ଧାର୍ଯ୍ୟ ଭଡା ଠାରୁ ଅଧିକ ବସ୍ ଭଡ଼ା ଆଦାୟ ର ନିୟମିତ ଯାଞ୍ଚ ପାଇଁ ଆରଟିଓଙ୍କୁ ନିର୍ଦ୍ଦେଶ

33

ଭୁବନେଶ୍ୱର: ଯାତ୍ରୀବାହୀ ବସରେ ଧାର୍ଯ୍ୟ ସୀମାଠାରୁ ଅଧିକ ଭଡ଼ା ଆଦାୟ ନେଇ ଅନେକ ସମୟରେ ଯାତ୍ରୀଙ୍କଠାରୁ ଅଭିଯୋଗ ଆସୁଛି । ତେଣୁ ଏହା ଉପରେ କଡ଼ା ନଜର ରଖି ପଦକ୍ଷେପ ଗ୍ରହଣ କରିବାକୁ ସମସ୍ତ ଆରଟିଓଙ୍କୁ କୁହାଯାଇଛି । ଧାର୍ଯ୍ୟ ସୀମାଠାରୁ କୌଣସି ବସ୍ ଅଧିକ ଭଡ଼ା ଆଦାୟ କରିପାରିବେ ନାହିଁ । ଯାତ୍ରୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ନିୟମ ଉଲ୍ଲଙ୍ଘନ କରୁଥିବା ବସ୍ ବିରୋଧରେ ମୋଟର ଯାନ ଆଇନ ଅନୁଯାୟୀ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା l ରାଜ୍ୟର ବିଭିନ୍ନ ସ୍ଥାନରେ ଆରଟିଓ ଟିମ୍ ବସ୍ ଯାଞ୍ଚ କରିଛନ୍ତି । ଯାତ୍ରୀମାନଙ୍କ ସହ ଆଲୋଚନା କରିଛନ୍ତି । ପ୍ରଥମଦିନରେ କଟକ ଆରଟିଓଙ୍କ ଏନଫୋର୍ସମେଣ୍ଟ ଟିମ୍ ନିୟମ ଉଲ୍ଲଙ୍ଘନ କରିଥିବା ପାଞ୍ଚଟି ବସ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ମୋଟର ଯାନ ଆଇନର ଧାରା ୧୯୨(କ) ଅନୁଯାୟୀ ଉକ୍ତ ବସ୍ ମାନଙ୍କ ବିରୋଧରେ ୧୦ ହଜାର ଟଙ୍କା ଲେଖାଏଁ ଜରିମାନା କରାଯାଇଛି । ସରକାରଙ୍କ ଦ୍ୱାରା ବସ୍ ବର୍ଗ ଅନୁଯାୟୀ କିଲୋମିଟର ପିଛା ଭଡ଼ା ଧାର୍ଯ୍ୟ କରାଯାଇଛି । ଉଭୟ ଅଫଲାଇନ୍ ଓ ଅନଲାଇନ ଟିକଟ ପାଇଁ ଏହା ଲାଗୁ ହୋଇଥାଏ । ଏହାକୁ ପାଳନ କରିବାକୁ ସମସ୍ତ ବସ୍ ମାଲିକ ତଥା ପରିଚାଳକମାନଙ୍କୁ ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ସୂଚାଇ ଦିଆଯାଇଛି । ନିୟମ ଅନୁଯାୟୀ ପ୍ରତ୍ୟେକ ବସରେ ଭଡ଼ା ବିବରଣୀ ପ୍ରଦର୍ଶିତ କରିବାକୁ ମଧ୍ୟ କୁହାଯାଇଛି। ଯାତ୍ରୀଙ୍କ ସୁବିଧା ପାଇଁ ଆଗକୁ ମଧ୍ୟ ଏଭଳି ଯାଞ୍ଚ ଜାରି ରହିବ । କୌଣସି ବସ୍ ଦ୍ୱାରା ବି ନିୟମ ଉଲ୍ଲଙ୍ଘନ ପରିଲକ୍ଷିତ ହେଲେ ମୋଟର ଯାନ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ନିଷ୍ପତ୍ତି ହୋଇଛି ।

Comments are closed, but trackbacks and pingbacks are open.