ଧର୍ମଘଟ ପ୍ରତ୍ୟାହୃତ,ଆଜିଠୁ ଗଡିବ ବସ୍‌

61

ଭୁବନେଶ୍ୱର: ଆଜି ଠାରୁ ଘରୋଇ ବସ୍‌ ଚଳାଚଳ ସ୍ୱାଭାବିକ ହେବ। ସରକାର ସୁରକ୍ଷା ଯୋଗାଇଦେବାକୁ ସହମତି ପ୍ରକାଶ କରିଥିବାରୁ ସବୁ ରୁଟ୍‌ରେ ଘରୋଇ ବସ୍‌ ଗଡ଼ିବ। ଏନେଇ ଶୁକ୍ରବାର ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘ ପକ୍ଷରୁ ନିଷ୍ପତ୍ତି ନିଆଯିବା ପରେ ପୁରୀଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସଂଘର ସାଧାରଣ ସମ୍ପାଦକ ଦେବେନ୍ଦ୍ର କୁମାର ସାହୁ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ସରକାର ଲିଖିତ ପ୍ରତିଶ୍ରୁତି ନ ଦେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଡ୍ରାଇଭର ମହାସଂଘର ସଭାପତି ପ୍ରଶାନ୍ତ ମୁଦୁଲି କହିଛନ୍ତି। ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘ ସାଧାରଣ ସମ୍ପାଦକ ସାହୁ କହିଛନ୍ତି, ଗତ ୮ତାରିଖଠାରୁ ବିଭିନ୍ନ ଦାବି ନେଇ ଡ୍ରାଇଭର ମହାସଂଘ ଆନ୍ଦୋଳନ ଯୋଗୁ ଘରୋଇ ବସ୍‌ ଚଳାଚଳ ପ୍ରାୟତଃ ବନ୍ଦ ରହିଛି। ଜନସାଧାରଣଙ୍କ ଯାତାୟାତ ସମସ୍ୟାକୁ ଦୃଷ୍ଟିରେ ରଖି ଶୁକ୍ରବାର ସନ୍ଧ୍ୟାରେ ପୁରୀରେ ଅନୁଷ୍ଠିତ ବୈଠକରେ ୧୨ ତାରିଖ ଶନିବାରଠାରୁ ବସ୍‌ ଚଳାଚଳ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ସମସ୍ତ ୧୪ ହଜାର ବସ୍‌ ଗଡ଼ିବ। ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘ ସହିତ ୫୨ଟି ଆଞ୍ଚଳିକ ସଂଘ ମିଶି ଏହି ନିଷ୍ପତ୍ତି ନେଇଛନ୍ତି। ତେବେ ଆନ୍ଦୋଳନ ସମୟରେ ବସ୍‌ ଅଟକାଯାଉଥିବାରୁ ସୁରକ୍ଷା ଯୋଗାଇଦେବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯାଇଛି।

Comments are closed, but trackbacks and pingbacks are open.