ବଲାଙ୍ଗୀର ଜିଲ୍ଲା ରେ’ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ

147

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଲାଙ୍ଗୀର ଜିଲ୍ଲା ଗସ୍ତ କରି ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’ ର ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି । ମୁଖ୍ୟମନ୍ତ୍ରୀ ଜିଲ୍ଲାର ଟିଟିଲାଗଡ, ପାଟଣାଗଡ ଓ ବଲାଙ୍ଗୀର ଟାଉନ ଗସ୍ତ କରି ସ୍ମାର୍ଟ କାର୍ଡ ବଣ୍ଟନ କରି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ । ଟିଟିଲାଗଡରେ ଜିଲ୍ଲାର ପ୍ରଥମ ହିତାଧିକାରୀ ଭାବରେ ସରୋଜିନୀ ବହିଦାରଙ୍କୁ ସ୍ମାର୍ଟ ହେଲ୍ଥ କାର୍ଡ ପ୍ରଦାନ କରି ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।
ଜିଲ୍ଲାର ସାଢେ ଚାରି ଲକ୍ଷ ପରିବାର ଏହି ସୁବିଧା ପାଇବେ। ଏହି ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ଜିଲ୍ଲାର ୨୦୦ କୋଟି ଟଙ୍କାର ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ କରିବା ସହିତ ୫୯୭ କୋଟି ଟଙ୍କାର ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ପାଟଣାଗଡରେ ମୁଖ୍ୟମନ୍ତ୍ରୀ ହରିଶଙ୍କର ପୀଠର ବିକାଶ ପାଇଁ ଭିତ୍ତିପ୍ରସ୍ତର ମଧ୍ୟ ସ୍ଥାପନ କରିଥିଲେ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଉଦ୍‌ବୋଧନ ଦେଇ ସ୍ମାର୍ଟ ହେଲ୍‌ଥ କାର୍ଡର ବ୍ୟବସ୍ଥା ସାଧାରଣ ଲୋକଙ୍କର ଚିକିତ୍ସା ବ୍ୟବସ୍ଥାରେ ରୂପାନ୍ତର ଆଣିପାରିବ ବୋଲି ମତ ଦେଇଥିଲେ । ଦେଶର ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଏହା ଏକ ମାଇଲଷ୍ଟୋନ ବୋଲି ସେ କହିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ନୂଆ ରୂପରେ କାର୍ଯ୍ୟକାରୀ କରାଯାଇ ଜାତୀୟ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ସବୁ ହିତାଧିକାରୀଙ୍କୁ ସ୍ମାର୍ଟ କାର୍ଡ ଦିଆଯାଉଛି । ଏଭଳି ବ୍ୟବସ୍ଥା କରିବାରେ ଓଡିଶା ସାରା ଦେଶର ଏକମାତ୍ର ରାଜ୍ୟ । ସାରା ଓଡିଶାରେ ୯୬ ଲକ୍ଷ ପରିବାର ଏହି ସୁବିଧା ପାଉଥିବା ବେଳେ, ବଲାଙ୍ଗୀର ଜିଲ୍ଲାର ସାଢେ ଚାରି ଲକ୍ଷ ପରିବାର ଏହି ସୁବିଧା ପାଇବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ ଏହି କାର୍ଡ ପାଖରେ ରହିଲେ, ଚିକିତ୍ସା ପାଇଁ କୌଣସି ଡକ୍ୟୁମେଣ୍ଟ ଦରକାର ନାହିଁ । କେବଳ କାର୍ଡଟିକୁ ନେଇ ଲୋକମାନେ ଦେଶର ୨୦୦ ବଡ ବଡ ହସପିଟାଲରେ ବିନା ଖର୍ଚ୍ଚରେ ଗୁଣାତ୍ମକ ଚିକିତ୍ସା ପାଇପାରିବେ । ପରିବାର ପାଇଁ ବର୍ଷକୁ ୫ ଲକ୍ଷ ଟଙ୍କା ଏବଂ ମହିଳା ମାନଙ୍କ ପାଇଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ମିଳିପାରିବ ।
ଟଙ୍କା ପାଇଁ କେହି ଉତ୍ତମ ଚିକିତ୍ସା ସୁବିଧାରୁ ବଞ୍ଚିତ ନ ହୁଅନ୍ତୁ, ଏହା ହିଁ କାର୍ଯ୍ୟକ୍ରମର ଲକ୍ଷ୍ୟ ବୋଲି ସେ କହିଥିଲେ । ପ୍ରତିଟି ଜୀବନ ତାଙ୍କ ପାଇଁ ମୂଲ୍ୟବାନ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସମସ୍ତେ ସୁସ୍ଥରେ ରହିଲେ ହିଁ ରାଜ୍ୟର ପ୍ରଗତି ହୋଇପାରିବ।ଶେଷରେ ମୁଖ୍ୟମନ୍ତ୍ରୀ ବଲାଙ୍ଗୀର ଜିଲ୍ଲା ଗସ୍ତ କରି ସେଠାରେ ମଧ୍ୟ ଅନେକ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ I
ଏହି କାର୍ଯ୍ୟକ୍ରମରେ ରାଜ୍ୟ ମନ୍ତ୍ରୀ ମଣ୍ଡଳର ସଦସ୍ୟଗଣ ବିକ୍ରମ କେଶରୀ ଆରୁଖ, ନିରଞ୍ଚନ ପୂଜାରୀ, ପଦ୍ମନାଭ ବେହେରା, ସୁଶାନ୍ତ ସିଂ, ନବ ଦାସ, ଟୁକୁନି ସାହୁ, ଦିବ୍ୟଶଙ୍କର ମିଶ୍ର, ସାଂସଦ ସଙ୍ଗୀତା ସିଂହଦେଓ, ବିଧାୟକ ନରସିଂହ ମିଶ୍ର, ବିଧାୟକ ସରୋଜ ମେହେର, ସନ୍ତୋଷ ସିଂ ସାଲୁଜା, ମୁକେଶ ମହାଲିଙ୍ଗ, ଓଟିଡିସିର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଏବଂ ଅନେକ ବରିଷ୍ଠ ନେତୃବୃନ୍ଦ ଯୋଗ ଦେଇଥିଲେ ।

Leave A Reply

Your email address will not be published.