ଭୁବନେଶ୍ବର: ରାଜ୍ୟ କ୍ୟାବିନେଟରେ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତି ଗ୍ରହଣ କରାଯାଇଛି। ତାହା ହେଲା ଭୁବନେଶ୍ବରରେ ଗଠନ ହେବ ଏକ ନ୍ୟୁ ସିଟି। ଯାହାର ନାମ ରହିଛି ଭୁବନେଶ୍ବର ନ୍ୟୁ ସିଟି। ଏହାର ନିର୍ମାଣ ପାଇଁ ବ୍ୟୟ ଅଟକଳକୁ ରାଜ୍ୟ କ୍ୟାବିନେଟ ମଂଜୁରୀ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ନଗର ଉନ୍ନୟନ ବିଭାଗ ତରଫରୁ ବିସ୍ତୁତ ତଥ୍ୟ ପ୍ରଦାନ କରାଯାଇଥିଲା। ଏଥିରେ ଭୁବନେଶ୍ବରର ମଳିପଡା, ଦାସପୁର ଏବଂ ଗୋଠପାଟଣା ମୌଜାରେ ଏହି ନ୍ୟୁ ସିଟି ନିର୍ମାଣ ହେବ। ଏଥିପାଇଁ ବିଡିଏ ତରଫରୁ ପ୍ରାୟ ୮୦୦ ଏକର ପରିମିତ ସ୍ଥାନ ଚିହ୍ନଟ ହେବ। ଏହି ପ୍ରକଳ୍ପ ପାଇଁ ମୋଟ ବ୍ୟୟ ଅଟକଳ ୮୧୭୯ କୋଟି ଟଙ୍କା ରଖାଯାଇଛି। ଏ ନେଇ ଗତ ଜାନୁୟାରୀ ମାସରେ ସିଙ୍ଗାପୁର କଂପାନୀ ସହିତ ବିଡିଏର ଏକ ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଛି। କଂପାନୀ ଏହି ପ୍ରକଳ୍ପର ସଂପୂର୍ଣ୍ଣ ରୂପରେଖ ପ୍ରସ୍ତୁତ କରିବ। ଏହି ନ୍ୟୁ ସିଟିରେ MICE ସୁବିଧା ରହିବ। ଅର୍ଥାତ Meetings, Incentives, Conferences ଏବଂ Exhibitions ସୁବିଧା ରହିବ। ସେହିପରି ଉଚ୍ଚମାନର ରାସ୍ତା, ହସପିଟାଲ, ବ୍ୟାଙ୍କ, ମଲ, ସରକାରୀ ଅଫିସ ମଧ୍ୟ ନିର୍ମାଣ କରାଯିବ। ଏହି ପ୍ରକଳ୍ପ 15 ବର୍ଷ ମଧ୍ୟରେ ଶେଷ କରାଯିବ ବୋଲି ନିଷ୍ପତି କରାଯାଇଛି। ତେବେ ପ୍ରାରମ୍ଭ ପର୍ଯ୍ୟାୟ କାର୍ଯ୍ୟ ପାଇଁ କ୍ୟାବିନେଟ 1342 କୋଟି ଟଙ୍କା ବ୍ୟୟ ଅଟକଳକୁ ଅନୁମୋଦନ କରିଛନ୍ତି।
Comments are closed, but trackbacks and pingbacks are open.