ସେପ୍ଟେମ୍ବରରେ କାଜୁ ରପ୍ତାନି ୩୮% କମିଛି

21

ମୁମ୍ବାଇ: ଚଳିତବର୍ଷ ସେପ୍ଟେମ୍ବରରେ ଦେଶରେ କାଜୁ ରପ୍ତାନି ପରିମାଣ ୩୮ ପ୍ରତିଶତ ହ୍ରାସ ପାଇଥିବା ଜଣାପଡିଛି । ଏ ବାବଦରେ କାଜୁ ବ୍ୟବସାୟୀଙ୍କୁ ୨୨.୭୧ ନିୟୁତ ଡଲାର କ୍ଷତି ସହିବାକୁ ପଡିଛି । ବାଣିଜ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁଯାୟୀ ୨୦୨୧ ନଭେମ୍ବରରୁ କାଜୁ ରପ୍ତାନି ନିମ୍ନଗାମୀ ହେବାରେ ଲାଗିଛି । ଚଳିତବର୍ଷ ଏପ୍ରିଲରେ କାଜୁ ରପ୍ତାନି ୩୪ ପ୍ରତିଶତ ହ୍ରାସ ପାଇଥିବାବେଳେ ମେ’ରେ ୩୦, ଜୁନ୍‌ରେ ୬, ଜୁଲାଇରେ ୨୭ ଓ ଅଗଷ୍ଟରେ ୩୧.୫ ପ୍ରତିଶତ ହ୍ରାସ ପାଇଥିଲା । କେନ୍ଦ୍ର ସରକାରଙ୍କ ପକ୍ଷରୁ ‘ବିଶେଷ କୃଷି ଓ ଗ୍ରାମଦ୍ୟୋଗ ଯୋଜନା’ରେ ପ୍ରଚଳିତ ରପ୍ତାନିଜନିତ ରିହାତି ବ୍ୟବସ୍ଥା ପ୍ରତ୍ୟାହାର କରାଯାଇଥିବାରୁ ଏହାର ପ୍ରଭାବ କାଜୁ ରପ୍ତାନି ଉପରେ ପଡୁଛି ବୋଲି ‘କର୍ଣ୍ଣାଟକ କାଜୁ ନିର୍ମାତା ସଂଘ’ର ଉପସଭାପତି ତୁକାରାମ ପ୍ରଭୁ କହିଛନ୍ତି । ବିଶ୍ୱ ମାର୍କେଟରେ ଭାରତୀୟ କାଜୁର ବେଶ ଚାହିଦା ଥିବା ସତ୍ତ୍ୱେ ଭାରତ ସରକାରଙ୍କ ଏଭଳି ନୀତି ଯୋଗୁଁ ବ୍ୟବସାୟ କ୍ଷତିଗ୍ରସ୍ତ ହେଉଥିବା ସେ ଅଭିଯୋଗ କରିଛନ୍ତି । ବିଶ୍ୱର ବୃହତ୍ତମ କାଜୁ ରପ୍ତାନିକାରୀ ରାଷ୍ଟ୍ର ଭିଏତନାମରେ ଉତ୍ପାଦିତ କାଜୁ ତୁଳନାରେ ଭାରତୀୟ କାଜୁର ମାନ ଅଧିକ ଉନ୍ନତ ହୋଇଥିବା ସତ୍ତ୍ୱେ ଆନ୍ତର୍ଜାତିକ ମାର୍କେଟରେ ଆମେ ପ୍ରତିଦ୍ୱନ୍ଦ୍ୱିତା କରିପାରୁନାହୁଁ ବୋଲି ପ୍ରଭୁ କହିଛନ୍ତି । ଭାରତରେ ବର୍ଷକୁ ୩.୫ରୁ ୩.୭ ଲକ୍ଷ ଟନ୍ କାଜୁ ଉତ୍ପାଦିତ ହୋଇଥାଏ । ଅପରପକ୍ଷରେ ରପ୍ତାନି ମୂଲ୍ୟ ତୁଳନାରେ ଭାରତର ଘରୋଇ ମାର୍କେଟରେ କାଜୁର ମୂଲ୍ୟ ଅଧିକ ହୋଇଥିବାରୁ ବ୍ୟବସାୟୀମାନେ ରପ୍ତାନି ପାଇଁ ବିଶେଷ ଆଗ୍ରହ ପ୍ରକାଶ କରୁନଥିବା କୁହାଯାଇଛି । ଭିଏତନାମ ତୁଳନାରେ ଭାରତରେ କାଜୁର ପ୍ରୋସେସିଂ ଖର୍ଚ୍ଚ ଯଥେଷ୍ଟ ଅଧିକ । ଭିଏତନାମରେ ମେସିନ ଦ୍ୱାରା ପ୍ରୋସେସିଂ କରାଯାଉଥିବାବେଳେ ଭାରତରେ ଶ୍ରମିକମାନେ ହାତରେ ଏହି କାର୍ଯ୍ୟ ସମ୍ପାଦନ କରୁଛନ୍ତି । ଭାରତରେ ୮୦ କିଲୋ କାଜୁ ବସ୍ତାର ପ୍ରୋସେସିଂ ଖର୍ଚ୍ଚ ପ୍ରାୟ ୩୬୦୦ ଟଙ୍କା ରହିଥିବାବେଳେ ଭିଏତନାମରେ ଏହା ମାତ୍ର ୮୦୦ ଟଙ୍କାରେ ହୋଇପାରୁଛି । ଭାରତର ପାଇକାରୀ (ହୋଲସେଲ) ମାର୍କେଟରେ କାଜୁ କିଲୋ ପିଛା ୬୩୦ ଟଙ୍କା ଥିବାବେଳେ ରପ୍ତାନି ମୂଲ୍ୟ ୫୬୦ ଟଙ୍କା ରହିଛି । ଚଳିତବର୍ଷ ଏପ୍ରିଲ-ଅଗଷ୍ଟରେ ଭାରତରେ କାଜୁ ରପ୍ତାନି ୨୫.୧୬ ପ୍ରତିଶତ ହ୍ରାସ ପାଇଥିବା କୁହାଯାଇଛି ।

Comments are closed, but trackbacks and pingbacks are open.