ୟୁପିଆଇ ପେମେଣ୍ଟରେ ଲାଗିବନି ଚାର୍ଜ ; ସ୍ପଷ୍ଟ କଲା ଏନ୍‌ପିସିଆଇ

27

ନ୍ୟାସନାଲ୍ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ ୟୁପିଆଇ ମାଧ୍ୟମରେ କରାଯାଇଥିବା କାରବାରକୁ ନେଇ ବୁଧବାର ସ୍ପଷ୍ଟୀକରଣ ଦେଇଛି। ଏପ୍ରିଲ୍ ୧, ୨୦୨୩ରୁ ଆଦାୟ ହେବାକୁ ଥିବା କାରବାର ଶୁଳ୍କ ସମ୍ପର୍କରେ ଏନପିସିଆଇ କହିଛି, ୟୁପିଆଇ ପେମେଣ୍ଟ ଉପରେ ଚାର୍ଜ ଆଦାୟ ନେଇ ଯେଉଁ ରିପୋର୍ଟ ପ୍ରକାଶପାଇଛି; ସେଥିରେ ଆଦୌ ସତ୍ୟତା ନାହିଁ । ୟୁପିଆଇ ମାଧ୍ୟମରେ ଗୋଟିଏ ବ୍ୟାଙ୍କ୍ ଆକାଉଣ୍ଟରୁ ଅନ୍ୟ ବ୍ୟାଙ୍କ୍ ଆକାଉଣ୍ଟକୁ ଟଙ୍କା ନେଣଦେଣ ପାଇଁ ଗ୍ରାହକଙ୍କୁ କୌଣସି ଶୁଳ୍କ ଦେବାକୁ ପଡ଼ିବନାହିଁ । ଦେଶରେ ସର୍ବାଧିକ ୯୯.୯ ପ୍ରତିଶତ ୟୁପିଆଇ କାରବାର କେବଳ ବ୍ୟାଙ୍କ୍ ଆକାଉଣ୍ଟ ମାଧ୍ୟମରେ କରାଯାଇଥାଏ । ଏଥିପାଇଁ ବ୍ୟାଙ୍କ୍ କିମ୍ବା ଗ୍ରାହକଙ୍କୁ ୟୁପିଆଇ ଟ୍ରାଞ୍ଜାକ୍ସନ ପାଇଁ କୌଣସି ଦେୟ ଦେବାକୁ ପଡ଼ିବନାହିଁ । ଚାର୍ଜ କେବଳ ପିପିଆଇ(ପ୍ରିପେଡ ପେମେଣ୍ଟ ଇନଷ୍ଟ୍ରୁମେଣ୍ଟସ୍ ମର୍ଚାଣ୍ଟ ଟ୍ରାଞ୍ଜାକ୍ସନ) ଉପରେ ପ୍ରଯୁଜ୍ୟ ହେବ ।

ପ୍ରତ୍ୟେକ ମାସରେ ୮ ବିଲିୟନ ୟୁପିଆଇ କାରବାର ହୋଇଥାଏ । ଦେଶର ଗ୍ରାହକ ଏବଂ ବ୍ୟବସାୟୀମାନଙ୍କ ପାଇଁ ବିନା ମୂଲ୍ୟରେ ପ୍ରକ୍ରିୟାକରଣ କରାଯାଏ । ପୂର୍ବରୁ ସୂଚନା ମିଳିଥିଲା ଯେ ୟୁପିଆଇ ଜରିଆରେ ହେଉଥିବା କାରବାର ଉପରେ ଶୁଳ୍କ ଲାଗୁ କରିବାକୁ ନ୍ୟାସନାଲ୍ ପେମେଣ୍ଟ୍ କର୍ପୋରେସନ ଅଫ୍ ଇଣ୍ଡିଆ (ଏନ୍‌ପିସିଆଇ) ନିଷ୍ପତ୍ତି ନେଇଛି । ପ୍ରିପେଡ୍ ପେମେଣ୍ଟ୍ ଇନଷ୍ଟ୍ରୁମେଣ୍ଟ୍‌କୁ ବ୍ୟବହାର କରି କରାଯାଉଥିବା ୨୦୦୦ ଟଙ୍କାରୁ ଅଧିକ ମୂଲ୍ୟର ୟୁପିଆଇ ମର୍ଚାଣ୍ଟ୍ କାରବାର ଉପରେ ୧.୧ ପ୍ରତିଶତ ଶୁଳ୍କ ଲାଗୁ କରାଯିବ । ଯାହାକୁ ନେଇ ୟୁପିଆଇ ବ୍ୟବହାରକାରୀ ଚିନ୍ତାରେ ପଡ଼ିଯାଇଥିଲେ । ତେବେ ବର୍ତ୍ତମାନ ଏନ୍‌ପିସିଆଇ କୌଣସି ଶୁଳ୍କ ଲାଗୁ କରାଯିବ ନାହିଁ ବୋଲି କହିବା ପରେ ବ୍ୟବହାରକାରୀ ଆଶ୍ୱସ୍ତ ହୋଇଛନ୍ତି ।
ଜଣେ ଉପଭୋକ୍ତା ତାଙ୍କ ପେଟିଏମ୍ ୱାଲେଟ୍‌କୁ ୨,୦୦୦ରୁ ଅଧିକ ପରିମାଣରେ ଲୋଡ୍ କରିବାକୁ ୟୁପିଆଇ ବ୍ୟବହାର କରିବାକ୍ଷେତ୍ରରେ ପିପିଆଇ ପ୍ରଦାନକାରୀ ଯଥା ପେଟିଏମ୍ ବ୍ୟବହାରକାରୀଙ୍କ ବ୍ୟାଙ୍କକୁ ୱାଲେଟ୍‌-ଲୋଡିଂ ସେବା ଚାର୍ଜ ଭାବରେ ୧୫ ବେସିସ୍ ପଏଣ୍ଟ ଦେୟ ଦେବାକୁ ପଡ଼ିବ । ପେଟିଏମ୍‌, ଫୋନ୍ ପେ’, ଆମାଜନ ଆପ୍ ମଧ୍ୟରେ ୱାଲେଟ୍ ସେବା ରହିଛି ।

ଯେପରିକି ପେଟିଏମ୍ ୱାଲେଟ୍‌, ଫୋନ୍ ପେ ୱାଲେଟ୍‌, ଆମାଜନ ପେ ୱାଲେଟ୍ । ସମସ୍ତ ଟ୍ରାଞ୍ଜାକ୍ସନରେ ଏକପ୍ରକାର ଚାର୍ଜ ଲାଗୁହେବନାହିଁ । ଏନ୍‌ପିସିଆଇ ମର୍ଚ୍ଚାଣ୍ଟ କାଟାଗୋରୀ ଓ ଇଣ୍ଟରଚେଞ୍ଜ ଫି’ ରେଞ୍ଜ ନିର୍ଦ୍ଧାରିତ କରିଛି । ଇଣ୍ଟରଚେଞ୍ଜ ଫି’ର ଅର୍ଥହେଉଛି, ଯାହା ରିସିଭର ବ୍ୟାଙ୍କ୍ କିମ୍ବା ପେମେଣ୍ଟ ସର୍ଭିସ୍ ପ୍ରୋଭାଇଡର ମର୍ଚ୍ଚାଣ୍ଟଙ୍କଠାରୁ ନିଆଯାଉଛି । ଏହା ଟ୍ରାଞ୍ଜାକ୍ସନ ଗ୍ରହଣ କରିବା, ପ୍ରୋସେସ୍ କରିବା ଏବଂ ଅଥରାଇଜ୍ କରିବା ଖର୍ଚ୍ଚ ଅସୁଲ କରିବାପାଇଁ ଲଗାଯାଉଛି । ପେମେଣ୍ଟ ସର୍ଭିସ୍ ପ୍ରୋଭାଇଡର ଓ ବ୍ୟାଙ୍କ୍ ରେଭେନ୍ୟୁ ବଢ଼ାଇବା ପାଇଁ ଏପରିକରାଯାଇଛି । ବର୍ତ୍ତମାନ ଭାରତର ୟୁପିଆଇ ପେମେଣ୍ଟ ସିଷ୍ଟମକୁ ସିଙ୍ଗାପୁର, ଆମେରିକା, ଅଷ୍ଟ୍ରେଲିଆ, କାନାଡ଼ା, ହଂକଂ, ଓମାନ, କାତାର, ସାଉଦି ଆରବ, ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଏବଂ ୟୁକେରେ ବ୍ୟବହାର କରାଯାଇପାରିବ । ଏହା ସହିତ, ଏନ୍‌ପିସିଆଇ ଏହାର କନେକ୍‌ଟିଭିଟି ବୃଦ୍ଧି ଦିଗରେ କ୍ରମାଗତ ଭାବରେ କାର୍ଯ୍ୟକରୁଛି । ଆର୍‌ବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଯେ ବିଶ୍ୱସ୍ତରରେ ଭାରତର ୟୁପିଆଇ ପେମେଣ୍ଟ ସିଷ୍ଟମ ଉପରେ ଆଲୋଚନା ହେଉଛି ।

Comments are closed, but trackbacks and pingbacks are open.