ଚରଣଜିତ୍ ସିଂହ ଚନ୍ନି ହେଲେ ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ

21

ଚରଣଜିତ୍ ସିଂହ ଚନ୍ନି ହେଲେ ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ । ଘୋଷଣା କରିଛନ୍ତି ପଞ୍ଜାବ କଂଗ୍ରେସର ପ୍ରଭାରୀ ହରିଶ ରାୱତ। ଚଣ୍ଡିଗଡ଼ରେ ହୋଇଥିବା କଂଗ୍ରେସ ବିଧାୟକ ଦଳର ବୈଠକ ଶେଷ ରେ ଚରଣଜିତ ଙ୍କ ନାଁ ଉପରେ ମୋହର ଲଗାଯାଇଛି।
ଏହା ପୂର୍ବରୁ ସୁଖଜିନ୍ଦର ସିଂହ ରନ୍ଧାୱାଙ୍କ ନାଁ ମୁଖ୍ୟମନ୍ତ୍ରୀ ପାଇଁ ସୁପାରିସ୍ ହୋଇଥିବା ଜଣାପଡ଼ିଥିଲା। କିନ୍ତୁ ଏହାର କିଛି ସମୟ ବ୍ୟବଧାନ ରେ ନୂଆ ମୁଖ୍ୟମନ୍ତ୍ରୀ ଘୋଷଣା ହେବା ସମସ୍ତଙ୍କୁ ଚକିତ କରିଦେଇଛି। ଏ ବିଷୟ ରେ କଂଗ୍ରେସ ସାଧାରଣ ସମ୍ପାଦକ କେସି ଭେଣୁଗୋପାଳ ସୂଚନା ଦେଇଥିଲେ ଯେ ପର୍ଯ୍ୟବେକ୍ଷକ ବିଧାୟକଙ୍କ ସହ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି। ଚରଣଜିତ୍ ସିଂହ ଚନ୍ନି ସନ୍ଧ୍ୟା ୬.୩୦ରେ ରାଜ୍ୟପାଳଙ୍କୁ ଭେଟିବେ।
ଚରଣଜିତ୍ ସିଂହ ଚନ୍ନି ରାଜ୍ୟର ଚମକୌର ସାହିସ ଆସନରୁ କଂଗ୍ରେସର ବିଧାୟକ ଅଛନ୍ତି। ସେ ଦଳିତ ସମ୍ପ୍ରଦାୟରୁ ଆସିଛନ୍ତି। ଚରଣଜିତ୍ ସିଂହ ଶନିବାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା କ୍ୟାପଟେନ୍ ଅମରିନ୍ଦର ସିଂହଙ୍କର ଘୋର ବିରୋଧୀ ବୋଲି କୁହାଯାଉଛି।
ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ପ୍ରବଳ ଦାବିବାର କୁହାଯାଉଥିବା ସୁଖଜିନ୍ଦର ସିଂହ ରନ୍ଧାୱା ନୂଆ ମୁଖ୍ୟମନ୍ତ୍ରୀ ଘୋଷଣା ପରେ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଏହା ହାଇକମାଣ୍ଡଙ୍କ ନିଷ୍ପତ୍ତି। ଏହାକୁ ମୁଁ ସ୍ୱାଗତ କରୁଛି।
ମୁଖ୍ୟମନ୍ତ୍ରୀ ପଦ ପାଇଁ ଅନେକ ନାଁ ଉପରେ ଚର୍ଚ୍ଚା ଚାଲିଥିଲା। ସର୍ବପ୍ରଥମେ ରାହୁଲ୍ ଗାନ୍ଧିଙ୍କ ଅତି ଘନିଷ୍ଠ ଓ ପଞ୍ଜାବର ପୂର୍ବତନ କଂଗ୍ରେସ ମୁଖ୍ୟ ସୁନୀଲ୍ ଜାଖରଙ୍କ ନାଁ ସାମ୍ନାକୁ ଆସିଥିଲା। ଏହା ପରେ କଂଗ୍ରେସ ହାଇକମାଣ୍ଡ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଅମ୍ବିକା ସୋନୀଙ୍କୁ ଆଉ କିଛି ଦିନ ପାଇଁ ଦାୟିତ୍ୱ ନେବାକୁ କହିଥିଲା। ହେଲେ ସେ ସିଧାସଳଖ ମନା କରିଦେଇଥିଲେ।
ସୂଚନାଯୋଗ୍ୟ,ଦଳୀୟ ଅସନ୍ତୋଷ ଓ ପଞ୍ଜାବ କଂଗ୍ରେସ ମୁଖ୍ୟ ନବଜୋତ ସିଂହ ସିଦ୍ଧୁଙ୍କ ସହ କଳହ ଯୋଗୁଁ , ଶନିବାର କ୍ୟାପଟେନ୍ ଅମରିନ୍ଦର ସିଂହ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଏବଂ ତାଙ୍କ ଇସ୍ତଫା ପତ୍ରକୁ ରାଜ୍ୟପାଳ ଗ୍ରହଣ ମଧ୍ୟ କରିଥିଲେ।

Leave A Reply

Your email address will not be published.