୫ ଜିଲ୍ଲାର ୪୪୯ ହାଇସ୍କୁଲର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
5T ସ୍କୁଲ ରୂପାନ୍ତର ପିଲାଙ୍କ ସ୍ଵପ୍ନକୁ ସାକାର କରିବା ପାଇଁ ସୁଯୋଗ ସୃଷ୍ଟି କରିଛି : ମୁଖ୍ୟମନ୍ତ୍ରୀ
ରାଜ୍ୟର ଶିକ୍ଷାବ୍ୟବସ୍ଥାକୁ ଗୁଣାତ୍ମକ ତଥା ସ୍କୁଲଗୁଡ଼ିକୁ ସର୍ବାଙ୍ଗ ସୁନ୍ଦର କରିବା ପାଇଁ ମୁଖ୍ୟମନ୍ତ୍ରୀ ନେଇଛନ୍ତି ଦୃଢ଼ ଶପଥ। ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ହେଉଛି ଆମୂଳଚୂଳ ପରିବର୍ତ୍ତନ। ‘୫-ଟି’ ହାଇସ୍କୁଲ ରୂପାନ୍ତରଣ ଯୋଜନାରେ ବଦଳୁଛି ବିଦ୍ୟାଳୟର ଚେହେରା। ଘରୋଇ ସ୍କୁଲ ଭଳି ସରକାରୀ ସ୍କୁଲରେ ପିଲାଙ୍କୁ ଉନ୍ନତମାନର ସୂଚନା ଓ ପ୍ରଯୁକ୍ତିବିଦ୍ୟାର ଶିକ୍ଷା ଦେବାଲାଗି ପ୍ରସ୍ତୁତ ହେଉଛି ସୁଦୃଢ଼ ଭିତ୍ତିଭୂମି। ଛାତ୍ରଛାତ୍ରୀ ବହି ଓ କଳାପଟା ବଦଳରେ ଇ-କଣ୍ଟେଣ୍ଟ ଏବଂ ପ୍ରୋଜେକ୍ଟର୍ରେ ପାଠ ପଢ଼଼ୁଛନ୍ତି। ସରକାରୀ ବିଦ୍ୟାଳୟରେ ଛାତ୍ରଛାତ୍ରୀ ସ୍ମାର୍ଟ କ୍ଲାସରେ ପଢ଼଼ିବା ସହିତ ରୋବଟିକ୍ସ ଓ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଭଳି ଅତ୍ୟାଧୁନିକ ଜ୍ଞାନ ଆହରଣ କରୁଛନ୍ତି। ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରିକଳ୍ପନା ଏବେ ବାସ୍ତବ ରୂପ ନେଇଛି।
ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟରେ ରାଜ୍ୟରେ ହାଇସ୍କୁଲ ଗୁଡିକ ରୂପାନ୍ତରଣ କରାଯାଇଥିବା ଏବେ କରାଯାଉଛି ତୃତୀୟ ପର୍ଯ୍ୟାୟରେ ରୂପାନ୍ତରଣ । ଆଜି ୫-ଟି ସ୍କୁଲ ରୂପାନ୍ତରଣ ଅଭିଯାନର ତୃତୀୟ ପର୍ଯ୍ୟାୟର ତୃତୀୟ ଦିନରେ ଆଜି ୫ଟି ଜିଲ୍ଲାର ୪୪୯ଟି ରୂପାନ୍ତରିତ ହାଇସ୍କୁଲକୁ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିଛନ୍ତି । ଏଥିରେ ବାଲେଶ୍ବର ଜିଲ୍ଲାର ୨୩୩ଟି ହାଇସ୍କୁଲ, ନୟାଗଡ ଜିଲ୍ଲାର ୬୪ଟି, ନୂଆପଡା ଜିଲ୍ଲାର ୫୮ଟି, ସୁନ୍ଦରଗଡ ଜିଲ୍ଲାର ୪୯ଟି ହାଇସ୍କୁଲ ଏବଂ ରାୟଗଡା ଜିଲ୍ଲାର ୪୫ଟି ହାଇସ୍କୁଲ ଅନ୍ତର୍ଭୁକ୍ତ। ଏହାଦ୍ବାରା ତୃତୀୟ ପର୍ଯ୍ୟାୟରେ ତିନି ଦିନରେ ସମୁଦାୟ ୧୧୩୪ଟି ରୂପାନ୍ତରିତ ହାଇସ୍କୁଲ ଲୋକାର୍ପିତ ହେଲା। ସୂଚନାଯୋଗ୍ୟ ଯେ ଗତ ଦୁଇଟି ପର୍ଯ୍ୟାୟରେ ରାଜ୍ୟରେ ୩୯୮୧ଟି ସ୍କୁଲ ରୂପାନ୍ତରିତ ହୋଇଛି । ତିନୋଟି ପର୍ଯ୍ୟାୟ ସଂପୂର୍ଣ୍ଣ ହେବା ପରେ ରାଜ୍ୟରେ ସମୁଦାୟ ୬୧୩୨ଟି ସ୍କୁଲ ରୂପାନ୍ତରିତ ହେବ ।
ଏହି ଅବସରରେ ଭିଡିଓ କନ୍ଫରେନ୍ସିଂ ଜରିଆରେ ଯୋଡି ହୋଇଥିବା ସ୍କୁଲ ଗୁଡିକରେ ଉପସ୍ଥିତ ଥିବା ଛାତ୍ରଛାତ୍ରୀ ମାନଙ୍କୁ ଅଭିନନ୍ଦନ ଜଣାଇ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ୫-ଟିର ଉପଯୋଗ ସଂପର୍କରେ ବୁଝାଇ କହିଲେ ଯେ ବର୍ତ୍ତମାନ ଯୁଗ ହେଉଛି ଟେକ୍ନୋଲୋଜିର ଯୁଗ । ତେଣୁ ପିଲାମାନେ ନୂଆ ନୂଆ ଟେକ୍ନୋଲୋଜି ବିଷୟରେ ଜାଣିବାକୁ ଚେଷ୍ଟା କରିବା ଆବଶ୍ୟକ । ଏହାଦ୍ବାରା ସେମାନେ ଆଧୁନିକ ଯୁଗରେ ସବୁ କ୍ଷେତ୍ରରେ ଆଗରେ ରହିପାରିବେ।
ଦ୍ବିତୀୟ ବିଷୟଟି ହେଉଛି ଟିମ୍ୱାର୍କ । ପିଲାମାନେ ମିଳିମିଶି କାମ କଲେ, ସଫଳତାର ସମ୍ଭାବନା ବଢିବ। କ୍ରୀଡ଼ା କ୍ଷେତ୍ରରେ ଟିମ୍ୱାର୍କ ଅତି ଜରୁରୀ ବୋଲି ସେ କହିଥିଲେ। ସେହିପରି ଜୀବନରେ ସାଧୁତା (Transparency ) ହେଉଛି ଏକ ଜରୁରୀ ଆବଶ୍ୟକତା । ଏସବୁର ପ୍ରୟୋଗ ଦ୍ବାରା ସେମାନଙ୍କ ଜୀବନରେ ଆସିବ ରୂପାନ୍ତର ବା ସଫଳତା।
ମୁଖ୍ୟମନ୍ତ୍ରୀ ପୁଣି କହିଲେ ଯେ ଛାତ୍ରଛାତ୍ରୀ ମାନଙ୍କ ସଫଳତା ହେଉଛି ଓଡିଶାର ସଫଳତା । ୫-ଟି ସ୍କୁଲ ଗୁଡିକରେ ପିଲାମାନଙ୍କୁ ସବୁ ପ୍ରକାର ଆଧୁନିକ ସୁବିଧା ଦେବା ପାଇଁ ପ୍ରଚେଷ୍ଟା କରାଯାଇଛି। ପିଲାମାନେ ଏହାର ସୁଯୋଗ ନେଇ ନିଜ ପ୍ରତିଭାର ପରିଚୟ ପ୍ରଦାନ କରିପାରିଲେ, ସେମାନଙ୍କ ନିଜର ଓ ପରିବାରର ଗୌରବ ବୃଦ୍ଧି ହେବା ସହିତ ସାରା ଓଡିଶାର ଗୌରବ ବୃଦ୍ଧି ହେବ ।
କାର୍ଯ୍ୟକ୍ରମରେ ଉପସ୍ଥିତ ବାଲେଶ୍ବର ଜିଲ୍ଲାରେ ସୋର ବିଧାୟକ ପର୍ଶୁରାମ ଧଡା, ନୟାଗଡରେ ବିଧାୟକ ଡଃ ଅରୁଣ କୁମାର ସାହୁ, ନୂଆପଡାରେ ଯୋଜନା ଓ ସଂଯୋଜନ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ, ସୁନ୍ଦରଗଡରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ଏବଂ ରାୟଗଡାରେ ଅନୁସୂଚିତ ଜାତି ଓ ଜନଜାତି ବିକାଶ ମନ୍ତ୍ରୀ ଜଗନ୍ନାଥ ସାରକା ପ୍ରମୁଖ ସେମାନଙ୍କ ମତାମତ ରଖି କହିଥିଲେ ଯେ ଶିକ୍ଷା କ୍ଷେତ୍ରରେ ଏ ରୂପାନ୍ତର ସାରା ଭାରତବର୍ଷରେ ଗୁଞ୍ଜରଣ ସୃଷ୍ଟି କରିଛି। ଶିକ୍ଷା କ୍ଷେତ୍ରରେ ଏ ବୈପ୍ଲବିକ ପରିବର୍ତ୍ତନ ସାରା ଓଡିଶାର ଭବିଷ୍ୟତକୁ ଉଜ୍ଜଳ କରିଛି । ବିଧାୟକ ଡଃ ଅରୁଣ ସାହୁ କହିଲେ ଯେ ସ୍କୁଲ ରୂପାନ୍ତର ଯୋଗୁ ଆଜି ସରକାରୀ ସ୍କୁଲର ମର୍ଯ୍ୟାଦା ବୃଦ୍ଧି ପାଇଛି। ବେସରକାରୀ ସ୍କୁଲରୁ ଅଭିଭାବକମାନେ ସେମାନଙ୍କ ପିଲାଙ୍କୁ ଆଜି ସରକାରୀ ସ୍କୁଲକୁ ଫେରାଇ ଆଣୁଛନ୍ତି। କେବଳ ନୟାଗଡ ଜିଲ୍ଲାରେ ୭୦୦ ପିଲା ବେସରକାରୀ ସ୍କଲରୁ ସରକାରୀ ସ୍କୁଲକୁ ଆସିଛନ୍ତି ବୋଲି ସେ କହିଥିଲେ । ସ୍କୁଲ ରୂପାନ୍ତର ଆଗାମୀ ପୀଢିର ଭବିଷ୍ୟତକୁ ଉଜ୍ଜଳ ଓ ସୁଦୃଢ କରିଛି ବୋଲି ସେ ମତ ଦେଇଥିଲେ ।
କାର୍ଯ୍ୟକ୍ରମକୁ ପରିଚାଳନା କରି ୫-ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନ କହିଥିଲେ ଯେ ସବୁ ଜିଲ୍ଲା ଗୁଡିକରେ ଆଉ ଯେତେ ସରକାରୀ ହାଇସ୍କୁଲ ରହିଛି, ସେ ସବୁ ଚତୁର୍ଥ ପର୍ଯ୍ୟାୟରେ ରୂପାନ୍ତରିତ ହେବ।
Comments are closed, but trackbacks and pingbacks are open.