ରଖେ ହରି ତ’ ମାରେ କିଏ,ଖୁବ ଧୂମଧାମ ରେ ପାଳନ ହେଲା ‘ବିଜୟିନୀ’ର ଏକୋଶିଆ

1,585

ବୁର୍ଲା : ଭିମସାର ଆଜି ଉତ୍ସବ ମୁଖର I ଡାକ୍ତରଙ୍କ ଠାରୁ ନର୍ସଙ୍କ ଯାଏଁ ସମସ୍ତଙ୍କ ମୁହଁ ହସ ହସ I କାହିଁକି ବା ନ ହେବ ଡାକ୍ତରଙ୍କର ଅକ୍ଲାନ୍ତ ପରିଶ୍ରମ ଫଳରେ ଜୀବନ ଯୁଦ୍ଧରେ ଜିତିଯାଇଛି ‘ବିଜୟିନୀ’ I ଆଜ୍ଞା ହଁ,ଆମେ ସେହି କୁନି ଝିଅ କଥା କହୁଛୁ I ମାତ୍ର ୨ ଦିନର ଏକ କଅଁଳ ନିଷ୍ପାପ ଶିଶୁକୁ କେଉଁ ଏକ ଅଵିଵେକୀ ସୈତାନ ରୂପୀ ମଣିଷ ବୋରୱେଲ ଭିତରେ ଫୋପାଡ଼ି ଦେଇ ଚାଲି ଯାଇଥିଲା I ଆଜି ସେହି ଶିଶୁର ଏକୋଶିଆ ବୁର୍ଲା ସ୍ଥିତ ଭିମସାରରେ ପାଳନ କରାଯାଉଛି I ଆଉ ଜୀବନକୁ ଜିତି ଯାଇଥିବାରୁ ସେଇ କୁନି ଝିଅର ନାମକରଣ କରାଯାଇଛି ‘ବିଜୟିନୀ’ I ଆଜିକୁ ୨୧ ଦିନ ହେବ ‘ବିଜୟିନୀ’ ଭିମସାରରେ ଚିକିତ୍ସିତ ରହିଛି ଇ ବର୍ତ୍ତମାନ ତା’ର ସ୍ୱାସ୍ଥ୍ୟରେ ସୁଧାର ଆସିଛି I

ଘଟନାନୁସାରେ,ଗତ ଡିସେମ୍ବର ୧୨ ତାରିଖରେ ସମ୍ବଲପୁର ଜିଲ୍ଲା ରେଙ୍ଗାଲି ନିକଟ ଲରିପାଲି ଜଙ୍ଗଲରୁ ଏକ ପରିତ୍ୟକ୍ତ ବୋରୱେଲ ଭିତରୁ ଜଣେ ନବଜାତକର କାନ୍ଦ ସ୍ଥାନୀୟ ଲୋକେ ଶୁଣିବାକୁ ପାଇଥିଲେ I ବୋରୱେଲ ର ୧୫ ଫୁଟ ଭିତରେ ପିଲାଟି ଫସି ରହିଥିଲା I ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ସେଠାକାର ପ୍ରଶାସନ ପିଲାଟିକୁ ଉଦ୍ଧାର କରିବା ପାଇଁ ତତ୍ପର ହୋଇ ଉଠିଥିଲେ I ସ୍ଥାନୀୟ ଲୋକେ,ପ୍ରଶାସନ ଓଡ୍ରାଫ୍, ଅଗ୍ନୀଶମ ବାହୀନୀଙ୍କ ସାତ ଘଣ୍ଟାର ସଂଘର୍ଷ ପରେ ଶିଶୁକୁ ବୋରୱେଲ ଭିତରୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଥିଲା । ଏହାପରେ ଉଦ୍ଧାର ହୋଇଥିବା ଶିଶୁ କନ୍ୟାର ଚିକିତ୍ସା ବୁର୍ଲା ବଡ଼ ଡାକ୍ତରଖାନାର SNCUରେ ଜାରି ରହିଥିଲା। ତେବେ ବର୍ତ୍ତମାନ ଶିଶୁଟି ସୁସ୍ଥ ରହିଥିବାବେଳେ,ତା’ର ଓଜନ ମଧ୍ୟ ବୃଦ୍ଧି ପାଇଛି I ଆଜି ଡାକ୍ତରଖାନା ପକ୍ଷରୁ ତା’ର ଏକୋଇଶିଆ ପାଳନ କରାଯାଇଥିଲା। Iଏଥିରେ ଡାକ୍ତରମାନେ ମଧ୍ୟ ସାମିଲ ହୋଇଥିଲେ। ଏହି ଅବସରରେ ଭିମସାର SNCU କୁ ବେଲୁନ ଓ ଫୁଲମାଳରେ ସଜା ଯାଇଥିଲା କେକ୍‌ କଟା ଯାଇଥିଲା ଓ ମିଠା ବଣ୍ଟା ଯାଇଥିଲା।

Comments are closed, but trackbacks and pingbacks are open.