ବିଏମସିର ନୂଆ କୋଠାକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

29

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରର ସତ୍ୟ ନଗର ଅଞ୍ଚଳରେ ଥିବା ଭୁବନେଶ୍ୱର ମହାନଗର ନିଗମ (ବିଏମସି)ର ୧୨ ମହଲା ବିଶିଷ୍ଟ ନୂଆ କୋଠାକୁ ଉଦଘାଟନ କରିଛନ୍ତି। ଏହି ଅବସରରେ ନବୀନ ପଟ୍ଟନାୟକ ‘ସଫା’ ଆପର ଲୋକାର୍ପଣ କରିଛନ୍ତି। ଏବେଠାରୁ ବିଏମସି ତା’ର ନୂଆ ଠିକଣାରେ କାମ କରିବ। କଳ୍ପନା ମ୍ୟୁଜିୟମ ଛକ ନିକଟରେ ଥିବା ପୌରସଂସ୍ଥାର କାର୍ଯ୍ୟାଳୟକୁ ବିଏମସି-ଆଇସିଓଏମସି କୋଠାକୁ ସ୍ଥାନାନ୍ତର କରାଯାଇଛି। ପୂର୍ବରୁ ଏଠାରେ ଡେଲୋଏଟ୍ ଓ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍ (ବିଏସସିଏଲ୍) ସେମାନଙ୍କ କାର୍ଯ୍ୟାଳୟକୁ ନୂଆ ସ୍ଥାନକୁ ସ୍ଥାନାନ୍ତର କରିଥିଲେ।

ଏହି କୋଠା ଓଡ଼ିଶାର କଳା ଓ ସଂସ୍କୃତିକୁ ପ୍ରତିଫଳିତ କରୁଛି। ଏହି କୋଠାର ପାଞ୍ଚ ମହଲାକୁ ବ୍ୟବସାୟିକ ଉଦ୍ଦେଶ୍ୟରେ ବ୍ୟବହାର କରାଯିବା ସହ ଏହି ଜାଗାକୁ ବିଭିନ୍ନ କର୍ପୋରେଟ ହାଉସକୁ ଭଡ଼ାରେ ଦିଆଯିବାକୁ ଲକ୍ଷ୍ୟ ରହିଛି।

ତିନି ମହଲାରେ ବିଏମସି କାର୍ଯ୍ୟାଳୟ ରହିବ। କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ସେଣ୍ଟର (ସିସିସି) ଏବଂ ବିଏମସିଏଲ ଅଫିସ ଗୋଟିଏ ମହଲାରେ ରହିବା କଥା। ତଳ ମହଲାକୁ ଗାଡ଼ି ପାର୍କିଂ ପାଇଁ ବ୍ୟବହାର କରାଯିବା କଥା। ଏହି ନୂତନ ଭବନରେ ଏକ ସ୍ୱତନ୍ତ୍ର ସମ୍ମିଳନୀ କକ୍ଷ ରହିଛି, ଯାହା ପୌରସଂସ୍ଥା ପାଇଁ ଉଦ୍ଦିଷ୍ଟ।

ବିଏମସିର ଦକ୍ଷିଣ-ପୂର୍ବ ଜୋନାଲ ଅଫିସ୍ ବର୍ତ୍ତମାନ ସାମନ୍ତରାପୁରରେ ଏକ ଭଡା କୋଠାରେ କାମ କରୁଛି। ଉଦଘାଟନ ପରେ ଏହାକୁ ମ୍ୟୁଜିୟମ ଛକରେ ଥିବା ପୁରୁଣା କୋଠାକୁ ସ୍ଥାନାନ୍ତର କରାଯିବ ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି।

ଗୁରୁବାର ବିଏମସିର ନୂଆ କୋଠା ଉଦଘାଟନ ବେଳେ ଭୁବନେଶ୍ୱରର ତିନି ବିଧାୟକ ଅନନ୍ତ ନାରାୟଣ ଜେନା, ଅଶୋକ ପଣ୍ଡା, ସୁଶାନ୍ତ ରାଉତଙ୍କ ସମେତ ମେୟର ସୁଲୋଚନା ଦାଶ, କର୍ପୋରେଟର, ବିଏମସି ଅଧିକାରୀ ପ୍ରମଖ ଉପସ୍ଥିତ ଥିଲେ।

Comments are closed, but trackbacks and pingbacks are open.