୮୦୦୦ ସହଭାଗୀଙ୍କୁ ସାଇକେଲ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

24

ସାଇକେଲ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋକସେବା ଭବନରେ ଆୟୋଜିତ ଗୋଷ୍ଠୀ ସହଭାଗିତା ଉତ୍ସବରେ ୮୦୦୦ ସହଭାଗୀଙ୍କୁ ମିଳିଛି ସାଇକେଲ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ଜଳସାଥୀ, ଆହାର ସାଥୀ, ସ୍ବଚ୍ଛସାଥୀ ଓ ସୁପରଭାଇଜର୍ ଆଦିଙ୍କୁ ସାଇକେଲ ବଣ୍ଟନ କରିଛନ୍ତି।

ସାଇକେଲ ବଣ୍ଟନ ଉତ୍ସବରେ ସାମିଲ ହୋଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମା’ମାନେ ବହୁତ ଭଲ କାମ କରୁଛନ୍ତି ତାହାକୁ ଜାରି ରଖନ୍ତୁ । ମୁଁ ସବୁବେଳେ ଆପଣଙ୍କ ସାଥୀରେ ଅଛି । ଓଡ଼ିଶାର ବିଭିନ୍ନ ଅଞ୍ଚଳକୁ ମୁଁ ଯାଉଛି, ମିଶନ ଶକ୍ତିର ମା’ ମାନଙ୍କୁ ଭେଟୁଛି । ନବୀନ ନିବାସକୁ ମା’ ମାନେ ଆସି ମୋତେ ଭେଟୁଛନ୍ତି । ମା’ ମାନଙ୍କ ସଫଳତା ବହୁତ ଖୁସି ଦେଉଛି, ମା’ ମାନଙ୍କ ଆତ୍ମବିଶ୍ୱାସ ଓ ଉତ୍ସାହ ମିଶନ ଶକ୍ତିକୁ ଏକ ନମ୍ବର ସଫଳ କାର୍ଯ୍ୟକ୍ରମ କରିଛି । ବିଭିନ୍ନ ସହରରେ ମା’ ମାନେ ଅନେକ ଦାୟିତ୍ୱ ନେଇଛନ୍ତି । ମା’ ମାନେ କରୁଥିବା କାମରେ ସମସ୍ତେ ଖୁସି । ମା’ ମାନେ ଯେପରି ସୁବିଧାରେ ଦାୟିତ୍ୱ ପାଳନ କରିବେ ସେଥିପାଇଁ ରାଜ୍ୟ ସରକାର ସମସ୍ତ ସୁବିଧା ଯୋଗାଇ ଦେଇଛନ୍ତି । ୮୦୦୦ରୁ ଅଧିକ ମା’ ମାନେ ସାଇକେଲ ପାଇବେ ।

ଏହାଦ୍ୱାରା ମା’ ମାନଙ୍କର କାମ ସହଜ ହେବ । ଓଡ଼ିଶା ସରକାରର ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମିଶନ ଶକ୍ତି ମା’ ମାନଙ୍କୁ ୧୦୦ କୋଟି ଟଙ୍କାର ଇନସେନଟିଭ ଦେଇଛି । ଓଡ଼ିଶା ଏବେ ବିଶ୍ୱସ୍ତରରେ ନାଁ କମାଇଛି । ଆଉ ଏଥିରେ ମିଶନ ଶକ୍ତି ମା’ ମାନଙ୍କର ଯଥେଷ୍ଟ ଅବଦାନ ରହିଛି । ଭଲ କାମ କରି ଓଡ଼ିଶାର ସମ୍ମାନ ବୃଦ୍ଧି କରିବାକୁ ଏହି ଉତ୍ସବରେ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

Comments are closed, but trackbacks and pingbacks are open.