ପ୍ରତ୍ୟକ୍ଷ ଟିକସ ପ୍ରସଙ୍ଗରେ ସିବିଡିଟି ରିପୋର୍ଟ: ଏପର୍ଯ୍ୟନ୍ତ ଆଦାୟ ହୋଇଛି ୧୩.୬୩ ଲକ୍ଷ କୋଟି

26

ନୂଆଦିଲ୍ଲୀ : ଚଳିତ ଆର୍ଥିକ ବର୍ଷର ନଭେମ୍ବର ଶେଷ ସୁଦ୍ଧା ଟିଡିଏସ୍ ଏବଂ କର୍ପୋରେଟ୍ ଆଡ୍‌ଭାନ୍ସଡ୍ ଟିକସକୁ ମିଶାଇ ଦେଶରେ ପ୍ରତ୍ୟକ୍ଷ ଟିକସ ବାବଦରେ ମୋଟ ୧୩.୬୩ ଲକ୍ଷ କୋଟି ଟଙ୍କା ଆଦାୟ ହୋଇସାରିଛି ବୋଲି ସିବିଡିଟି (ସେଣ୍ଟ୍ରାଲ ବୋର୍ଡ ଫର୍ ଡାଇରେକ୍ଟ ଟ୍ୟାକ୍ସେସ୍‌) ସୂତ୍ରରୁ ଜଣାପଡିଛି । ଏହି ପରିମାଣ ଧାର୍ଯ୍ୟ ଲକ୍ଷ୍ୟଠାରୁ ୨୬ ପ୍ରତିଶତ ଅଧିକ ବୋଲି କୁହାଯାଇଛି । ତେବେ ଆୟକର ରିଫଣ୍ଡ୍ ଅର୍ଥକୁ ଆଡ୍‌ଜଷ୍ଟ କରାଯିବାପରେ ଏ ବାବଦ ଆୟ ୧୧.୩୫ ଲକ୍ଷ କୋଟି ଟଙ୍କା ବୋଲି କୁହାଯାଇଛି । ୨୦୨୨-୨୩ ଆର୍ôଥକବର୍ଷ ପାଇଁ ଧାର୍ଯ୍ୟ ହୋଇଥିବା ପ୍ରତ୍ୟକ୍ଷ ଟିକସ ବାବଦ ଆୟର ଏହା ୮୦ ପ୍ରତିଶତ ପୂରଣ କରିସାରିଛି । ସୂଚନାଯୋଗ୍ୟ ଚଳିତ ବଜେଟ୍‌ରେ ଏହି ପରିମାଣ ୧୪.୨୦ ଲକ୍ଷ କୋଟି ଟଙ୍କା ଧାର୍ଯ୍ୟ କରାଯାଇଥିଲା । ୨୦୨୧-୨୨ ଆର୍ôଥକବର୍ଷରେ ଏ ବାବଦରେ ମୋଟ ୧୪.୧୦ ଲକ୍ଷ କୋଟି ଟଙ୍କା ଆଦାୟ କରାଯାଇଥିଲା । ଆୟକର ଏବଂ କର୍ପୋରେଟ୍ ଟିକସକୁ ପ୍ରତ୍ୟକ୍ଷ ଟିକସଭାବେ ବିବେଚନା କରାଯାଇଥାଏ । ଅପରପକ୍ଷରେ ୨୦୨୨ ଡିସେମ୍ବର ୧୭ ସୁଦ୍ଧା ଆୟକର ରିଫଣ୍ଡ ବାବଦରେ ୨.୨୮ ଲକ୍ଷ କୋଟି ଟଙ୍କା ଆଡଜଷ୍ଟ କରାଯାଇଛି ଯାହା ଗତବର୍ଷ ତୁଳନାରେ ୬୮ ପ୍ରତିଶତ ଅଧିକ । ପ୍ରତ୍ୟକ୍ଷ ଟିକସ ବାବଦରେ ଚଳିତ ଡିସେମ୍ବର ୧୭ ସୁଦ୍ଧା ଆଦାୟ ହୋଇଥିବା ୧୩,୬୩,୬୪୯ କୋଟି ଟଙ୍କା ମଧ୍ୟରୁ କର୍ପୋରେଟ୍ ଟିକସ ପରିମାଣ ୭.୨୫ ଲକ୍ଷ କୋଟି ଏବଂ ଆୟକର ପରିମାଣ ୬.୩୫ ଲକ୍ଷ କୋଟି ଟଙ୍କା ବୋଲି ସିବିଡିଟି ସୂତ୍ରରୁ ଜଣାପଡିଛି । କୋଭିଡ୍ ପରେ କମ୍ପାନୀ ଓ ବ୍ୟକ୍ତିବିଶେଷଙ୍କ ଆୟ ଯଥେଷ୍ଟ ବୃଦ୍ଧି ପାଇଥିବା ଏଥିରୁ ପ୍ରମାଣିତ ହୋଇଛି ବୋଲି ସିବିଡିଟି କର୍ତ୍ତପକ୍ଷ କହିଛନ୍ତି । ପୁନଶ୍ଚ ଏହି ରାଜସ୍ୱ ମଧ୍ୟରେ ଅଗ୍ରୀମ ଟିକସ ଆଦାୟ ପରିମାଣ ୫.୨୧ ଲକ୍ଷ କୋଟି, ଟିଡିଏସ୍ ୬.୪୪ ଲକ୍ଷ କୋଟି ଏବଂ ସେଲ୍‌ଫ ଆସେସ୍‌ମେଣ୍ଟ ଟିକସ ବାବଦରେ ୧.୪୦ ଲକ୍ଷ କୋଟି ଟଙ୍କା ସାମିଲ ରହିଛି ।

Comments are closed, but trackbacks and pingbacks are open.