। ଆତଙ୍କବାଦୀ ଆକ୍ରମଣରେ ଦେବାଶିଷଙ୍କ ଆକସ୍ମିକ ମୃତ୍ୟୁଖବର ତାଙ୍କର ଜଣେ ସାଙ୍ଗ ପରିବାରକୁ ଖବର ଦେବାପରେ ଗ୍ରାମରେ ଶୋକର ଲହରି ଖେଳିଯାଇଛି। ପରିବାରରେ କାନ୍ଦବୋବାଳି ପଡ଼ିଯାଇଥିବା ବେଳେ ସମଗ୍ର ଗାଁ ସ୍ତବ୍ଧ ହୋଇଯାଇଛି।

Comments are closed, but trackbacks and pingbacks are open.