ବ୍ୟବସାୟୀ ହତ୍ୟାକାଣ୍ଡ: ଇର୍ଷା ପାଇଁ ବାପାଙ୍କୁ ମାରିଦେଲେ ବୋଲି ଅଭିଯୋଗ କଲେ ସୁଧୀରଙ୍କ ଝିଅ

29

ଭୁବନେଶ୍ବର: ପ୍ଲଟ ବ୍ୟବସାୟୀ ସୁଧୀର ପାତ୍ର ହତ୍ୟା ମାମଲାରେ ପୋଲିସ ପର୍ଦ୍ଦାଫାସ କରିବା ପରେ ଏବେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଏହି ଅଭାବନୀୟ ଘଟଣାକୁ ସୁଧୀରଙ୍କ ପରିବାର ଲୋକେ ସହଜରେ ଗ୍ରହଣ କରିପାରୁନାହାନ୍ତି। ବିଶେଷ କରି ନିଜ ସମ୍ପର୍କୀୟମାନେ ହିଁ ଏହି ହତ୍ୟାକାଣ୍ଡର ମୁଖ୍ୟ ସୂତ୍ରଧର ବୋଲି ଜାଣିବା ପରେ ପରିବାର ସ୍ତବ୍ଧ ହୋଇଯାଇଛି। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସୁଧୀରଙ୍କ ଝିଅ କହିଛନ୍ତି ଯେ, “ବିଶ୍ୱାସ ହେଉନି ନିବେଦିତା ଓ ତୁଷାର ଏମିତି କରିଥିବେ। ବାପା ସେମାନଙ୍କୁ ନିଜ ପୁଅ-ଝିଅ ଭଳି ଭଲ ପାଉଥିଲେ। ଦାଦାଙ୍କ ମୃତ୍ୟୁ ପରେ ବାପା ସବୁ ସମ୍ପତ୍ତି ସେମାନଙ୍କ ନାଁରେ କରିଦେଇଥିଲେ ଏବଂ ନିବେଦିତାଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ମଧ୍ୟ ଖୋଜୁଥିଲେ। ମାତ୍ର କେବଳ ଇର୍ଷା ପାଇଁ ସେମାନେ ମୋ ବାପାଙ୍କୁ ମାରିଦେଲେ।” ସୁଧୀରଙ୍କ ଝିଅଙ୍କ କହିବା ଅନୁସାରେ, ଦାଦାଙ୍କ ମୃତ୍ୟୁ ପରେ ତାଙ୍କ ଖୁଡୀ “ତୁମକୁ ଶାନ୍ତିରେ ବଞ୍ଚିବାକୁ ଦେବୁନି” ବୋଲି ଧମକ ଦେଇଥିଲେ। ନିବେଦିତାଙ୍କ ପ୍ରେମ ବିବାହ ପ୍ରସଙ୍ଗକୁ ନେଇ ମଧ୍ୟ ପରିବାରରେ କିଛି ଦ୍ୱନ୍ଦ୍ୱ ଉପୁଜିଥିଲା। ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି।

Comments are closed, but trackbacks and pingbacks are open.