ସାର୍ବଜନୀନ ଟିକାକରଣ ପାଇଁ ୧୦ଟି ତାପ ସଂରକ୍ଷିତ ଯାନ ଓ ୫ଟି ଭ୍ରାମ୍ୟମାଣ ରକ୍ତ ସଂଗ୍ରହ ଯାନ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

20

ଭୁବନେଶ୍ୱର: ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଆଉ ଏକ ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ ଭାବେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସାର୍ବଜନୀନ ଟିକାକରଣ ନିମନ୍ତେ ଅଧିକ ୧୦ଟି ତାପ ସଂରକ୍ଷିତ ଯାନ ଏବଂ ଗ୍ରାମାଞ୍ଚଳରେ ସ୍ୱେଚ୍ଛାକୃତ ରକ୍ତ ଦାନକୁ ପ୍ରୋତ୍ସାହିତ କରିବା ପାଇଁ ଅଧିକ ୫ଟି ଭ୍ରାମ୍ୟମାଣ ରକ୍ତ ସଂଗ୍ରହ ଯାନ ଲୋକାର୍ପଣ କରିଛନ୍ତି । ଏଥିରେ ସମସ୍ତ ପ୍ରକାରର ନୂତନ ଜ୍ଞାନ କୌଶଳ ସଜ୍ଜିତ ଅତ୍ୟାଧୁନିକ ବ୍ୟବସ୍ଥା ରହିଛି । ରକ୍ତଦାତାଙ୍କ ପାଇଁ ଶଯ୍ୟା, ରକ୍ତ ସଂରକ୍ଷଣ ରେଫ୍ରିଜରେଟର, ରକ୍ତ ସଂଗ୍ରହ ମନିଟର, ଅନ୍ୟାନ୍ୟ ଆନୁଷଙ୍ଗିକ ଯନ୍ତ୍ରପାତି ସହ ଜେନେରେଟର, ଇନଭର୍ଟରର ସୁବିଧା ରହିଛି ।

ତାପ ସଂରକ୍ଷିତ ଯାନ

ମଣିଷ ଶରୀରରେ ସୃଷ୍ଟି ହେଉଥିବା ରୋଗର ନିରାକରଣ ଟୀକକରଣ ଦ୍ୱାରା ସମ୍ଭବ ହେଉଥିବାବେଳେ ଏହା ଦ୍ୱାରା ମଧ୍ୟ ଅସୁସ୍ଥତା ଓ ମୃତ୍ୟୁହାରକୁ ମଧ୍ୟ ହ୍ରାସ କରାଯାଇ ପାରୁଛି । ଏ କ୍ଷେତ୍ରରେ ବିଶ୍ୱବ୍ୟାପୀ ଟିକାକରଣ ଅଭିଯାନ ଚାଲୁ ରହିଛି । ଏଥିପାଇଁ ସମସ୍ତ ଟିକାକୁ ଗଚ୍ଛିତ ରଖି ରାଜ୍ୟବ୍ୟାପୀ ଅବସ୍ଥାପିତ ଟିକାଭଣ୍ଡାର ଓ ଟିକାକରଣ କେନ୍ଦ୍ରକୁ ତାପ ସଂରକ୍ଷିତ ଯାନ ଦ୍ୱାରା ପଠାଇ ଟିକାର ଗୁଣାତ୍ମକ ମାନକୁ ବଜାୟ ରଖିବା ଆବଶ୍ୟକ ପଡିଥାଏ । ଏଥିପାଇଁ ଟିକା ସବୁ ସ୍ତରରେ ଶୀତଳୀକରଣ ବ୍ୟବସ୍ଥାର ଆବଶ୍ୟକତା ରହିଛି ।

ଆମ ରାଜ୍ୟରେ ଗୋଟିଏ ରାଜ୍ୟସ୍ତରୀୟ ଟିକା ସଂରକ୍ଷଣ ଭଣ୍ଡାର ରହିଥିବାବେଳେ ୩୨ ଜିଲ୍ଲାରେ ଟିକା ଗଚ୍ଛିତ କେନ୍ଦ୍ର ଓ ୧୯୯୦ଟି ନିରାପଦ ଶୀତଳୀକରଣ କେନ୍ଦ୍ର ରହିଛି । ଏହି ସମସ୍ତ ଟିକାର ନିରାପଦ ପରିବହନ ପାଇଁ ଓଡିଶା ରାଜ୍ୟ ଔଷଧ ନିଗମ ପକ୍ଷରୁ ୧୦ଟି ତାପ ସଂରକ୍ଷିତ ଯାନ କ୍ରୟ କରାଯାଇଛି । ଏହାଦ୍ୱାରା ସମଗ୍ର ରାଜ୍ୟକୁ ସୁରୁଖୁରୁରେ ଟିକା ପରିବହନ କରାଯାଇପାରିବ ।

ଭ୍ରାମ୍ୟମାଣ ରକ୍ତ ସଂଗ୍ରହ ଯାନ

ସୁଦୂର ଗ୍ରାମଞ୍ଚଳରେ ସ୍ୱେଚ୍ଛାକୃତ ରକ୍ତ ଦାନକୁ ପ୍ରୋତ୍ସାହିତ କରିବା ଓ ରକ୍ତ ସଂଗ୍ରହ ପାଇଁ ରକ୍ତ ସଂରକ୍ଷଣ ଯାନ ବିଭିନ୍ନ ସ୍ୱାସ୍ଥ୍ୟ ସୁବିଧା କେନ୍ଦ୍ରଗୁଡିକୁ ଯୋଗାଇ ଦିଆଯାଇଛି । ୨୦୧୯ ମସିହାରେ ୯ଟି ଭ୍ରାମ୍ୟମାଣ ରକ୍ତ ସଂଗ୍ରହ ଯାନ, ଏସ୍.ସି.ବି. ମେଡିକାଲ କଲେଜ, ଏମ୍.କେ.ସି.ଜି. ମେଡିକାଲ କଲେଜ, ବ୍ରହ୍ମପୁର, ଭିମସାର, ବୁର୍ଲା, ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ, ବଲାଙ୍ଗିର, ବାରିପଦା, ବାଲେଶ୍ୱର, ବରଗଡ଼ ଏବଂ ଆର୍.ଜି.ଏଚ୍, ରାଉରକେଲାକୁ ଯୋଗାଇ ଦିଆଯାଇଥିଲା । ଏହାଫଳରେ ୨୦୨୦ ମସିହାରେ ରକ୍ତ ସଂଗ୍ରହ ଅନୁପାତ ୮୯,୯୧୭ ୟୁନିଟ୍ ରୁ ବୃଦ୍ଧି ପାଇ ୨୦୨୨ ମସିହାରେ ୧,୭୬,୭୪୭ ୟୁନିଟ୍ ରେ ପହଞ୍ଚିପାରିଛି ।

ଏହି କାର୍ଯ୍ୟକ୍ରମର ଅଧିକ ଅଗ୍ରଗତି ନିମନ୍ତେ ଆଉ ୫ଗୋଟି ସମ୍ପୂର୍ଣ୍ଣ ରୂପେ ବିକଶିତ ହୋଇଥିବା ଭ୍ରାମ୍ୟମାଣ ରକ୍ତ ସଂଗ୍ରହ ଯାନ ଓଡିଶା ରାଜ୍ୟ ଔଷଧ ନିଗମ ପକ୍ଷରୁ କ୍ରୟ କରାଯାଇଛି । ଏଥିରେ ସମସ୍ତ ପ୍ରକାରର ନୂତନ ଜ୍ଞାନ କୌଶଳ ସଜ୍ଜିତ ଅତ୍ୟାଧୁନିକ ବ୍ୟବସ୍ଥା ରହିଛି । ରକ୍ତଦାତାଙ୍କ ପାଇଁ ଶଯ୍ୟା, ରକ୍ତ ସଂରକ୍ଷଣ ରେଫ୍ରିଜରେଟର, ରକ୍ତ ସଂଗ୍ରହ ମନିଟର, ଅନ୍ୟାନ୍ୟ ଆନୁଷଙ୍ଗିକ ଯନ୍ତ୍ରପାତି ଏପରିକି- ଜେନେରେଟର, ଇନଭର୍ଟ୍ଟରର ସୁବିଧା ରହିଛି ।

ଏହି ଯାନଗୁଡିକ ରାଜ୍ୟ ସରକାରଙ୍କ ଦ୍ୱାରା ୟନିଟ୍ ପ୍ରତି ୫୪,୦୨,୮୦୦/- ଦରରେ ସମୂଦାୟ ୨,୭୦,୧୪,୦୦୦/- ଟଙ୍କା ଖର୍ଚ୍ଚ କରାଯାଇ କ୍ରୟ କରାଯାଇଅଛି । ଏହାଦ୍ୱାରା ରକ୍ତ ସଂଗ୍ରହ ବୃଦ୍ଧି ପାଇବା ସହ ସଂଗୃହିତ ରକ୍ତର ସମସ୍ତ ଗୁଣବତ୍ତା ବଜାୟ ରହିବ ଓ ଆବଶ୍ୟକ ସ୍ଥଳେ ରକ୍ତ ଯୋଗାଇ ଦିଆଯାଇପାରିବ ବୋଲି ବିଶେଷଜ୍ଞ ଓ ବୁଦ୍ଧିଜୀବି ମାନେ ଆଶା ପ୍ରକଟ କରିଛନ୍ତି ।

Comments are closed, but trackbacks and pingbacks are open.