ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’କୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

210

ଭୁବନେଶ୍ବର: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଆରମ୍ଭ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଭୁବନେଶ୍ୱରର ୟୁନିଟ୍-୩ ସ୍ଥିତ କ୍ୟାପିଟାଲ ହାଇସ୍କୁଲ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି। କହିଛନ୍ତି ଯେ ସୁରଭି କେବଳ ଶିଶୁ ପ୍ରତିଭାର ବିକାଶ ପାଇଁ ଏକ ଉତ୍ସବ ନୁହେଁ -ଏହା ପ୍ରତ୍ୟେକ ଶିଶୁମାନଙ୍କ ସ୍ୱପ୍ନ, ସୃଜନଶୀଳତା, ଚିନ୍ତାଧାରା ଓ ପ୍ରତିଭା ବିକାଶର ମଂଚ। ବିଦ୍ୟାର୍ଥୀମାନଙ୍କ ପ୍ରତିଭାକୁ ଲୋକଲୋଚନକୁ ଆଣିବାରେ ‘ସୁରଭି’ ଏକ ଅଦ୍ବିତୀୟ ପ୍ଲାଟଫର୍ମ ସାଜିଛି। ସୂଚନା ଯୋଗ୍ୟଯେ ଏହି ରାଜ୍ୟସ୍ତରୀୟ ‘ସୁରଭି’ କାର୍ଯ୍ୟକ୍ରମରେ ୨୪୦୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଓ ସହଯୋଗୀ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ୧୦୦୦ରୁ ଉର୍ଦ୍ଧ ସରକାରୀ ଅଧିକାରୀ ଓ କର୍ମଚାରୀମାନେ ଯୋଗ ଦେଇଛନ୍ତି । ଚଳିତ ବର୍ଷ ‘ସୁରଭି’ କାର୍ଯକ୍ରମରେ- “ନିପୁଣ ଓଡ଼ିଶା-ନିପୁଣ ଭାରତ” କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଥମ ରୁ ତୃତୀୟ ଶ୍ରେଣୀର ପିଲାମାନଙ୍କୁ ବିଦ୍ୟାଳୟ ଓ କ୍ଲଷ୍ଟର ସ୍ତରରେ ଭାଗନେବାର ସୁଯୋଗ ଦିଆଯାଇଛି । କାର୍ଯ୍ୟକ୍ରମ ପ୍ରାରମ୍ଭରେ ମୁଖ୍ୟମନ୍ତ୍ରୀ, ଛାତ୍ରଛାତ୍ରୀଙ୍କ ଦ୍ୱାରା ପରିବେଷିତ ବିଭିନ୍ନ କାର୍ଯ୍ୟକ୍ରମର ପ୍ରଦର୍ଶନୀକୁ ମୁଖ୍ୟମନ୍ତ୍ରୀ ଓ ଅତିଥି ମାନେ ବୁଲି ଦେଖିଥିଲେ। ଏଥି ସହିତ ଯୁକ୍ତ ଦୁଇ ପରୀକ୍ଷାରେ ସର୍ବାଧିକ ନମ୍ବର ରଖିଥିବା କଳାରେ ଦେବେନ୍ଦ୍ର ଖମାରିଆ, ବିଜ୍ଞାନରେ ସୁଶିଲ କୁମାର ନାୟକ, ବାଣିଜ୍ୟରେ ସ୍ବର୍ଣ୍ଣ ରେଖା ମନ୍ତ୍ରୀ ଏବଂ ଧନ୍ଦାମୂଳକ ଶିକ୍ଷାରେ ସୁପ୍ରିୟା ସୁତାରଙ୍କୁ ମୁଖ୍ୟମନ୍ତ୍ରୀ ୨୦ ହଜାର ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରିଥିଲେ। ବିଭିନ୍ନ ପ୍ରତିଯୋଗିତା ଏବଂ ଶିକ୍ଷା କ୍ଷେତ୍ରରେ ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଏବଂ ମୁଖ୍ୟମନ୍ତ୍ରୀ ଭାଷା ବୃତ୍ତି ପାଇଁ ୫ ଜଣଙ୍କୁ ମୁଖ୍ୟମନ୍ତ୍ରୀ ପୁରସ୍କୃତ କରିବା ସହିତ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନଙ୍କୁ ହୁଇଲ ଚେୟାର ପ୍ରଦାନ କରିଥିଲେ।

Comments are closed, but trackbacks and pingbacks are open.