ଚଣ୍ଡିଗଡ଼ : ପଞ୍ଜାବରେ ଆଜି ଏକ ସଡ଼କ ଦୁର୍ଘଟଣା ଘଟି ୮ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ରିପୋର୍ଟ ଅନୁସାରେ କିଛି ଯାତ୍ରୀଙ୍କୁ ନେଇ ଏକ ଘରୋଇ ବସ୍ ଭଟିଣ୍ଡାରୁ ତଲୱାଣ୍ଡି ସାବୋକୁ ଯାଉଥିବା ବେଳେ ଡାଇଭରଜଣକ ଭାରସାମ୍ୟ ହରାଇବାରୁ ରାସ୍ତା ପାଶ୍ୱର୍ରେ ଥିବା ଏକ କେନାଲ ମଧ୍ୟକୁ ଖସିପଡିଥିଲା। ଏହି ଦୁର୍ଘଟଣାରେ ୮ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ୨୬ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି। ତେବେ ଗୁରୁତର ଆହତଙ୍କ ସଂଖ୍ୟା ଅଧିକ ଥିବାରୁ ମୃତ୍ୟୁ ବଢିପାରେ ବୋଲି କୁହାଯାଉଛି। ଆହତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଦୁର୍ଘଟଣା ପଞ୍ଜାବ ଭଟିଣ୍ଡାର ଜୀବନସିଂହୱାଲା ଗ୍ରାମରେ ଘଟିଛି। ତେବେ ସ୍ଥାନୀୟ ଲୋକ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ଏବଂ ପୁଲିସ୍କୁ ଘଟଣା ସମ୍ପର୍କରେ ସୂଚୀତ କରିଥିଲେ। ପୁଲିସ ଏବଂ ଜିଲ୍ଲା ପ୍ରଶାସନ ମଧ୍ୟ ଉଦ୍ଧାର କାର୍ଯ୍ୟ ଆରମ୍ଭ କରି ଆହତମାନଙ୍କୁ ଡାକ୍ତରଖାନାକୁ ନେଇଥିଲେ। ବସ୍ ଦୁର୍ଘଟଣାରେ ଡ୍ରାଇଭର ବାଲକର ସିଂହଙ୍କର ମଧ୍ୟ ମୃତ୍ୟୁ ହୋଇଥିବା ଜଣାପଡିଛି। ବସ ଦୁର୍ଘଟଣାର କାରଣ ଜଣାପଡ଼ିନଥିବାବେଳେ ଭାରସାମ୍ୟ ହରାଇବାରୁ ବ୍ରିଜ ତଳକୁ ବସ ଖସିପଡିଥିବାର କୁହାଯାଉଛି।
Comments are closed, but trackbacks and pingbacks are open.