ରାଜ୍ୟରେ ଶ୍ରେୟ ନେବାକୁ କେନ୍ଦ୍ରର ରଣନୀତି

31

ଦୁଇଟଙ୍କିଆ ଓ ଟଙ୍କିକିଆ ଚାଉଳ ବାଂଟି ସାଧାରଣ ନିର୍ବାଚନରେ ଭୋଟରଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିଥିବା ଶାସକ ବିଜେଡି ପାଇଁ ଏବେ କେନ୍ଦ୍ର ସରକାରଙ୍କ ମାଗଣା ଚାଉଳ ବଂଟନ ସ୍କିମ୍ ଅଡ଼ୁଆ ସୃଷ୍ଟି କରିଛି । ଆଉ କେନ୍ଦ୍ର ସରକାର ଦେଉଥିବା ମାଗଣା ଚାଉଳରୁ ନିଜର ରାଜନୀତିକ ଫାଇଦା ନେବାକୁ ରାଜ୍ୟ ବିଜେପି ଏବେ ରଣନୀତି ପ୍ରସ୍ତୁତ କରିଥିବା ଜଣାପଡ଼ିଛି ।

ମାଗଣା ଚାଉଳ ବଂଟା ସ୍କିମକୁ ନେଇ ବିଜେପିର ଆକ୍ରମଣାତ୍ମକ ଆଭିମୁଖ୍ୟକୁ ଦେଖି ବିଜେଡି ଏବେ ବ୍ୟାକଫୁଟରେ ଥିବା ଜଣାପଡ଼ିଛି । ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଓଡ଼ିଶାର ୩.୨୫କୋଟି ଲୋକଙ୍କୁ ମୋଦି ସରକାର ମାଗଣା ଚାଉଳ ଯୋଗାଇ ଦେଉଛନ୍ତି । ରାଜ୍ୟ ସରକାର ଏହାକୁ ଠିକ୍ ଭାବେ ବିତରଣ କରନ୍ତୁ । ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀଙ୍କୁ ଦିଆଯାଉଥିବା ଖାଦ୍ୟଶସ୍ୟର ୯୦ରୁ ୯୫ ପ୍ରତିଶତ ମୋଦି ସରକାର ଦେଉଥିବାବେଳେ ଅବଶିଷ୍ଟ ରାଜ୍ୟ ସରକାର ଦେଉଥିଲେ । ଓଡ଼ିଶାର ସାଢ଼େ ୪କୋଟି ଲୋକଙ୍କ ମଧ୍ୟରୁ ୩.୨୫କୋଟି ଲୋକଙ୍କୁ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାର ସୁବିଧା ଯୋଗାଇ ଦିଆଯାଉଛି । ଏବେ ଚାଉଳର ବଜାର ମୂଲ୍ୟ କିଲୋ ପିଛା ୩୭.୨୮ଟଙ୍କା ଥିବାବେଳେ ଓଡ଼ିଶାରେ ମାଗଣା ଚାଉଳ ବଂଟନ ବାବଦରେ କେନ୍ଦ୍ର ସରକାର ମାସିକ ୭୦୦କୋଟି ଟଙ୍କା ଓ ବାର୍ଷିକ ୮୪୦୦କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ମାତ୍ର ରାଜ୍ୟ ସରକାର ନିଜସ୍ୱ ଖାଦ୍ୟ ଯୋଜନାରେ ମାତ୍ର ୧୮୫କୋଟି ଟଙ୍କା ଦେଉଛନ୍ତି । ମୋଦି ସରକାର ଓଡ଼ିଶାରେ ପ୍ରାୟ ୮୦ ଭାଗ ଲୋକଙ୍କୁ ବିନା ମୂଲ୍ୟରେ ଖାଦ୍ୟ ସୁରକ୍ଷା ଯୋଗାଇ ଦେଉଛନ୍ତି ।

ସୂଚନାଯୋଗ୍ୟ, ଏବେ ଦେଶରେ ୮୧.୩୫କୋଟି ଲୋକଙ୍କୁ ମାଗଣାରେ ମାସିକ ୫କିଲୋ ଚାଉଳ ଦେବା ପାଇଁ କେନ୍ଦ୍ର କ୍ୟାବିନେଟ୍ ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ର ସରକାର ମାଗଣା ଚାଉଳ ବଂଟନ କରିବାକୁ ନିଷ୍ପତ୍ତି ନେବାପରେ ରାଜ୍ୟରେ ବିଜେପି ଏହି ପ୍ରସଙ୍ଗକୁ ନେଇ ଲୋକଙ୍କ ନିକଟତର ହେବାକୁ ରଣନୀତି ପ୍ରସ୍ତୁତ କରିଛି ।

Comments are closed, but trackbacks and pingbacks are open.