ଏକାମ୍ର ଅଞ୍ଚଳରେ ୧୩ଟି ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ପୁରୁଣା ଭୁବନେଶ୍ବର ବାସୀ ପାଇବେ ୨୪ ଘଣ୍ଟା ପାନୀୟ ଜଳ

0 22

ଭୁବନେଶ୍ବରର ଏକାମ୍ରବାସୀ ଙ୍କୁ ନୂଆବର୍ଷ ଉପହାର ଦେଇଛନ୍ତି ମୁଖ୍ୟମନ୍ତ୍ରୀ I ଭିସି ଜରିଆରେ ଏକାମ୍ର ନିର୍ବାଚନ ମଣ୍ଡଳ ପାଇଁ ୧୦୩ କୋଟି ଟଙ୍କାର ପ୍ରକଳ୍ପ ର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୁରୁଣା ଭୁବନେଶ୍ୱରରେ ୨୪ ଘଣ୍ଟା ବିଶୁଦ୍ଧ ପାନୀୟ ଜଳଯୋଗାଣ ପାଇଁ ୩୩ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହା ସହିତ ଧଉଳି ଶାନ୍ତିସ୍ତୂପର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ, କେଦାରଗୌରୀ ପାଣିର ବିଶୁଦ୍ଧକରଣ ଆଦି ଅନେକ ଗୁରୁତ୍ବପର୍ଣ୍ଣ ପ୍ରକଳ୍ପ ରହିଛି ।
ଶୁଭାରମ୍ଭ ହୋଇଥିବା ପ୍ରକଳ୍ପ ଗୁଡିକ ମଧ୍ୟରେ ଏକାମ୍ର ଅଞ୍ଚଳରେ ୨୪ ଘଣ୍ଟିଆ ବିଶୁଦ୍ଧ ଜଳଯୋଗାଣ (ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍), ବରମୁଣ୍ଡା ହାଉସିଂବୋର୍ଡ କଲୋନୀ ଓ ଜଗନ୍ନାଥ ବିହାର ଅଞ୍ଚଳରେ ୨୪ ଘଣ୍ଟିଆ ପାନୀୟ ଜଳଯୋଗାଣ, କପିଳେଶ୍ବରରେ ଗଙ୍ଗୁଆ ବାମପାର୍ଶ୍ବ କେନାଲ ବନ୍ଧରେ ଦୁଇ ଲେନ୍‌ ବିଶିଷ୍ଟ ରାସ୍ତା, କେଦାରଗୌରୀ ମନ୍ଦିରରୁ ଅପରିସ୍କୃତ ଜଳ ନିଷ୍କାସନ ପାଇଁ ଭୁବନେଶ୍ବର-ପୁରୀ ରୋଡ୍‌ରେ ବକ୍‌ସ କଲ୍‌ଭଟ, ଲିଙ୍ଗିପୁର ଇନ୍ଦିରା କଲୋନୀରେ ପାଇପ୍ ପାଣି ବ୍ୟବସ୍ଥା, ଲିଙ୍ଗରାଜ ଓ ଗୋଖିବାବା ଅଞ୍ଚଳର କୁଷ୍ଠ କଲୋନୀର ବାସିନ୍ଦାମାନଙ୍କର ଥଇଥାନ, ସମ୍‌ ହସ୍‌ପିଟାଲ ରାସ୍ତାର ଆଲୋକୀକରଣ, ଧଉଳି ଶାନ୍ତିସ୍ତୂପର ସୌନ୍ଦର୍ଯ୍ୟକରଣ, ଦୟା ପଶ୍ଚିମ କେନାଲ ଉପରେ ସେତୁ ନିର୍ମାଣ, ଦୟା ଦକ୍ଷିଣ ବନ୍ଧ ଉପରେ ରାସ୍ତା ନିର୍ମାଣ, କୂଆଖାଇ ଦକ୍ଷିଣବନ୍ଧର ପୁନରୁଦ୍ଧାର, ଦୟା ନଦୀ ଦକ୍ଷିଣ ବନ୍ଧର ସୁଦୃଢୀକରଣ ଓ ଉନ୍ନତିକରଣ ରହିଛି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଲିଙ୍ଗରାଜ ଅଞ୍ଚଳକୁ ସୁନ୍ଦର କରି ଗଢିତୋଳିବା ପାଇଁ ଏକାମ୍ର ଯୋଜନା ଜନସାଧାରଣଙ୍କ ସହଯୋଗରେ ଆରମ୍ଭ କରାଯାଇଛି । ଏହା ଶେଷ ହେଲେ ଭୁବନେଶ୍ବରର ଗରିମା ଆହୁରି ବୃଦ୍ଧି ପାଇବ । ପୁରୀରେ ୨୪ ଘଣ୍ଟିଆ ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ଦ୍ବାରା ପୁରୀବାସୀ ସମ୍ପୂର୍ଣ୍ଣ ବିଶୁଦ୍ଧ ଜଳ ପାଇପାରୁଛନ୍ତି । ବର୍ତ୍ତମାନ ପୁରୁଣା ଭୁବନେଶ୍ବରବାସୀ ମଧ୍ୟ ଏହି ସୁବିଧା ପାଇବେ । ରାଜ୍ୟର ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଉପରେ ମଧ୍ୟ ମୁଖ୍ୟମନ୍ତ୍ରୀ ଆଲୋକପାତ କରିଥିଲେ । ଏହା ଦେଶର ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଏକ ବିପ୍ଳବ ଆଣିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ଏହି କାର୍ଯ୍ୟକ୍ରମରେ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା, ଜଳସେଚନ ଏବଂ ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ଏବଂ ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ଅଶୋକ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ । ବିଏମସି କମିଶନର ସଂଜୟ ସିଂହ, ଖୋର୍ଦ୍ଧା ଜିଲ୍ଲାପାଳ ଓ ଅନ୍ୟାନ୍ୟ ଅଧିକାରୀମାନେ ଯୋଗ ଦେଇଥିଲେ ।

Leave A Reply

Your email address will not be published.