ଝିଅ ଜନ୍ମ ଦେବାରୁ ବୋହୂକୁ ଜୀଅନ୍ତା ଜାଳିଦେବାକୁ ଶ୍ୱଶୁରଙ୍କ ଉଦ୍ୟମ

1,108

କେନ୍ଦ୍ରାପଡା: ଝିଅ ଜନ୍ମ ହେଲା ବୋଲି ବୋହୂକୁ ପୋଡ଼ି ମାରିଦେବାକୁ ଉଦ୍ୟମ। ଅଳ୍ପକେ ବର୍ତିଛନ୍ତି ବୋହୂ ଓ ନବଜାତ ଶିଶୁକନ୍ୟା। ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଦାମରପୁର ଗ୍ରାମରେ ଶ୍ୱଶୁର ବୋହୂ ଓ ନବଜାତ କନ୍ୟା ସନ୍ତାନ ଶୋଇଥିବା ଅବସ୍ଥାରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, ଗୁରୁବାର ବିଳମ୍ବିତ ରାତିରେ ସସ୍ମିତା ଦାସ ନିଜ ନବଜାତ ଶିଶୁ କନ୍ୟା ସହ ଶୋଇଥିବା ବେଳେ ତାଙ୍କ ଶ୍ୱଶୁର ପେଟ୍ରୋଲ ଆଣି ସେମାନଙ୍କ ଶେଯରେ ଢାଳି ନିଆଁ ଲଗାଇ ଦେଇଥିଲେ। ନିଆଁ ଖୁବ୍ ଶୀଘ୍ର ବ୍ୟାପି ଯାଇଥିଲେ ମଧ୍ୟ ସସ୍ମିତା ନିଜ ଜୀବନ ଓ ଶିଶୁର ଜୀବନ ରକ୍ଷା ପାଇଁ ଘରୁ ବାହାରକୁ ଦୌଡ଼ି ପଳାଇଥିଲେ। ନିଜକୁ ବଞ୍ଚାଇବା ପାଇଁ ସେ ସାରା ରାତି ବାହାରେ ଅତିବାହିତ କରିଥିବା ବେଳେ ଘରର ସମସ୍ତ ଆସବାବପତ୍ର ପୋଡ଼ି ପାଉଁଶ ହୋଇଯାଇଛି।
ଖବରଥାଉ କି, ୮ ବର୍ଷ ପୂର୍ବେ ଦାମରପୁର ଗ୍ରାମର ସୁଶାନ୍ତ ରାୟଙ୍କୁ ସସ୍ମିତା ବିବାହ କରିଥିଲେ। ସୁଶାନ୍ତଙ୍କ ପ୍ରଥମ ବିବାହରୁ ଦୁଇଟି କନ୍ୟା ସନ୍ତାନ ଅଛନ୍ତି। ସସ୍ମିତାଙ୍କର ମଧ୍ୟ ଏବେ ଏକ ଝିଅ ହେବାରୁ ତାଙ୍କ ଶ୍ୱଶୁର ଘର ଲୋକେ ଖୁସି ନଥିଲେ। ପୁଅ ଜନ୍ମ ନହେବାରୁ ସ୍ୱାମୀ, ଶ୍ୱଶୁର ଏବଂ ଶାଶୂ ତାଙ୍କୁ ଦୀର୍ଘ ଦିନ ଧରି ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଆସୁଥିଲେ ବୋଲି ସସ୍ମିତା ପୋଲିସ ନିକଟରେ ବୟାନ ଦେଇଛନ୍ତି। ଏହି ଘଟଣା ପରେ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି। ପୋଲିସ ସମ୍ପୃକ୍ତ ସ୍ଥାନରେ ପହଞ୍ଚି ପ୍ରମାଣ ସଂଗ୍ରହ କରିବା ସହ ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛି।

Comments are closed, but trackbacks and pingbacks are open.