ପଦ୍ମ ଧରିବେ କ୍ୟାପ୍ଟେନ ଅମରିନ୍ଦର ସିଂ

40

ନୂଆଦିଲ୍ଲୀ: ବିଜେପିରେ ମିଶିବେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପଞ୍ଜାବ ଲୋକ କଂଗ୍ରେସର ମୁଖ୍ୟ କ୍ୟାପ୍ଟେନ ଅମରିନ୍ଦର ସିଂ। ଆସନ୍ତା ସେପ୍ଟେମ୍ୱର ୧୯ରେ ଦିଲ୍ଲୀରେ ସେ ବିଜେପିର ସଦସ୍ୟତା ଗ୍ରହଣ କରିବେ । ପିଏଲସିର ମୁଖପାତ୍ର ପ୍ରୀତପାଲ ସିଂ ଏହି ସୂଚନା ଦେଇଛନ୍ତି । ସେହିପରି ନୂଆକରି ଗଠନ କରିଥିବା ଅମରିନ୍ଦର ସିଂହଙ୍କ ନୂଆ ଦଳ ବିଜେପିରେ ବିଲୀନ ହେବାକୁ ଯାଉଛି I

ସୂଚନା ଅନୁସାରେ ମୁଖପାତ୍ର ପ୍ରୀତପାଲ କହିଛନ୍ତି, ସେପ୍ଟେମ୍ୱର ୧୯ ସୋମବାର ବିଜେପିରେ ପଞ୍ଜାବ ଲୋକ କଂଗ୍ରେସର ବିଲୟ ହେବ । ଆସନ୍ତା ସପ୍ତାହରେ ଅମରିନ୍ଦର ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ବିଜେପିରେ ସାମିଲ ହେବା ନେଇ ସୂଚନା ମିଳିଛି । ୮୦ ବର୍ଷୀୟ କ୍ୟାପ୍ଟେନ ଅମରିନ୍ଦର ସିଂ ଗତ ବର୍ଷ ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ କଂଗ୍ରେସରୁ ଇସ୍ତଫା ଦେଇଥିଲେ । ଏହାପରେ ପିଏଲସି ଗଠନ କରିଥିଲେ। ପିଏଲସିର ମୁଖପାତ୍ର ପ୍ରୀତପାଲ ସିଂ କହିଛନ୍ତି, ପିଏଲସିରେ ସାମିଲ ହୋଇଥିବା ୭ ପୂର୍ବତନ ବିଧାୟକ ଏବଂ ଜଣେ ପୂର୍ବତନ ସାଂସଦ ବିଜେପିରେ ସାମିଲ ହେବେ । ସେ କହିଛନ୍ତି, ପିଏଲସିର ଅନ୍ୟ ପଦାଧିକାରୀ ଏବଂ ଜିଲ୍ଲା ଅଧ୍ୟକ୍ଷ ଆସନ୍ତା ସପ୍ତାହରେ ଚଣ୍ଡିଗଡରେ ଏକ କାର୍ଯ୍ୟକ୍ରମରେ ବିଜେପିରେ ସାମିଲ ହେବେ ।

ଲଣ୍ଡନରୁ ଚିକିତ୍ସିତ ହୋଇ ଫେରିବା ପରେ କ୍ୟାପ୍ଟେନ ଅମରିନ୍ଦର ସିଂ ୧୫ ଦିନ ତଳେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିଲେ । ଗତ ସେପ୍ଟେମ୍ୱର ୧୨ରେ ଶାହଙ୍କ ସହ ବୈଠକ କରି ରାଜ୍ୟର ସୁରକ୍ଷା ଏବଂ ବିକାଶ ସହ ଜଡିତ ବିଭିନ୍ନ ପ୍ରସଙ୍ଗ ଉପରେ ସାର୍ଥକ ଆଲୋଚନା ହୋଇଥିବା ପ୍ୟାପ୍ଟେନ ଅମରିନ୍ଦର ସିଂ କହିଥିଲେ।

ଦୀର୍ଘ ଦିନ ଧରି ପଞ୍ଚାବ କଂଗ୍ରେସରେ କନ୍ଦଳ ବଢ଼ିବାରେ ଲାଗିଥିଲା । ଦଳୀୟ ଅନ୍ତଃକନ୍ଦଳରେ ଅତିଷ୍ଠ ହୋଇ ଇସ୍ତଫା ଦେଇଥିଲେ । ପଞ୍ଜାବ ପ୍ରଦେଶ କଂଗ୍ରେସ କମିଟି ସଭାପତି ନବଜ୍ୟୋତ ସିଂ ସିଦ୍ଧୁଙ୍କ ସହ ମନୋମାଳିନ୍ୟ ପରେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ।

Comments are closed, but trackbacks and pingbacks are open.