ଚଳଚଞ୍ଚଳ ରଥଖଳା : ତିନିରଥର ମୋଟ ୪୨ଟି ଚକ ମଧ୍ୟରୁ ୩୬ଟି ଚକ ନିର୍ମାଣ ଶେଷ ହେଲା

29

ଚଳଚଞ୍ଚଳ ବଡ଼ଦାଣ୍ଡ ରଥଖଳା I ମହାପ୍ରଭୁଙ୍କ ର ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପାଇଁ ଶ୍ରୀକ୍ଷେତ୍ରରେ ରଥ ନିର୍ମାଣ ପ୍ରକ୍ରିୟା ଜୋର ଧରିଛି । ତିନି ରଥର ୪୨ଟି ଚକ ମଧ୍ୟରୁ ୩୬ଟି ଚକର ତିଆରି କାମ ଶେଷ ହୋଇଛି। ଭୋଇ ସେବକମାନେ ମେସିନ୍ ସାହାଯ୍ୟରେ ଦଣ୍ଡା କାଠ ଆଣି ଯଥାସ୍ଥାନରେ ରଖିବା ପରେ ବିଶ୍ଵକର୍ମା ମହାରଣାମାନେ ଆଜି ଏହାର ଅନୁକୂଳ କାମ ଆରମ୍ଭ କରିଛନ୍ତି। ରୂପକାର ସେବକମାନେ କୋଣ ଗୁଜରେ ନୃସିଂହ ମୂର୍ତ୍ତି ଖୋଦେଇ ଜାରି ରଖିଥିବା ବେଳେ ଓଝା ସେବକମାନେ ଘଡି ମୁହଁ ଓ ଦଣ୍ଡା ବାଡ଼ିଆ କଣ୍ଟା ନିର୍ମାଣରେ ଲାଗିଛନ୍ତି। ପ୍ରତି ରଥର ତିନୋଟି ଭୂଇଁ ନିର୍ମାଣରେ ପ୍ରତ୍ୟେକ ଭୂଇଁ ପାଇଁ ୪ଟି ଲେଖାଏଁ ୧୨ଟି ‘ଭୂଇଁଚଉତା’ ଆବଶ୍ୟକ ହୋଇଥାଏ। ଆଜି ସୁଦ୍ଧା ତିନି ରଥର ୮ଟି ଲେଖାଁଏ ଭୂଇଁଚଉତାର ଚଉପଟ କାର୍ଯ୍ୟ ସରିଛି । ଏଥିସହ ତିନିରଥର ୪ଟି ଲେଖାଏଁ ମୁହାଁଟ ଏବଂ ୪ଟି ଲେଖାଏଁ ନିରାଡ଼ି ନିର୍ମାଣ କାମ ଶେଷ ହୋଇଛି ।

ପବିତ୍ର ଶ୍ରୀକ୍ଷେତ୍ର ଭଉଁରୀ ଅବସରରେ ତିନି ରଥର ଛଅଟି ଚକ ସହ ତିନୋଟି ଅଖ ଡେରାଯିବା ପରେ ରଥ ନିର୍ମାଣ କାର୍ଯ୍ୟ ଏବେ ଜୋର ଧରିଛି। ତିନି ରଥ ପାଇଁ ୪୨ଟି ଚକ ଦରକାର ଥିବା ବେଳେ ଆଜି ସୁଦ୍ଧା ୩୬ଟି ଚକର ତିଆରି କାମ ଶେଷ ହୋଇଛି। ନନ୍ଦିଘୋଷ ରଥର ୧୬ଟିରୁ ୧୪, ତାଳଧ୍ଵଜ ରଥର ୧୪ଟିରୁ ୧୨ ଓ ଦର୍ପଦଳନ ରଥର ୧୨ଟିରୁ ୧୦ଟି ଚକର ତିଆରି କାମ ସାରିଛନ୍ତି ବିଶ୍ଵକର୍ମା। ତେବେ ରଥର ଚେଚିସ୍ ହେଉଛି ଦଣ୍ଡା। ଗତକାଲି ମେସିନ୍ ସାହାଯ୍ୟରେ ଭୋଇ ସେବକମାନେ ଦଣ୍ଡା କାଠ ଆଣି ଯଥାସ୍ଥାନରେ ରଖିବା ପରେ ବିଶ୍ଵକର୍ମାମାନେ ଆଜି ଏହାର ଅନୁକୂଳ କରିଛନ୍ତି। ତାଳଧ୍ଵଜ ଓ ନନ୍ଦିଘୋଷ ରଥର ୯ଟି ଓ ଦର୍ପଦଳନ ରଥର ୭ଟି ଦଣ୍ଡାର ତିଆରି କାମ ଆରମ୍ଭ ହୋଇଛି।

ସେପଟେ ଦୋଳବେଦୀରେ ଥିବା ଅସ୍ଥାୟୀ କମାର ଶାଳରେ ଓଝା ସେବକମାନେ ଦଣ୍ଡା ବିଡିଆ ଓ ଘଡ଼ି ମୁହଁ କଣ୍ଟା ତିଆରି କରୁଛନ୍ତି। ଦଣ୍ଡା ଓ ଅଖକୁ ଅଖ କଣ୍ଟା ଯୋଡ଼ିବ। ଦଣ୍ଡାର ଚାରିପାଖରେ ଘଡ଼ି ମୁହଁ ଓ ମଧ୍ୟ ସ୍ଥଳରେ ଦଣ୍ଡା ବିଡ଼ିଆ କଣ୍ଟା ଲାଗିବ। ତେବେ ଏହି ଘଡି ମୁହଁ କଣ୍ଟାର ଲମ୍ବ ୧୫ ଇଞ୍ଚରୁ ୨୨ ଇଞ୍ଚ ହୋଇଥିବା ବେଳେ ଦଣ୍ଡାବିଡିଆ କଣ୍ଟାର ଲମ୍ବ ୧୧ ଇଞ୍ଚରୁ ୧୪ଇଞ୍ଚ ବୋଲି ଓଝା ସେବକ କହିଛନ୍ତି। ସେପଟେ ରୂପକାର ସେବକମାନ କୋଣ ଗୁଜରେ ଖୋଦେଇ ଜାରି ରଖିଥିବା ବେଳେ ଶ୍ରୀନୃସିଂହ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଶୋଭା ପାଉଛି। ୩ ରଥର ତିଆରି କାମରେ ୭୭ଜଣ ବିଶ୍ଵକର୍ମା, ୭୭ଜଣ ଭୋଇ ସେବକ, ୪ଜଣ କରତି, ୧୭ଜଣ କମାର ଓ ୧୯ ଜଣ ରୂପକାର ସେବକଙ୍କ ସହ ମୋଟ ୧୯୮ ଜଣ ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଅଛନ୍ତି।

Comments are closed, but trackbacks and pingbacks are open.