ଛାଡଖାଇ : ଆମିଷ ବଜାରରେ ଲାଗିଛି ନିଆଁ

78

ଭୁବନେଶ୍ୱର: ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ପରେ ଆଜି ପାଳନ ହେଉଛି ଅସଲ ଛାଡ଼ଖାଇ । ପୂର୍ଣ୍ଣିମା ପରଦିନ ମଙ୍ଗଳବାରରେ ପଡ଼ୁଥିବାରୁ ଆଜି ବୁଧବାରରେ ଲୋକମାନେ ଛାଡ଼ଖାଇ ପାଳନ କରୁଛନ୍ତି । ଗାଁରୁ ସହର ଚାରିଆଡ଼େ କବଳିତ ହେବ ଆମିଷ ତରକାରୀ ବାସ୍ନା । ଏ ନେଇ ଆଜି ଆମିଷ ବଜାରରେ ଲାଗିଛି ନିଆଁ । ଲୋକଙ୍କ ଖଚାଖଚ ଭିଡ଼ ସାଙ୍ଗକୁ ଜମିଛି କିଣିବିକା । ଏଥିଲାଗି ଆଜି ମଟନ୍, ଚିକେନ୍ ଓ ମାଛ ଦୋକାନରେ ଅସମ୍ଭାଳ ଭିଡ଼ ପରିଲକ୍ଷିତ ହେଉଛି ।

ଏପରିକି ରାଜଧାନୀରେ ଆଜି କୋଟି କୋଟି ଟଙ୍କାର ଆମିଷ କାରବାର ହେବ ବୋଲି ଆକଳନ କରାଯାଇଛି । ବୁଧବାର ଭୋରୁ ଲୋକେ ବିଭିନ୍ନ ଅଞ୍ଚଳରେ ଆମିଷ ମାର୍କେଟରେ ଭିଡ଼ ଜମାଇଛନ୍ତି । ଏପରିକି ଗ୍ରାହହଙ୍କ ଭିଡ ଓ ଚାହିଦା ଅନୁସାରେ, ରାଜଧାନୀରେ ଆମିଷ ଦର ବି ଟିକେ ଉଚ୍ଚା ରହିଛି । ୟୁନିଟ୍-4 ମାର୍କେଟରେ ଆଜି ମଟନ୍ ଦର କିଲୋ ପ୍ରତି 900 ଟଙ୍କା ଥିବା ବେଳେ କଙ୍କଡ଼ା 1200 ରୁ 1800 ଟଙ୍କା ରହିଛି । ଏପରିକି ଚିଙ୍ଗୁଡ଼ି ଦର ହଜାରେ ପାର୍ । ତେବେ ମାଛ ଦରରେ ଗତକାଲି ତୁଳନାରେ ବିଶେଷ ଫରକ୍ ନାହିଁ ।

ଛାଡଖାଇରେ ଭଲ ବ୍ୟବସାୟ ହେବ ବୋଲି ଆଶା ରଖିଛନ୍ତି ବ୍ୟବସାୟୀ । ସବୁଠୁ ବଡ଼ କଥା ହେଲା, ଗତକାଲି ମଙ୍ଗଳବାର ଥିବାରୁ କେତେକ ଲୋକେ ଆଜି ଆମିଷ କିଣୁଛନ୍ତି । ଫଲରେ ଭଲ ଦୁଇ ପଇସା ବ୍ୟବସାୟ ଆଶା ରଖିଛନ୍ତି ବ୍ୟବସାୟୀ । ବେପାରୀମାନେ ବି ବୁଧବାରକୁ ଦେଖି ସେହି ଅନୁସାରେ ମାଲ୍ ବରାଦ କରି ରଖିଥିଲେ । ଓଡ଼ିଶା ଛେଳି ଯଥେଷ୍ଟ ହେବ ନାହିଁ ବୋଲି ପୂର୍ବରୁ ପଶ୍ଚିମବଙ୍ଗରୁ ଛେଳି ଚାଲାଣ ହୋଇଥିଲା । ସେହିଭଳି ଆନ୍ଧ୍ରପ୍ରଦେଶରୁ ମାଛ ଓ ଚିକେନ୍ କିଛିଟା ଅଧିକ ପରିମାଣରେ ଆମଦାନି ହୋଇଥିବା ଜଣାଯାଇଛି ।

Comments are closed, but trackbacks and pingbacks are open.