ମୁଖ୍ୟମନ୍ତ୍ରୀଙ୍କୁ ମିଳିଲା ନୂଆ କ୍ବାଟର, ଯୁଦ୍ଧକାଳୀନ ଭିତିରେ ଚାଲିଛି କାମ

118

ଭୁବନେଶ୍ବର: ଏବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ମିଳିଛି ନୂଆ କ୍ବାଟର। ଜିଏ ବିଭାଗ ସୁପାରିଶ କରିବା ପରେ ମୁଖ୍ୟମନ୍ତ୍ରୀ ତାହାକୁ ଅନୁମୋଦନ କରିଛନ୍ତି। ଫଳରେ ସେହି କ୍ବାଟରରେ ବର୍ତ୍ତମାନ ଯୁଦ୍ଧ କାଳିନ ଭିତିରେ କାମ ଚାଲିଛି। ମୁଖ୍ୟମନ୍ତ୍ରୀ ବର୍ତ୍ତମାନ ଏଜି ଛକ ପାଖରେ ରହୁଛନ୍ତି। ହେଲେ ସେଠାରେ ସୁରକ୍ଷା ଦୃଷ୍ଟିରୁ ଠିକ ନ ଥିବାରୁ ଏବେ ନୂଆ କ୍ବାଟରକୁ ଆସିବେ। ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ରାଜଭବନ ଏଜି ରାସ୍ତାରେ ଥିବା ଅଭିଯୋଗ ପ୍ରକୋଷ୍ଠକୁ ଲାଗି ରହିଥିବା କ୍ବାଟରକୁ ଯିବେ। ପୂର୍ବରୁ ଏହି କ୍ବାଟରରେ ଜାନକୀ ବଲ୍ଲଭ ପଟ୍ଟନାୟକ, ଗିରିଧର ଗମାଙ୍ଗ ଏବଂ ହେମାନନ୍ଦନ ବିଶ୍ବାଳ ମୁଖ୍ୟମନ୍ତ୍ରୀ ଥିବା ବେଳେ ରହୁଥିଲେ। ହେଲେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବା ପରେ ସେ ନିଜ ବାସଭବନରେ ରହି ଏହାକୁ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ କରିଦେଇଥିଲେ। ସୂଚନା ଅନୁସାରେ ଅଭିଯୋଗ ପ୍ରକୋଷ୍ଠ ଭିତରେ ଥିବା କ୍ବାଟରକୁ ବର୍ତ୍ତମାନ ନୂଆ ରୂପ ଦିଆଯାଉଛି। ଏହି କ୍ବାଟରକୁ ଖୋଦ ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ପରିବାର ଲୋକେ ଦେଖିସାରିଲେଣି। ହେଲେ ଏହି କ୍ବାଟରର ମୁହଁ ରାଜଭବନ ଏଜି ରାସ୍ତାକୁ ନ କରି ଅଭିଯୋଗ ପ୍ରକୋଷ୍ଠ ରାସ୍ତା ଆଡକୁ କରାଯିବ। ବର୍ତ୍ତମାନ ଯେଉଁ ସ୍ଥାନରେ ଜନସାଧାରଣଙ୍କ ଅଭିଯୋଗ ଶୁଣାଯାଉଛି ତାହାର ରୂପ ବଦଳାଯାଇ ମୁଖ୍ୟମନ୍ତ୍ରୀଙ୍କ ଆବାସିକ ଅଫିସ କରାଯିବ। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଏବଂ ଏହି କ୍ବାଟରଟି ପ୍ରାୟ ଚାରି ଏକ ଜମିରେ ପ୍ରତିଷ୍ଠା କରାଯାଇଛି। ସେହି ଭିତରେ ମୁଖ୍ୟମନ୍ତ୍ରୀଙ୍କ କ୍ବାଟର ସହିତ ଅତିଥି ଭବନ, ଅଭ୍ୟର୍ଥନା କାର୍ଯ୍ୟାଳୟ, ମୁଖ୍ୟମନ୍ତ୍ରୀଙ୍କ ଘରୋଇ କର୍ମଚାରୀଙ୍କ କ୍ବାଟର ପ୍ରଭୃତି ନିର୍ମାଣ କରାଯିବ। ବର୍ତ୍ତମାନ ଏହି କ୍ବାଟରରେ ଥିବା ପୁରୁଣା ଟାଇଲ ବଦଳାଯାଇ ନୂଆ ଟାଇଲ ପଡିବା ସହିତ ନୂଆ ରଂଗ ଦିଆଯିବ। ଏଥିପାଇଁ ଟେଣ୍ଡର ପକ୍ରିୟା ଶେଷ ହେବା ସହିତ କାମ ଆରମ୍ଭ କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ଏହାର ପାଚେରୀକୁ ଆହୁରି ଉଚ୍ଚା କରାଯିବ। ସେଠାରେ ପୋଲିସ ପୋଷ୍ଟ କରିବା ପାଇଁ ମଧ୍ୟ ବ୍ୟବସ୍ଥା କରାଯିବ। କ୍ବାଟର ଭିତରେ ବାରଟି ସିଙ୍ଗିଲ ଘର ନିର୍ମାଣ କରାଯିବ। ସେଠାରେ ସୁରକ୍ଷା ଅଧିକାରୀ ରହିବାର ବ୍ୟବସ୍ଥା କରାଯିବ। ବର୍ତ୍ତମାନ ଅଭିଯୋଗ ପ୍ରକୋଷ୍ଠ ପାଖରେ ଥିବା ଅନ୍ୟ ଏକ କ୍ବାଟରକୁ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ ସ୍ଥାନାନ୍ତରିତ କରାଯିବ ବୋଲି ଜଣାପଡିଛି।

Comments are closed, but trackbacks and pingbacks are open.