ଦେଶର ପରବର୍ତ୍ତୀ ସ୍ଥଳସେନା ମୁଖ୍ୟ : ଚର୍ଚ୍ଚାରେ ଓଡ଼ିଆ ପୁଅ ଚଣ୍ଡୀ ପ୍ରସାଦ ମହାନ୍ତି

18

ଗତ ୦୮-୧୨-୨୧ ରେ ତାମିଲନାଡୁ ର କୁନ୍ନୁର ଠାରେ ଏକ ମର୍ମନ୍ତୁଦ ହେଲିକପ୍ଟର ଦୁର୍ଘଟଣାରେ ଦେଶର ପ୍ରଥମ ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌ (ସିଡିଏସ୍‌) ଜେନେରାଲ ବିପିନ ରାୱତଙ୍କ ଅକାଳ ବିୟୋଗ ଘଟିଛି I ଏହାପରେ ମୋଦି ସରକାର ତାଙ୍କ ପରବର୍ତ୍ତୀ ଉତ୍ତରାଧିକାରୀ ଚୟନ ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଖୁବଶୀଘ୍ର ଏନେଇ ନିଷ୍ପତ୍ତି ନିଆଯିବାର ସମ୍ଭାବନା ରହିଛି । ବର୍ତ୍ତମାନର ସେନା ମୁଖ୍ୟ ଏମ୍‌.ଏମ୍‌. ନରୱାଣେଙ୍କ ନାମ ଏହି ପଦ ପାଇଁ ସର୍ବାଗ୍ରେ ରହିଛି । ନରୱାଣେ ଯଦି ସିଡିଏସ୍‌ ହୁଅନ୍ତି ତେବେ ସେନା ଉପମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ୍‌ ଚଣ୍ଡୀ ପ୍ରସାଦ ମହାନ୍ତି ପରବର୍ତ୍ତୀ ସେନା ମୁଖ୍ୟ ହେବେ ବୋଲି ଚର୍ଚ୍ଚା ହେଉଛି । ସମ୍ପ୍ରତି ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡୀ ପ୍ରସାଦ ମହାନ୍ତି ସ୍ଥଳ ସେନା ଉପମୁଖ୍ୟ ଭାବରେ ଗତ ଫେବୃଆରୀ ପହିଲାରୁ କାର୍ଯ୍ୟରତ ଅଛନ୍ତି ଇ ଏହାପୂର୍ବରୁ ସେ ଭାରତୀୟ ସେନାର ଦକ୍ଷିଣ କମାଣ୍ଡର ଜେନେରାଲ୍‌ ଅଫିସର କମାଣ୍ଡିଂ ଚିଫ୍‌ ଥିଲେ ।
ସୂତ୍ରରୁ ଜଣାପଡ଼ିଛି ଯେ, ବର୍ତ୍ତମାନର ସେନା ମୁଖ୍ୟ ଏମ୍‌.ଏମ୍‌. ନରୱଣେଙ୍କ ନାମ ସିଡିଏସ୍‌ ପଦ ପାଇଁ ସର୍ବାଗ୍ରେ ରହିଛି । ନରୱାଣେ ଜଣେ ଅତି ଦକ୍ଷ ଓ ଅଭିଜ୍ଞ ଅଧିକାରୀ । ଚୀନ୍‌ ଓ ପାକିସ୍ତାନ ସୀମାର ପରିସ୍ଥିତି ସହ ନରୱାଣେ ଅତ୍ୟନ୍ତ ସୁପରିଚିତ । ସାମରିକ ସ୍ତରରେ ଚୀନ୍‌ ସୀମା ସମସ୍ୟାର ସମାଧାନ ନିମନ୍ତେ ଏବେ ଚାଲିଥିବା କଥାବାର୍ତ୍ତା ତାଙ୍କ ତତ୍ତ୍ୱାବଧାନରେ ହେଉଛି । ଏପରି ସ୍ଥଳେ ସିଡିଏସ୍‌ ପଦ ପାଇଁ ତାଙ୍କୁସର୍ବାଧିକ ଯୋଗ୍ୟ ବ୍ୟକ୍ତି ଭାବେ କୁହାଯାଉଛି ।
ଏହାଛଡ଼ା ସେ ମଧ୍ୟ ସିଡିଏସ୍‌ ବିପିନ୍‌ ରାୱତ୍‌ଙ୍କୁ ସହଯୋଗ କରି ଦେଶର ସାମରିକ ସ୍ତରରେ ଆରମ୍ଭ ହୋଇଥିବା ସଂସ୍କାରମୂଳକ ପଦକ୍ଷେପ କାର୍ଯ୍ୟକାରୀ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଆସିଛନ୍ତି । ଉତ୍ତରପ୍ରଦେଶର ଏକ ଜନସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ସ୍ପଷ୍ଟ କରିଛନ୍ତି ଯେ ବିପିନ୍‌ ରାୱତଙ୍କ ନିଧନ ସତ୍ତେ୍ୱ ସେ ଯେଉଁ ସଂସ୍କାରମୂଳକ କାର୍ଯ୍ୟ ଆରମ୍ଭ କରିଥିଲେ ତାହା ପୂର୍ବଭଳି ଜାରି ରହିବ । ଉଚ୍ଚସ୍ତରୀୟ ସରକାରୀ ସୂତ୍ରରୁ କୁହାଯାଉଛି ଯେ ସେନା ମୁଖ୍ୟ ନରୱାଣେ ଏହି କାର୍ଯ୍ୟ ଅତ୍ୟନ୍ତ ପ୍ରଭାବଶାଳୀ ଢ଼ଙ୍ଗରେ ତୁଲାଇ ପାରିବେ ।
ଯଦି ନରୱଣେ ଦେଶର ପରବର୍ତ୍ତୀ ସିଡିଏସ୍‌ ହେବେ, ତେବେ ବର୍ତ୍ତମାନର ସେନା ଉପାଧ୍ୟକ୍ଷ ଚଣ୍ଡୀ ପ୍ରସାଦ ମହାନ୍ତି ପରବର୍ତ୍ତୀ ସେନା ମୁଖ୍ୟ ହେବାର ଯଥେଷ୍ଟ ସମ୍ଭାବନା ରହିଛି ।
ପିଭିଏସ୍‌ଏମ୍‌, ଏଭିଏସ୍‌ଏମ୍‌, ଏସ୍‌ଏମ୍‌, ଭିଏସ୍‌ଏମ୍‌ ଲେଫ୍ଟନାଣ୍ଟ ଜେନେରାଲ୍‌ ଚଣ୍ଡୀ ପ୍ରସାଦ ମହାନ୍ତି ଡେରାଡୁନ୍‌ର ରାଷ୍ଟ୍ରୀୟ ମିଲିଟାରୀ କଲେଜରୁ ଶିକ୍ଷାପ୍ରାପ୍ତ କରିବା ପରେ ନ୍ୟାସନାଲ୍‌ ଡିଫେନ୍ସ ଏକାଡେମୀରେ ଯୋଗ ଦେଇଥିଲେ । ସେ ମଧ୍ୟ ୱେଲିଂଣ୍ଟନ୍‌ସ୍ଥିତ ଡିଫେନ୍ସ ସର୍ଭିସେସ୍‌ ଷ୍ଟାଫ୍‌ କଲେଜର ଜଣେ ଗ୍ରାଜୁଏଟ୍‌ । ସେ ଭାରତୀୟ ସେନାରେ ୧୯୮୨ରେ ଯୋଗ ଦେଇଥିଲେ । ତାଙ୍କୁ ଦେଶ ର ଏହି ଗୁରୁତ୍ତ୍ଵ ପୂର୍ଣ୍ଣ ପଦ ମିଳିଲେ ସେ ପ୍ରଥମ ଓଡ଼ିଆ ଭାବରେ ଏହି ଗୁରୁତ୍ତ୍ୱପୂର୍ଣ୍ଣ ପଦବୀରେ ଅଧିଷ୍ଠିତ ହେବେ I

Leave A Reply

Your email address will not be published.