ଘୋଷଣା କଲେ ମୁଖ୍ୟମନ୍ତ୍ରୀ: ମରୁଡ଼ି ପ୍ରଭାବିତ ଅଞ୍ଚଳ ପାଇଁ ୨୦୦ କୋଟିର ଇନ୍‌ପୁଟ୍ ସହାୟତା

23

ଭୁବନେଶ୍ୱର୍‌:ରାଜ୍ୟର ମରୁଡ଼ି ପ୍ରଭାବିତ ଅଞ୍ଚଳର କ୍ଷତିଗ୍ରସ୍ତ ଚାଷୀଙ୍କୁ ୨୦୦ କୋଟି ଟଙ୍କାର ଇନ୍‌ପୁଟ୍ ସହାୟତା ରାଶି ପ୍ରଦାନ କରାଯିବ । ଏହି ସହାୟତା ରାଶି ତତ୍କାଳ ପ୍ରଦାନ ନିମନ୍ତେ ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ରାଜ୍ୟ ସ୍ୱତନ୍ତ୍ର ରିଲିଫ୍ କମିଶନର(ଏସ୍‌ଆର୍‌ସି)ଙ୍କ ନିକଟରେ ଆବଶ୍ୟକ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ମଙ୍ଗଳବାର ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଏହି ସମସ୍ତ ଅର୍ଥ ରାଜ୍ୟ ସରକାର ନିଜ ରାଜକୋଷରୁ ପ୍ରଦାନ କରିବେ । ଓଡ଼ିଶା ସରକାର କହିଛନ୍ତି ଯେ ବର୍ଷା ଅଭାବରୁ ରାଜ୍ୟର ୧୨ଟି ଜିଲ୍ଲାର ୬୪ଟି ବ୍ଲକ୍ ଏବଂ ୧୫ଟି ପୌରାଞ୍ଚଳରେ ଥିବା ପ୍ରାୟ ୨,୬୩,୫୬୦ ହେକ୍ଟର ଚାଷଜମିରେ ୩୩% ବା ତା’ଠାରୁ ଅଧିକ ଫସଲହାନି ହୋଇଛି । ଅଥଚ ଏ ପର୍ଯ୍ୟନ୍ତ ମରୁଡ଼ି ପ୍ରପୀଡ଼ିତ ଅଞ୍ଚଳର ବହୁସଂଖ୍ୟକ ଚାଷୀ ଫସଲ ବୀମା ରାଶି ପାଇପାରି ନାହାନ୍ତି । ଏଇ ସଂପର୍କରେ ରାଜ୍ୟ ସରକାର କ୍ରମାଗତ ଭାବେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଅଧୀନସ୍ଥ ବୈଷୟିକ ଉପଦେଷ୍ଟା କମିଟିକୁ ଜଣାଇବା ସହ ଅନୁରୋଧ କରିଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ । ଏହି ପରିପ୍ରେକ୍ଷୀରେ ପରିସ୍ଥିତିର ଗମ୍ଭୀରତା ଓ ମରୁଡ଼ି ପୀଡ଼ିତ କୃଷକଙ୍କ ଦାବି ଏବଂ ଜିଲ୍ଲାପାଳମାନେ ଦେଇଥିବା ଫସଲହାନି ରିପୋର୍ଟକୁ ବିଚାରକୁ ନେଇ ସରକାର ଏହି ସହାୟତା ଘେଷଣା କରିଛନ୍ତି । ବଞ୍ଚିତ ଚାଷୀଙ୍କୁ ରାଜ୍ୟର ନିଜସ୍ୱ ପାଣ୍ଠିରୁ ସହାୟତା ରାଶି ପ୍ରଦାନ କରାଯିବ । ପ୍ରଭାବିତ ଜିଲ୍ଲାରେ କ୍ଷତିଗସ୍ତ ଚାଷୀଙ୍କ କଷ୍ଟ ଦୂର କରିବାକୁ ଏବେ ୨୦୦ କୋଟି ଟଙ୍କାର ଆବଶ୍ୟକତା ରହିଛି ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ଆକଳନ କରାଯାଉଛି ।

Comments are closed, but trackbacks and pingbacks are open.