୮ ବିଜେଡି ବିଧାୟକଙ୍କ ସଭ୍ୟପଦ ରଦ୍ଦ ମାମଲା: ସେପ୍ଟେମ୍ବର ୨୯ରେ ପରବର୍ତ୍ତୀ ଶୁଣାଣି

23

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନରେ ଦଳୀୟ ହ୍ୱିପ୍‌ ଅମାନ୍ୟ କରି କ୍ରସ୍‌ ଭୋଟିଂ କରିଥିବା ଅଭିଯୋଗରେ ୮ ଜଣ ବିଜେଡି ବିଧାୟକଙ୍କ ସଭ୍ୟପଦ ରଦ୍ଦ ପ୍ରସଙ୍ଗ ଏବେ ହାଇକୋର୍ଟରେ ପହଞ୍ଚିଛି। ବିଜେଡି ପକ୍ଷରୁ ଦାୟର ହୋଇଥିବା ମାମଲାକୁ ହାଇକୋର୍ଟ ବିଚାର ପାଇଁ ଗ୍ରହଣ କରିଥିବା ବେଳେ ପ୍ରତିପକ୍ଷଙ୍କୁ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମାନ୍ୟବର ବିଚାରପତି ଜଷ୍ଟିସ ଆର୍‌.କେ. ପଟ୍ଟନାୟକଙ୍କ କୋର୍ଟରେ ଏହି ମାମଲାର ଶୁଣାଣି ହୋଇଥିବା ବେଳେ ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୨୯ ତାରିଖକୁ ଧାର୍ଯ୍ୟ କରାଯାଇଛି। ବିଜେଡି ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଏହି ମାମଲା ଦାୟର କରିଛନ୍ତି। ଏଥିରେ ବିଧାୟକ ରମାକାନ୍ତ ଭୋଇ, ସୁବାସିନୀ ଜେନା, ନବକିଶୋର ମଲ୍ଲିକ, ଚକ୍ରମଣି କଅଁର, ସୌଭିକ ବିଶ୍ୱାଳ, ଦେବୀରଞ୍ଜନ ତ୍ରିପାଠୀ, ଅରବିନ୍ଦ ମହାପାତ୍ର ଓ ସନାତନ ମହାକୁଡ଼ଙ୍କ ସମେତ ବିଧାନସଭା ବାଚସ୍ପତିଙ୍କୁ ମଧ୍ୟ ପକ୍ଷଭୁକ୍ତ କରାଯାଇଛି। ଗତ ମାର୍ଚ୍ଚ ମାସରେ ହୋଇଥିବା ରାଜ୍ୟସଭା ନିର୍ବାଚନରେ ଏହି ୮ ଜଣ ବିଧାୟକ ଦଳୀୟ ନିର୍ଦ୍ଦେଶ ଅମାନ୍ୟ କରି କ୍ରସ୍‌ ଭୋଟିଂ କରିଥିବା ବିଜେଡି ଅଭିଯୋଗ କରିଥିଲା। ସମ୍ବିଧାନର ଦଶମ ପରିଚ୍ଛେଦ (ଅଯୋଗ୍ୟତା ନିୟମ) ଅନୁଯାୟୀ ସେମାନଙ୍କ ସଭ୍ୟପଦ ରଦ୍ଦ ପାଇଁ ବାଚସ୍ପତିଙ୍କ ନିକଟରେ ଆବେଦନ କରାଯାଇଥିଲା। ତେବେ ଜୁନ୍‌ ୨୨ରେ ବାଚସ୍ପତି ସୁରମା ପାଢ଼ୀ ଏହି ଆବେଦନକୁ ଖାରଜ କରିଦେଇଥିଲେ।

Comments are closed, but trackbacks and pingbacks are open.