ଭୁବନେଶ୍ବର: ଓଡ଼ିଶା ପର୍ଯ୍ୟଟନର ବିକାଶ ତଥା ପୁରୀ ବେଳାଭୂମିରେ ପର୍ଯ୍ୟଟକଙ୍କୁ ଦୁଃସାହସିକ କ୍ରୀଡ଼ା ପ୍ରତି ଆକୃଷ୍ଠ କରିବା ପାଇଁ ୨୦୨୩ରେ ଗଠନ କରାଯାଇଥିବା ପୁରୀ ଜିଲ୍ଲା ୱାଟର୍ ସ୍ପୋଷ୍ଟ ଆଡେଭେନ୍ଚର୍ କମିଟି ନିଷ୍ପତ୍ତି ଅନୁସାରେ ଏହି କ୍ରୀଡ଼ା ପାଇଁ ୪ଟି ଅନୁଷ୍ଠାନକୁ ଅନୁମତି ଦିଆଯାଇଥିଲା। ସ୍କାଇ ଡ୍ରାଇଭ୍ ଆଡ୍ଭେନ୍ଚର୍ ସ୍ପିଡ୍ ବୋର୍ଟ ଦୁର୍ଘଟଣା ଘଟିବା ପରେ ପୁରୀ ସମୁଦ୍ରରେ ସୁରକ୍ଷିତ ଦୁଃଶାହସିକ କ୍ରୀଡ଼ାକୁ ନେଇ ଉଠିଛି ପ୍ରଶ୍ନ। ସେପଟେ ଉପଜିଲ୍ଲାପାଳଙ୍କୁ ଦିଆଯାଇଛି ଏହାର ତଦନ୍ତ ଭାର। ତେବେ ରିପୋର୍ଟ ଆଧାରରେ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ। ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ କହିଛନ୍ତି ଯେ ପ୍ରତିକୂଳ ପରିସ୍ଥିତି, ଲଘୁଚାପ ଆଶଙ୍କା ଥିବାବେଳେ ପବନର ଗତି ବଢୁଥିବା ସମୟରେ କେମିତି ସ୍କାଇ୍ ଡ୍ରାଇଭ୍ ଆଡ୍ଭେନ୍ଚର୍ ସଂସ୍ଥା ବୋଟ୍ ଚଳାଉଥିଲା। ଏନେଇ ସମ୍ପୃକ୍ତ ସଂସ୍ଥାକୁ ଅନୁମତି ଦିଆଯାଇଥିଲା କି ନାହିଁ, ଯେଉଁ ସ୍ଥାନରେ ସଂସ୍ଥା ବୋର୍ଟ ଚଳାଉଥିବା ସେ ସ୍ଥାନରେ ସଂସ୍ଥାକୁ ଅନୁମତି ଥିଲା କି ନାହିଁ ଏସବୁର ତଦନ୍ତ କରାଯିବ। ଏନେଇ ଉପଜିଲ୍ଲାପାଳ ତଦନ୍ତ ଆରମ୍ଭ କରିଥିବା ବେଳେ ଲଇଟ୍ ହାଉସ ନିକଟରେ ଥିବା କମ୍ପାନୀର ଅଫିସକୁ ବୁଲ୍ଡୋଜର୍ ସାହାଯ୍ୟରେ ପୁରୀ ପୌରସଂସ୍ଥା ପକ୍ଷରୁ ହଟାଇ ଦିଆଯାଇଛି। ସେଠାରେ ଆଉ କୌଣସି କଣ୍ଟେନର୍ ରଖାଇ ଦିଆଯିବ ନାହିଁ। ସେଠାରେ ସ୍ପିଡ୍ ବୋଟ୍ କମ୍ପାନୀ କାର୍ଯ୍ୟାଳୟ କରି ବୁକିଂ ଆଦି କରୁଥିଲା ଯାହାକୁ ହଟାଇ ଦିଆଯାଇଛି। ୨୦୨୩ ମସିହାରେ ପୁରୀ ଜିଲ୍ଲା ୱାଟର୍ ସ୍ପୋଷ୍ଟ ଆଡ୍ଭେନ୍ଚର୍ କମିଟି ପରମିଶନରେ ସ୍କାଇ ଡ୍ରାଇଭ୍ ଆଡ୍ଭେନ୍ଚର୍ ସଂସ୍ଥାକୁ ଚାରିଅଟ୍ ହୋଟେଲଠାରୁ ମଙ୍ଗଳାନଦୀ ମୁହାଣ ପର୍ଯ୍ୟନ୍ତ ଅନୁମତି ଦିଆଯାଇଥିଲା। ତେବେ ସେ ସଂସ୍ଥା କେମିତି ତା’ର ପରମିଶନ ଅଞ୍ଚଳରୁ ବାହାରକୁ ଆସି ବୁକିଂ କରୁଥିଲା ଯାହାକି ତଦନ୍ତ ପରିସରଭୁକ୍ତ। ଅନ୍ୟପକ୍ଷରେ ଏଭଳି ଦୁର୍ଘଟଣା ପରେ ସୁରକ୍ଷିତ ଦୁଃସାହସିକ କ୍ରୀଡ଼ା ପ୍ରତି ପ୍ରଶ୍ନ ଉଠୁଛି ବୋଲି କହିଥିଲେ ଓଡିଶା ଟୁର୍ ଅପରେଟର୍ ଆସୋସିଏସନ୍ର ସମ୍ପାଦକ ଯୁଗବ୍ରତ କର ଓ ପର୍ଯ୍ୟଟକ। ଗତ ଶନିବାର ପୁରୀ ସମୁଦ୍ରରେ ଘଟିଥିଲା ଏକ ଭୟଙ୍କର ଦୁର୍ଘଟଣା। ଯେଉଁଥିରେ ଅଳ୍ପକେ ବର୍ତ୍ତିଯାଇଥିଲେ ଛୁଟିକାଟିବାକୁ ପୁରୀ ଆସିଥିବା ଭାରତୀୟ କ୍ରିକେଟ୍ର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ବଡ଼ଭାଇ ସେହ୍ନାଶିଷ ଗାଙ୍ଗୁଲି ଓ ଭାଉଜ ଅର୍ପିତା ଗାଙ୍ଗୁଲି। ଉଭୟ ଆଉ ଦୁଇ ବଙ୍ଗୀୟ ପର୍ଯ୍ୟଟକଙ୍କ ସହିତ ଏକ ସ୍ପିଡ୍ ବୋଟ୍୍ରେ ସମୁଦ୍ରରେ ଜଳକ୍ରୀଡ଼ା କରୁଥିବା ବେଳେ ତାହା ଓଲଟି ପଡ଼ିଥିଲା। ତେବେ ବେଳାଭୂମିରେ ଉପସ୍ଥିତ ଲାଇଫ୍ ଗାର୍ଡଙ୍କ ଯୋଗୁ ସେମାନେ ସମସ୍ତେ ବଞ୍ଚି ଯାଇଥିଲେ। ସେଦିନ ସନ୍ଧ୍ୟାରେ ଲାଇଟ୍ ହାଉସ୍ ନିକଟ ହୋଟେଲ୍ ସୋନାର ବାଙ୍ଗଲା ସମ୍ମୁଖ ବେଳାଭୂମିରେ ଏହି ଦୁର୍ଘଟଣା ଘଟିଥିଲା। ଏନେଇ ସୌରଭ ଗାଙ୍ଗୁଲିଙ୍କ ଭାଉଜ ଅର୍ପିତା କହିଥିଲେ ଯେ ଯେତେବେଳେ ଆମେ ଜଳକ୍ରୀଡ଼ା ପାଇଁ ବୋଟ୍ରେ ବସିଲୁ ସେତେବେଳେ ସମୁଦ୍ର ଅଶାନ୍ତ ଦେଖାଯାଉଥିଲା। ଉଚ୍ଚ ଉଚ୍ଚ ଜୁଆର ଆସୁଥିଲା। ପୁଣି ବୋଟ୍ର କ୍ଷମତା ୧୦ଥିବା ବେଳେ ଟଙ୍କା ଲୋଭରେ ବୋଟ୍ କର୍ମଚାରୀ ମାତ୍ର ୪ଜଣଙ୍କୁ ନେଇ ଯାଇଥିଲେ। ଜଳକ୍ରୀଡ଼ା ପାଇଁ ସମୁଦ୍ରକୁ ଯିବାରେ ତାହା ଗତକାଲି ଶେଷ ବୋଟ୍ ଥିଲା। ଅଶାନ୍ତ ସମୁଦ୍ରକୁ ଦେଖି ଆମେ କିଛି ଅସୁବିଧା ହେବ ନାହିଁ ତ ବୋଲି ମଧ୍ୟ ସ୍ପିଡ୍ ବୋଟ୍ର କର୍ମଚାରୀଙ୍କୁ ପଚାରିଥିଲୁ। କିନ୍ତୁ ସେମାନେ ଆଶ୍ୱାସନା ଦେଇଥିଲେ ଯେ କିଛି ହେବ ନାହିଁ। କିନ୍ତୁ ଆମେ ଯାତ୍ରା କରିବାର ମାତ୍ର କିଛି ସମୟ ମଧ୍ୟରେ ଏକ ଉଚ୍ଚ ଜୁଆର ଆସିଥିଲା। ମୁଁ ଏତେ ଉଚ୍ଚ ଜୁଆର କେବେ ଦେଖି ନଥିଲି। ଉକ୍ତ ଜୁଆରରେ ବୋଟ୍ଟି ପୂରା ଓଲଟି ପଡ଼ିଥିଲା। ଅନ୍ୟମାନେ ବାହାରି ଯାଇଥିଲେ। କିନ୍ତୁ ମୁଁ ବୋଟ୍ ତଳେ ରହି ଯାଇଥିଲି। ଲାଇଫ ଗାର୍ଡଙ୍କ ଯୋଗୁ ମୋ ଜୀବନ ବଞ୍ଚିଗଲା। ଜଣେ ଲାଇଫ୍ ଗାର୍ଡ ବୋଟ୍ ତଳେ ମୋ ଗୋଡ଼କୁ ଦେଖିପାରିଥିଲେ ଓ ସଙ୍ଗେ ସଙ୍ଗେ ମୋତେ ଟାଣି ନେଇଥିଲେ। ତେଣୁ ଏଠାରେ ପର୍ଯ୍ୟଟକଙ୍କୁ ସ୍ପିଡ୍ ବୋଟରେ ଜଳକ୍ରୀଡ଼ାର ମଜା ଦେଉଥିବା ସ୍କାଏ ରାଇଡର୍ ନାମକ ସଂସ୍ଥା ଆବଶ୍ୟକ ସମସ୍ତ ଗାଇଡ୍ ଲାଇନକୁ ମାନୁନଥିବା ନେଇ ସେ ଅଭିଯୋଗ କରିଛନ୍ତି। ସବୁଠାରୁ ସାଂଘାତିକ ଅଭିଯୋଗ ହେଉଛି ଯେ ପୁରୀ ଜିଲ୍ଲା ପ୍ରଶାସନର ବିନା ଅନୁମତିରେ ଏହି ସଂସ୍ଥା ପର୍ଯ୍ୟଟକମାନଙ୍କୁ ଅତି ବିପଜ୍ଜନକ ଭାବେ ସମୁଦ୍ର ଭିତରକୁ ନେଇ ଜଳକ୍ରୀଡ଼ା କରାଉଛି। ପର୍ଯ୍ୟଟକଙ୍କ ଜୀବନ ସହିତ ଖେଳୁଥିବା ଏହି ସଂସ୍ଥାର ବ୍ୟବସାୟ ଉପରେ ଜିଲ୍ଲା ପ୍ରଶାସନ ରୋକ ଳଗାଇବା ଦରକାର ବୋଲି ଦାବି କରିଥିଲେ ସୌରଭ ଗାଙ୍ଗୁଲିଙ୍କ ଭାଉଜ ଅର୍ପିତା ଗାଙ୍ଗୁଲି। ଯାହାକୁ ନେଇ ଏବେ ପୁରୀ ପୌର ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
Comments are closed, but trackbacks and pingbacks are open.