ଭୁବନେଶ୍ୱର: ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ଆସନ୍ତା ଜୁନ୍ ୧୦ରୁ ହେବାକୁ ଥିବା ଘରୋଇ ବସ୍ ଧର୍ମଘଟକୁ ସାମୟିକ ଭାବେ ସ୍ଥଗିତ ରଖିଛି । ପରିବହନ କମିଶନର ଅମିତାଭ ଠାକୁରଙ୍କ ସହ ଆଲୋଚନା ପରେ ସଂଘ ଏହି ନିଷ୍ପତ୍ତି ନେଇଥିବା ବେଳେ ସରକାରଙ୍କୁ ଜୁନ୍ ୨୯ ପର୍ଯ୍ୟନ୍ତ ସମୟ ଦିଆଯାଇଛି। ବସ୍ ଭଡ଼ା ବୃଦ୍ଧିକୁ ନେଇ ଦୀର୍ଘଦିନ ଧରି ଦାବି କରୁଥିବା ସଂଘ କହିଛି, ଗତ ୬ ବର୍ଷ ମଧ୍ୟରେ ଡିଜେଲ ଦର ସହ ଲୁବ୍ରିକାଣ୍ଟ, ଟାୟାର, ବୀମା, ବ୍ୟାଟେରୀ, ସୁଧ ହାର ଓ କର୍ମଚାରୀଙ୍କ ଦରମା ଭଳି ଖର୍ଚ୍ଚ ବହୁଗୁଣ ବଢ଼ିଥିଲେ ମଧ୍ୟ ବସ୍ ଭଡ଼ାରେ କୌଣସି ସଂଶୋଧନ ହୋଇନାହିଁ। ଏହାକୁ ଆଧାର କରି ୧୪ଟି ପାରାମିଟର ଉପରେ ଭଡ଼ା ବୃଦ୍ଧି ପାଇଁ ପ୍ରସ୍ତାବ ରଖିଛି ସଂଘ। ରାଜ୍ୟ ଘରୋଇ ବସ୍ ମାଲିକ ସଂଘର ସାଧାରଣ ସମ୍ପାଦକ ଦେବେନ୍ଦ୍ର କୁମାର ସାହୁ କହିଛନ୍ତି, ଏସଟିଏ ପକ୍ଷରୁ ପ୍ରସ୍ତାବ ଆସିବା ପରେ ସରକାର ଚୂଡ଼ାନ୍ତ ନିଷ୍ପତ୍ତି ନେବେ। ତେବେ ଯଦି ଜୁନ୍ ୨୯ ସୁଦ୍ଧା ଦାବି ପୂରଣ ନହୁଏ, ତେବେ ଜୁନ୍ ୩୦ ପରେ ପୁଣିଥରେ ବସ୍ ଧର୍ମଘଟର ରାସ୍ତାକୁ ଓହ୍ଲାଇପାରେ ସଂଘ।
Comments are closed, but trackbacks and pingbacks are open.