କ୍ୟାବିନେଟ୍‌ରେ ଜେପି ନଡ୍ଡା ସାମିଲ, କିଛି ନୂଆ ମୁହଁଙ୍କୁ ସୁଯୋଗ: ଓଡ଼ିଶାରୁ ୩ଜଣଙ୍କୁ କ୍ୟାବିନେଟ୍ ପାହ୍ୟା

235

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦରଦାସ ମୋଦୀ ଆଜି ତାଙ୍କର ତୃତୀୟ ଇନିଂସ୍ ଆରମ୍ଭ କରିଛନ୍ତି । ୭୩ ବର୍ଷୀୟ ଶ୍ରୀ ମୋଦୀ ଆଜି ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥଗ୍ରହଣ କରିଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଚନ୍ତି । ତାଙ୍କ ସହ ୭୧ ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି ।
ରବିବାର ସନ୍ଧ୍ୟା ୭.୧୫ ମିନିଟ୍ ସମୟରେ ରାଇସିନା ହିଲ୍ସ ସ୍ଥିତ ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ବଣ୍ଣାଢ଼୍ୟ କାର୍ଯ୍ୟକ୍ରମରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଥିଲା । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଧାନମନ୍ତ୍ରୀଙ୍କ ସହ ଅନ୍ୟ ମନ୍ତ୍ରୀମାନଙ୍କୁ ଶପଥ ପାଠ କରାଇଥିଲେ । ମୋଦୀଙ୍କ ସହ ବିଜେପି ସରକାରର ଏହି ତୃତୀୟ ଟର୍ମରେ ସାମିଲ ହୋଇଥିବା କ୍ୟାବିନେଟ୍ ଓ ରାଷ୍ଟ୍ରମନ୍ତ୍ରୀମାନଙ୍କୁ ମିଶାଇ ମୋଟ୍ ୭୨ଜଣ ରାଷ୍ଟ୍ରପତିଙ୍କ ଉପସ୍ଥିତିରେ କେନ୍ଦ୍ରମନ୍ତ୍ରୀ ଭାବେ ଶପଥଗ୍ରହଣ କରିଛନ୍ତି । ମୋଦୀଙ୍କୁ ବାଦ୍ ଦେଲେ ଅନ୍ୟ ୭୧ କେନ୍ଦ୍ରମନ୍ତ୍ରୀଙ୍କ ମଧ୍ୟରୁ ମୋଟ୍ ୩୦ଜଣ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ବେଳେ ୫ ଜଣ ରାଷ୍ଟମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଏବଂ ୩୬ ଜଣ ରାଷ୍ଟ୍ରମନ୍ତ୍ରୀ ଅଛନ୍ତି । ତେବେ ମୋଦୀଙ୍କ ଏହି ମନ୍ତ୍ରିମଣ୍ଡଳରେ ଓଡ଼ିଶାରୁ ୩ ଜଣଙ୍କୁ କ୍ୟାବିନେଟ୍ ପାହ୍ୟା ମିଳିଛି । ସେମାନେ ହେଲେ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ୍ ଏବଂ ଅଶ୍ୱିନୀ ବୈଷ୍ଣବ । କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ଅନ୍ୟ ମନ୍ତ୍ରୀଙ୍କ ମଧ୍ୟରେ ବିଜେପିର ବରିଷ୍ଠ ନେତା ରାଜନାଥ ସିଂହ, ଅମିତ୍ ଶାହ, ନୀତୀନ ଗଡ଼କରୀ, ଜେପି ନଡ୍ଡା, ନିର୍ମଳା ସୀତାରମଣ ଏବଂ ଏସ୍ ଜୟଶଙ୍କରଙ୍କ ଭଳି ନେତା ସାମିଲ ଅଛନ୍ତି । ଏଥର ୭ ଜଣ ମହିଳାଙ୍କୁ ମନ୍ତ୍ରୀ ପଦ ମିଳିଛି । ମନ୍ତ୍ରିମଣ୍ଡଳରେ ବିଜେପିର ୬୧ ଜଣ ଥିବା ବେଳେ ଏନ୍‌ଡିଏର ସହଯୋଗୀ ଦଳଙ୍କ ମଧ୍ୟରୁ ୧୧ ଜଣ ମନ୍ତ୍ରୀ ଅଛନ୍ତି ।
ମୋଟାମୋଟି ମୋଦୀଙ୍କ ପୂର୍ବ ସରକାରରେ ମନ୍ତ୍ରୀ ପଦ ସମ୍ଭାଳିଥିବା ବିଜେପିର ବହୁ ପୁରୁଣା ନେତାଙ୍କୁ ଏଥର ପୁଣିଥରେ କେନ୍ଦ୍ରମନ୍ତ୍ରୀ ଭାବେ ରିପିଟ୍ କରାଯାଇଥିବା ବେଳେ କେତେକ ନେତାଙ୍କୁ ବାଦ୍ ଦିଆଯାଇଛି । ବାଦ୍ ଦିଆଯାଇଥିବା ନେତାମାନଙ୍କ ମଧ୍ୟରେ ସ୍ମୃତି ଇରାନୀ, ଅନୁରାଗ ଠାକୁର ଏବଂ ନାରାୟଣ ରାଣେଙ୍କ ଭଳି ନେତା ସାମିଲ ଅଛନ୍ତି । ସେହିପରି ପୂର୍ବ ସରକାରରେ ବାଦ୍ ଦିଆଯାଇଥିବା କିଛି ନେତାଙ୍କ ସହ କିଛି ନୂଆ ମୁହଁଙ୍କୁ ମୋଦୀ ଏଥର ନିଜ କ୍ୟାବିନେଟ୍‌ରେ ସ୍ଥାନ ଦେଇଛନ୍ତି । ମୋଦୀଙ୍କ ପୂର୍ବ ସରକାରରେ ଜେପି ନଡ୍ଡାଙ୍କୁ ବାଦ୍ ଦିଆଯାଇଥିବା ବେଳେ ଏଥର ତାଙ୍କୁ କ୍ୟାବିନେଟ୍ ମନ୍ତ୍ରୀ ଭାବେ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇଛି । ସେହିପରି ଶିବରାଜ ସିଂହ ଚୌହାନ୍ ଏବଂ ମନୋହରଲାଲ ଖଟ୍ଟରଙ୍କ ଭଳି ନେତାଙ୍କୁ ପ୍ରଥମ ଥର ପାଇଁ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଗ୍ରହଣ କରାଯାଇଛି । ମୋଦୀଙ୍କ ୩.୦ ସରକାରରେ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଆଜି ଶପଥ ଗ୍ରହଣ କରିଥିବା ପୀୟୁଷ ଗୋଏଲ, ଜ୍ୟୋତିରାଦିତ୍ୟ ସିନ୍ଧିଆ, ଧର୍ମେନ୍ଦ୍ର ପ୍ରଧାନ ଏବଂ ଭୂପିନ୍ଦର ଯାଦବଙ୍କ ଭଳି ନେତା ଯେଉଁମାନେ ପୂର୍ବରୁ ରାଜ୍ୟସଭାରୁ ପ୍ରତିନିଧିତ୍ୱ କରିଥିଲେ ଏଥର କିନ୍ତୁ ଏମାନେ ଲୋକସଭା ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି ।
ବିଜେପି ପାଖରେ ଏଥର ନିରଙ୍କୁଶ ସଂଖ୍ୟା ଗରିଷ୍ଠତା ନଥିବାରୁ ସରକାର ଗଠନ ପାଇଁ ସମ୍ପୂର୍ଣ୍ଣ ଭାବେ ନିଜ ସହଯୋଗୀ ଦଳଙ୍କ ଉପରେ ନିର୍ଭର ହୋଇପଡିଛି । ସୁତରାଂ କେନ୍ଦ୍ରରେ ଏନ୍‌ଡିଏ ସରକାର ଗଠନ ହୋଇଥିବା ବେଳେ ପ୍ରାୟ ସବୁ ସହଯୋଗୀ ଦଳଙ୍କୁ ଖୁସି କରିବାକୁ ବିଜେପି ଚେଷ୍ଟା କରିଛି । ସେମାନଙ୍କ ସାଂସଦ ସଂଖ୍ୟା ଅନୁସାରେ ବିଜେପି ସହଯୋଗୀ ଦଳଙ୍କୁ ମନ୍ତ୍ରୀ ପଦ ଦେଇଛି । ତେବେ ମହାରାଷ୍ଟ୍ରର ଅଜିତ୍ ପାୱାରଙ୍କ ନେତୃତ୍ୱାଧୀନ ଏନ୍‌ସିପି ଗୋଷ୍ଠୀକୁ ଗୋଟିଏ ହେଲେ କେନ୍ଦ୍ରମନ୍ତ୍ରୀ ପଦ ନମିଳିବାକୁ ନେଇ ଅଜିତ୍ ପାୱାର ଅସନ୍ତୁଷ୍ଟ ହୋଇପଡିଥିବା ଜଣାପଡିଛି । ଆଜିର କାର୍ଯ୍ୟକ୍ରମରେ ସେ ସାମିଲ ହୋଇଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ପାଖରେ ଚୁପ୍‌ଚାପ୍ ବସିରହିବା ଦେଖିବାକୁ ମିଳିଥିଲା । ଅବଶ୍ୟ ଏନ୍‌ସିପିର ପ୍ରଫୁଲ୍ଲ ପଟେଲଙ୍କୁ ରାଷ୍ଟ୍ର ପାହ୍ୟା ଦିଆଯାଇଥିଲେ ସୁଦ୍ଧା ସେ କ୍ୟାବିନେଟ ପାହ୍ୟା ଦାବି କରିଥିଲେ । ତେଣୁ ସେ ସଂପର୍କରେ କିଛି ନିଷ୍ପତ୍ତି ହୋଇପାରି ନାହିଁ । ତେବେ କିଛି ଦିନ ଅପେକ୍ଷା କରିବ ବୋଲି ଏନ୍‌ସିପି କହିଛି ।
ଆଜିର ଏହି ଶପଥଗ୍ରହଣ ସମାରୋହରେ ପ୍ରାୟ ୮ହଜାରରୁ ଊର୍ଦ୍ଧ୍ୱ ଅତିଥିଙ୍କ ସହ ୭ ରାଷ୍ଟ୍ରର ରାଷ୍ଟ୍ରମୁଖ୍ୟମାନେ ଯୋଗଦେଇଥିଲେ । ନିମନ୍ତ୍ରିତ ରାଷ୍ଟ୍ର ମୁଖ୍ୟମାନଙ୍କ ମଧ୍ୟରେ ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ମଧ୍ୟ ଅନ୍ୟତମ ବ୍ୟକ୍ତିତ୍ୱ ଭାବେ ଆଜିର ଏହି ଶପଥଗ୍ରହଣ ସମାରୋହରେ ସାମିଲ ହୋଇଛନ୍ତି । ଦିନକ ପୂର୍ବେ ସେ ନୂଆଦିଲ୍ଲୀରେ ଆସି ପହଞ୍ôଚବା ପରେ ତାଙ୍କୁ ଏଠାରେ ଭବ୍ୟ ସ୍ୱାଗତ କରାଯାଇଥିଲା । ସେହିପରି ଅନ୍ୟ ୬ ବିଦେଶୀ ରାଷ୍ଟ୍ରମୁଖ୍ୟ ଭାବେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା, ଶ୍ରୀଲଙ୍କା ରାଷ୍ଟ୍ରପତି ରାଣିଲ ବିକ୍ରମସିଂଘେ, ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଳ ପ୍ରଚଣ୍ଡ, ଭୁଟାନ ରାଜା ଜିଗ୍‌ମେ ଖେସର ନାମଗିଲ ୱାଙ୍ଗଚୁକ୍ ଓ ମରିସସ ପ୍ରଧାନମନ୍ତ୍ରୀ ପ୍ରବୀନ୍ଦ ଜୁଗନୌଥ ପ୍ରମୁଖ ନେତୃବନ୍ଦ ଆଜିର ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଏତଦ୍‌ବ୍ୟତୀତ ଉପରାଷ୍ଟ୍ରପତି ଜଗଦୀପ ଧନଖଡ, ପ୍ରଧାନ ବିଚାରପତି (ସିଜେଆଇ) ଡିୱାଇ ଚନ୍ଦ୍ରଚୂଡ, ଟିଡିପି ସଭାପତି ଚନ୍ଦ୍ରବାବୁ ନାଇଡୁ ଏବଂ ଜେଡିୟୁ ସୁପ୍ରିମୋ ନୀତୀଶ କୁମାରଙ୍କ ସମେତ ଦେଶର ପ୍ରାୟ ସବୁ ବର୍ଗର ବରିଷ୍ଠ ତଥା ନାମୀଦାମୀ ବ୍ୟକ୍ତିବିଶେଷଙ୍କୁ ଆଜିର କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ନିମନ୍ତ୍ରଣ କରାଯାଇଥିବା ବେଳେ ଏମାନେ ସମସ୍ତେ ଆଜି ଏଠାରେ ଉପସ୍ଥିତ ହୋଇଥିଲେ । ବଲିଉଡ୍ ଅଭିନେତା ଶାହରୁଖ୍ ଖାନ୍‌, ରଜନୀକାନ୍ତ, ଅକ୍ଷୟ କୁମାର, ଶିଳ୍ପପତି ମୁକେଶ ଅମ୍ବାନୀ, ଗୌତମ ଅଦାନୀ ପ୍ରମୁଖ ବିଶିଷ୍ଟ ବ୍ୟକ୍ତିବିଶେଷ ଆଜିର ଏହି ଶପଥଗ୍ରହଣ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଅନ୍ୟପକ୍ଷେ ବିରୋଧୀ ଇଣ୍ଡିଆ ମେଣ୍ଟର ସମସ୍ତ ନେତା ମୋଦୀଙ୍କ ଶପଥଗ୍ରହଣ ସମାରୋହକୁ ବର୍ଜନ କରିଥିବା ବେଳେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ୍ ଖର୍ଗେ ଆଜି ମୋଦୀଙ୍କ ଶପଥଗ୍ରହଣ ସମାରୋହରେ ସାମିଲ ହୋଇଥିଲେ । ସେହିପରି ଅନ୍ୟ ଅତିଥିଙ୍କ ମଧ୍ୟରେ ପଦ୍ମ ସମ୍ମାନିତ ବ୍ୟକ୍ତିବିଶେଷ, ଧର୍ମଗୁରୁଙ୍କ ସମେତ ସେଣ୍ଟ୍ରାଲ୍ ଭିଷ୍ଟା ଶ୍ରମିକ, ସଫେଇ କର୍ମଚାରୀ, ବନ୍ଦେ ଭାରତ ଟ୍ରେନ କର୍ମଚାରୀମାନେ ମଧ୍ୟ ଯୋଗ ଦେଇଥିଲେ । ଶପଥ ସମାରୋହ ପରେ ପରେ ରାଷ୍ଟ୍ରପତିଙ୍କ ଦ୍ୱାରା ଆହୂତ ନୈଶଭୋଜିରେ ଅତିଥିମାନେ ସାମିଲ ହୋଇଛନ୍ତି ।
ଦେଶର ୧୪ତମ ପ୍ରଧାନମନ୍ତ୍ରୀ ଭାବେ ୨୦୧୪ରେ ପ୍ରଥମ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ହେବାର ସୌଭାଗ୍ୟ ଅର୍ଜନ କରିଥିବା ମୋଦୀ, ଇତିମଧ୍ୟରେ କ୍ରମାଗତ ୩ୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ହୋଇଛନ୍ତି । ଆଜିର ଏହି ଶପଥଗ୍ରହଣ ସମାରୋହ ଶେଷ ହେବା ସହ ଦେଶରେ ପୁଣିଥରେ ମୋଦୀ ଶାସନ ୩.୦ ମଧ୍ୟ ଆରମ୍ଭ ହୋଇଯାଇଛି । ପ୍ରକାଶ, ୨୦୧୪ରେ ମୋଦୀ ପ୍ରଥମଥର ପାଇଁ ପ୍ରଧାନମନ୍ତ୍ରୀ ହୋଇଥିଲେ । ଏହି ସମୟରେ ତାଙ୍କ ସହ ୧୮ ଜଣ କ୍ୟାବିନେଟ ମନ୍ତ୍ରୀ ମଧ୍ୟ ଶପଥ ନେଇଥିଲେ । ଏମାନଙ୍କ ମଧ୍ୟରେ ୧୫ ଜଣ ବିଜେପି ସାଂସଦ ଏବଂ ୩ଜଣ ଅଣବିଜେପି ସାଂସଦ ରହିଥିଲେ । ୨୦୧୯ରେ ମଧ୍ୟ ମୋଦୀଙ୍କ ସହ ୨୫ଜଣ ସାଂସଦ ପଦ ଓ ଗୋପନୀୟତାର ଶପଥ ପାଠ କରିଥିଲେ । ଏଥିରେ ମଧ୍ୟ ମାତ୍ର ୩ଜଣ ଅଣବିଜେପି ସାଂସଦ ରହିଥିଲେ । ତେବେ ଏଥର କିନ୍ତୁ ବିଜେପିର ୬୦ରୁ ଅଧିକ ସାଂସଦଙ୍କ ସହ ସହଯୋଗୀ ଦଳଙ୍କ ପକ୍ଷରୁ ପ୍ରାୟ ୧୧ଜଣ ସାଂସଦ ମନ୍ତ୍ରୀ ଭାବେ ଶପଥ ପାଠ କରିଛନ୍ତି । ଆଜିର ଶପଥ ଗ୍ରହଣ ସହ ଦେଶର କ୍ରମାଗତ ୩ୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବାର ବିରଳ କୃତୀତ୍ୱ ମଧ୍ୟ ସ୍ୱର୍ଗତଃ ଜବାହରଲାଲ ନେହରୁଙ୍କ ପରେ ମୋଦୀ ନିଜ ନାମରେ କରିନେଇଛନ୍ତି । ସୂଚନାଯୋଗ୍ୟ, ୨୦୨୪ ଲୋକସଭା ନିର୍ବାଚନରେ ଏନ୍‌ଡିଏ ମୋଟ୍ ୨୯୩ ଆସନ ହାତେଇବାରେ ସଫଳ ହୋଇଥିବା ବେଳେ ବିଜେପି ଏକାକୀ ୨୪୦ ଆସନ ଜିତିଛି । ସେହିପରି ବିରୋଧୀ କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡିଆ ମେଣ୍ଟ ୨୩୩ ଆସନ ଜିତିଛି ।
ପ୍ରକାଶ, ରବିବାର ପୂର୍ବାହ୍ନ ୧୧.୩୦ ମିନିଟ୍ ସମୟରେ ମୋଦୀଙ୍କ ବାସଭବନରେ ଏନ୍‌ଡିଏ ଦଳର କିଛି ବରିଷ୍ଠ ନେତାମାନଙ୍କ ସହ ଚାଏ ପେ’ ଚର୍ଚ୍ଚା ହୋଇଥିଲା । ଏଥିରେ ମନ୍ତ୍ରିମଣ୍ଡଳରେ କେଉଁ ନେତାମାନଙ୍କୁ ସାମିଲ କରାଯିବ ସେନେଇ ବିଚାରବିମର୍ଶ କରାଯାଇଥିଲା । ପରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ) ରୁ କିଛି ନେତାଙ୍କୁ ଫୋନ୍ କଲ୍ କରାଯାଇଥିଲା । କିନ୍ତୁ ମୋଦୀଙ୍କ ପ୍ରଥମ ଓ ଦ୍ୱିତୀୟ ସରକାରରେ ମନ୍ତ୍ରୀ ପଦ ସମ୍ଭାଳିଥିବା ଅନୁରାଗ ଠାକୁର, ନାରାୟଣ ରାଣେ ଏବଂ ସ୍ମୃତି ଇରାନୀଙ୍କୁ ଫୋନ୍ କଲ୍ ଯାଇନଥିବା କିମ୍ବା ୩ ନେତା ମୋଦୀଙ୍କ ଚାଏ ପେ’ ଚର୍ଚ୍ଚା ରେ ସାମିଲ ହୋଇନଥିବା ଜଣାପଡିଛି । ସେହିପରି ରାଜୀବ ଚନ୍ଦ୍ରଶେଖରଙ୍କୁ ମଧ୍ୟ ଏଥର ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିନାହିଁ । ଏମାନେ ସମସ୍ତେ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ ମନ୍ତ୍ରୀ ପଦ ମିଳିବା ନମିଳିବା ଏସବୁ ହାଇକମାଣ୍ଡଙ୍କ ନିଷ୍ପତ୍ତି ଉପରେ ନିର୍ଭର କରେ । କିନ୍ତୁ ବିଜେପିର ଜଣେ ଜଣେ ଶୃଙ୍ଖଳିତ କର୍ମୀ ଭାବେ ଦଳ ପ୍ରତି ସେବା ଅବ୍ୟାହତ ରହିବ ।
ଶପଥଗ୍ରହଣ ସମାରୋହ ପୂର୍ବରୁ ଆଜି ସକାଳୁ ମୋଦୀ, ରାଜଘାଟ ଯାଇ ସେଠାରେ ଜାତିର ପିତା ମହାତ୍ମାଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ଦେଖିବାକୁ ମିଳିଥିଲା । ଏତଦ୍‌ବ୍ୟତୀତ ମୋଦୀ, ଦିବଂଗତ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସମାଧି ସ୍ଥଳ ‘ସଦୈବ ଅଟଳ’ ଏବଂ ୱାର୍ ମେମୋରିଆଲ ଠାରେ ପହଞ୍ଚି ଏଠାରେ ମଧ୍ୟ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଓ ସହିଦ୍ ବୀର ଯବାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏହି ସମୟରେ ତାଙ୍କ ସହ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଉପସ୍ଥିତ ଥିଲେ ।
ଆଜିର ଶପଥଗ୍ରହଣ ସମାରୋହ ପାଇଁ ରାଜଧାନୀ ଦିଲ୍ଲୀକୁ ଅଭେଦ୍ୟ ଦୁର୍ଗରେ ସଜେଇ ଦିଆଯାଇଥିଲା । ବହୁସ୍ତରୀୟ ସୁରକ୍ଷା ବ୍ୟବସ୍ଥା ସହିତ, ଦୁଇ ଦିନ ପାଇଁ ନୋ-ଫ୍ଲାଏ ଜୋନ୍ ଘୋଷଣା କରାଯାଇଛି । କର୍ତ୍ତବ୍ୟପଥକୁ ଲାଗିଥିବା କେତେକ ରୋଡରେ ୧୪୪ ଧାରା ଜାରି ହୋଇଛି । ରାଷ୍ଟ୍ରପତି ଭବନକୁ ୫ କମ୍ପାନୀ ପାରାମିଲିଟାରୀ ପର୍ସନେଲ୍‌, ଏନ୍‌ଏସ୍‌ଜି କମାଣ୍ଡୋ, ଡ୍ରୋନ୍ ଓ ସ୍ନାଇପର୍ସ ସାଙ୍ଗକୁ ସିସିଟିଭି ଦ୍ୱାରା ପରିବେଷ୍ଟିତ କରାଯାଇଛି ।

Leave A Reply

Your email address will not be published.