ନିଶାମୁକ୍ତ ଓଡ଼ିଶା ଗଠନ ପାଇଁ ଆହ୍ୱାନ ଦେଲେ : ମହାମହିମ ରାଷ୍ଟ୍ରପତି ଦୌପ୍ରଦୀ ମୁର୍ମୁ

24

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଶାମୁକ୍ତ ଓଡ଼ିଶା ଗଠନ ପାଇଁ ଆହ୍ୱାନ ଦେଇଛନ୍ତି। ରାଷ୍ଟ୍ରପତି ସାତପଉଟିଆ ସ୍ଥିତ ବ୍ରହ୍ମକୁମାରୀ କେନ୍ଦ୍ରରେ ନିଶାମୁକ୍ତ ଅଭିଯାନର ଶୁଭାରମ୍ଭ କରି କହିଛନ୍ତି, ନିଶାପାନ ଜଣେ ବ୍ୟକ୍ତି ପାଇଁ ଅଭିଶାପ। ଅର୍ଦ୍ଧଚେତନ ବ୍ୟକ୍ତି କେବେ ହେଲେ ଠିକ୍‌‌ ନିଷ୍ପତ୍ତି ନେଇପାରିବ ନାହିଁ।

୩ ଦିନିଆ ଓଡ଼ିଶା ଗସ୍ତରେ ଆସି ରାଷ୍ଟ୍ରପତି ମୟୂରଭଞ୍ଜ ଜିଲ୍ଲାର ବାଦାମପାହାଡରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ଜନ୍ମମାଟିକୁ ଗସ୍ତରେ ଆସି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୟୂରଭଞ୍ଜ ଜିଲ୍ଲାର ହାଟବାଦଡ଼ାଠାରେ ବ୍ରହ୍ମକୁମାରୀ କେନ୍ଦ୍ରର ‘ନିଶାମୁକ୍ତ ଓଡ଼ିଶା’ ଅଭିଯାନକୁ ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ରାଷ୍ଟ୍ରପତି କହିଥିଲେ ଯେ ନିଶା ହେଉଛି ଏକ ରୋଗ। ଏହା ଏକ ସାମାଜିକ, ଆର୍ଥିକ, ଶାରୀରିକ ଏବଂ ମାନସିକ ଅଭିଶାପ। ନିଶା ପରିବାର ଓ ସମାଜରେ ଉତ୍ତେଜନା ସୃଷ୍ଟି କରିଥାଏ। ତେଣୁ ନିଶାର କୁପ୍ରଭାବ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବାର ଆବଶ୍ୟକତା ରହିଛି। ଲୋକମାନେ ନିଶାର କୁପ୍ରଭାବ ବିଷୟରେ ଜାଣିବା ପରେ ଏହାକୁ ନିଶ୍ଚିତ ଭାବେ ଛାଡ଼ିବା ଲାଗି ଚେଷ୍ଟା କରିବେ ବୋଲି ସେ ଦୃଢ଼ ବିଶ୍ୱାସ ପ୍ରକଟ କରିଥିଲେ। ରାଷ୍ଟ୍ରପତି କହିଥିଲେ ଯେ ନିଶା ହେଉଛି ସମାଜର ସବୁଠୁ ବଡ଼ ଶତ୍ରୁ। ତେଣୁ ଲୋକମାନଙ୍କୁ ଏହା ବିଷୟରେ ସଚେତନ କରିବା ଏକ ମହତ କାର୍ଯ୍ୟ। ଆଧ୍ୟାତ୍ମିକତା ମାଧ୍ୟମରେ ଏକ ସୁସ୍ଥ ସମାଜ ନିର୍ମାଣ କାର୍ଯ୍ୟରେ ସମ୍ପୃକ୍ତ ରହିଥିବାରୁ ସେ ବ୍ରହ୍ମ କୁମାରୀ କେନ୍ଦ୍ରକୁ ପ୍ରଶଂସା କରିଥିଲେ। ନିଶା ଯୁବ ପୀଢ଼ିଙ୍କୁ ପଥଭ୍ରଷ୍ଟ କରୁଛି। ଏଥିପାଇଁ ସଚେତନତାର ଆବଶ୍ୟକତା ରହିଛି। ରାଷ୍ଟ୍ରପତି କହିଛନ୍ତି- କୌଣସି ବ୍ୟକ୍ତିଙ୍କୁ ଏଭଳି ଅଭ୍ୟାସ ଆପଣେଇବା ଆବଶ୍ୟକ, ଯାହାଦ୍ୱାରା ସେମାନଙ୍କ ପଥ ପୁଷ୍ପିତ ହେବ। କ୍ରୋଧ କାମନା ମଧ୍ୟ ନିଶା ସଦୃଶ। ଏହିଗୁଡ଼ିକ ଠାରୁ ଦୂରେଇ ଯିବାକୁ ହେବ। ନିଜକୁ ସୁଧାରିଲେ ସଂସାର ପରିବର୍ତ୍ତନ ହେବ ଏବଂ ଏଥିପାଇଁ ଜଣେ ବ୍ୟକ୍ତିକୁ ନିଜକୁ ନିଜେ ସହଯୋଗ କରିବାକୁ ହେବ। ରାଷ୍ଟ୍ରପତି କହିଛନ୍ତି, କେନ୍ଦ୍ର ସରକାର ମଧ୍ୟ ନିଶାମୁକ୍ତ ଦେଶ ଗଠନ କରିବାକୁ ଅନେକ ପ୍ରୟାସ କରୁଛନ୍ତି। ‘ନିଶାମୁକ୍ତ ଓଡ଼ିଶା’ ଅଭିଯାନର ସଫଳତା ପାଇଁ ସେ କାମନା କରିଥିଲେ।

ଏହି କାର୍ଯ୍ୟକ୍ରମରେ ଯୋଗଦେଇ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ କହିଛନ୍ତି ନିଶା ଅନେକଙ୍କ ଜୀବନ ନଷ୍ଟ କରିଛି। ସୁସ୍ଥ ସମାଜ ଗଠନ କରିବାକୁ ହେଲେ ପ୍ରଥମେ ନିଶାମୁକ୍ତ ସମାଜ ଗଠନ କରିବାକୁ ହେବ। ସେ କହିଛନ୍ତି କରୁଣା ମାଧ୍ୟମରେ ହିଁ ନିଶାମୁକ୍ତ ଅଭିଯାନ ସଫଳ ହୋଇପାରିବ। ଏହା ପୂର୍ବରୁ ରାଷ୍ଟ୍ରପତି ପାହାଡ଼ପୁର ଗ୍ରାମରେ ପହଞ୍ଚି ସ୍ୱର୍ଗତ ଶ୍ୟାମ ଚରଣ ମୁର୍ମୁ ଓ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଶେଷରେ ସେ ଗାଁରେ ଏକ ଦକ୍ଷତା ପ୍ରଶିକ୍ଷଣ କେନ୍ଦ୍ର ଏବଂ ଗୋଷ୍ଠୀ କେନ୍ଦ୍ର ପାଇଁ ଶିଳାନ୍ୟାସ କରିବା ସହିତ ଗାଁ ଲୋକଙ୍କ ସହିତ ମତବିନିମୟ କରିଥିଲେ ।ରାଷ୍ଟ୍ରପତି ନିଜ ଗାଁ ପାହାଡପୁରଠାରେ ବିଭିନ୍ନ ପ୍ରକଳ୍ପର ଉଦ୍‌‌ଘାଟନ କରିଛନ୍ତି। ସେ ଦକ୍ଷତା କେନ୍ଦ୍ରର ଶିଳାନ୍ୟାସ କରିବା ସହ ଏସ୍‌‌.ଏଲ୍‌‌.ଏସ୍‌‌ ସ୍କାରକୀ ଆବାସିକ ବିଦ୍ୟାଳୟର ଗୋଷ୍ଠୀ କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ ସହ ଜୀବନଜୀବିକା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ପାହାଡ଼ପୁରରେ ସ୍ୱୟଂସହାୟକ ଗୋଷ୍ଠୀର ସଦସ୍ୟ ଜଉନା ମୁର୍ମୁ ଓ କୁଇଲୁ ମୁର୍ମୁଙ୍କୁ ଛତୁଚାଷ ପାଇଁ ଉଲ୍ଲେଖନୀୟ ସଫଳତା ସକାଶେ ରାଷ୍ଟ୍ରପତି ସମ୍ମାନିତ କରିଛନ୍ତି।

ରାଷ୍ଟ୍ରପତି ଶିମିଳିପାଳ ଅଭୟାରଣ୍ୟ ପରିଦର୍ଶନ କରିବାର କାର୍ଯ୍ୟସୂଚୀ ରହିଛି। ରାଷ୍ଟ୍ରପତି ଆସନ୍ତା ଶନିବାର ପୂର୍ବାହ୍ନରେ ବାରିପଦାସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଦ୍ୱାଦଶ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ବୋଲି ଜଣାପଡ଼ିଛି। ସେହିଦିନ ଅପରାହ୍ଣରେ ରାଷ୍ଟ୍ରପତି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ। ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ରାଷ୍ଟ୍ରପତି ପଦରେ ଅଧିଷ୍ଠିତ ହେବା ପରେ ପ୍ରଥମଥର ପାଇଁ ସେ ନିଜ ଜନ୍ମମାଟି ମୟୁରଭଞ୍ଜ ଗସ୍ତ କରୁଛନ୍ତି।

Comments are closed, but trackbacks and pingbacks are open.