ଦକ୍ଷିଣ ଓଡିଶାକୁ ଗଡିବ କେସିଆରଙ୍କ ବସ୍

20

ଦକ୍ଷିଣ ଓଡିଶାକୁ ଅକ୍ତିଆର କରିବାକୁ ବିଆରଏସ୍‌ର ମାଷ୍ଟର ପ୍ଲାନ । ଗୋଟି ଚଳାଇଲେ କେସିଆର୍‌ ! ଓଡିଶା-ତେଲେଙ୍ଗାନା ଭିତରେ ଗଡିବ ୨୩ଟି ବସ୍ । ଓଡିଶାରେ କେସିଆରଙ୍କ ଦଳ ବିଆରଏସ୍ ପାଦ ଥାପିବା ପରେ ଆରମ୍ଭ କରିଛି ଗୋଟିଚାଳନା । ପ୍ରଥମ ପଦକ୍ଷେପ ସ୍ୱରୂପ ଓଡିଶା ସହ ଆନ୍ତଃରାଜ୍ୟ ବସ ଚଳାଚଳ ପାଇଁ ରାଜି ହୋଇଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ର ଶେଖର ରାଓ । ପୂର୍ବରୁ ଏ ବାବଦରେ ଅନେକ ଥର ଓଡିଶା ପରିବହନ ନିଗମ, ତେଲେଙ୍ଗାନା ପରିବହନ ନିଗମକୁ ପ୍ରସ୍ତାବ ଦେଇଥିଲେ ବି ସମ୍ମତି ପ୍ରକାଶ କରିନଥିଲେ ତେଲେଙ୍ଗାନା ସରକାର । ଏବେ ଅବିଭକ୍ତ କୋରାପୁଟରୁ ତେଲେଙ୍ଗନା ଭିତରେ ୨୩ଟି ବସ ଚଳାଚଳ କରିବ ।

ଏଥିପାଇଁ ଦୁଇ ରାଜ୍ୟର ପରିବହନ ଅଧିକାରୀଙ୍କ ମଧ୍ୟରେ ଚୁକ୍ତି ହୋଇଛି । ଓଡିଶା ଓ ତେଲେଙ୍ଗାନା ସରକାରଙ୍କ ମଧ୍ୟରେ ହୋଇଥିବା ଚୁକ୍ତି ଅନୁସାରେ, ଓଡିଶାରୁ ୧୩ ଓ ତେଲେଙ୍ଗାନାରୁ ୧୦ ବସ ଯିବା ଆସିବା କରିବ । ଓଡିଶାର ୫ଟି ରୁଟ୍ ଓ ତେଲେଙ୍ଗାନାର ୪ଟି ରୁଟ ଦେଇ ୨୩ଟି ବସ ଗଡିବ । ମୁଖ୍ୟତଃ ଜୟପୁର-ହାଇଦ୍ରାବାଦ, ନବରଙ୍ଗପୁର-ହାଇଦ୍ରାବାଦ ମଧ୍ୟରେ ବସ ଚାଲିବ । ଭବାନୀପାଟଣା- ବିଜୟୱାଡା ଭାୟା ଭଦ୍ରାଚଳମକୁ ବସ ଯିବ । ରାୟଗଡା-କରିମନଗର, ଜୟପୁର-ଭଦ୍ରାଚଳମ ମଧ୍ୟରେ ବସ ଗଡିବ । ପୂର୍ବରୁ ଏନେଇ ଓଡିଶା ପ୍ରସ୍ତାବ ଦେଇଥିଲେ ବି ଗୁରୁତ୍ୱ ଦେଉନଥିଲା ତେଲେଙ୍ଗାନା । ଏବେ କେସିଆର ଓଡିଶା ରାଜନୀତି ଉପରେ ଆଖି ପକାଇବା ପରେ ଏଥିପାଇଁ ରାଜି ହୋଇଛନ୍ତି ।

ତେବେ ଓଡିଶା-ତେଲେଙ୍ଗାନା ମଧ୍ୟରେ ସରକାରୀ ବସ ଗଡିଲେ ଟିକେଟ ଦର କମିବା ସହ ଘରୋଇ ବସଙ୍କ ମନମାନି କମିବ । ଯାହା ଦ୍ୱାରା କେ.ଚନ୍ଦ୍ର ଶେଖର ରାଓଙ୍କ ଭାରତ ରାଷ୍ଟ୍ର ସମିତିକୁ ଫାଇଦା ଦେବ ବୋଲି ଆକଳନ କରାଯାଉଛି ।

Comments are closed, but trackbacks and pingbacks are open.