ଇତିହାସରୁ ଶିକ୍ଷା ନେଇ ‘ବିକଶିତ ଓଡ଼ିଶା’ ଓ ବିକଶିତ ଭାରତ ଗଢିବା- ଧର୍ମେନ୍ଦ୍ର ପ୍ରଧାନ
ସମ୍ବଲପୁରରେ ଉତ୍କଳ ପ୍ରାଦେଶିକ ମାରୱାଡ଼ି ସମ୍ମେଳନର ପ୍ରାନ୍ତୀୟ ଅଧିବେଶନ “ଶିଖର-୨୦୨୬”
ସମ୍ବଲପୁର, ମାର୍ଚ୍ଚ ୧୫ – ଅତୀତର ଗୌରବମୟ ଇତିହାସ ହିଁ ଭବିଷ୍ୟତର ସମୃଦ୍ଧି ପାଇଁ ଶ୍ରେଷ୍ଠ ମାର୍ଗଦର୍ଶକ । ଇତିହାସର ଦର୍ପଣରେ ଆମର ସଭ୍ୟତା ଓ ସଂସ୍କୃତିକୁ ବୁଝି ‘ବିକଶିତ ଓଡ଼ିଶା’ ଏବଂ ‘ବିକଶିତ ଭାରତ’ ଗଠନ ପାଇଁ ଏକ ନୂତନ ପଥ ପ୍ରସ୍ତୁତ କରିବା ଆଜିର ସମୟର ଆହ୍ୱାନ । ରବିବାର ସମ୍ବଲପୁରରେ ଉତ୍କଳ ପ୍ରାଦେଶିକ ମାରୱାଡ଼ି ସମ୍ମେଳନ ଦ୍ୱାରା ଆୟୋଜିତ ପ୍ରାନ୍ତୀୟ ଅଧିବେଶନ “ଶିଖର-୨୦୨୬” ରେ ଯୋଗଦେଇ ଏହିପରି ଏକ ପ୍ରେରଣାଦାୟୀ ବାର୍ତ୍ତା ଦେଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଭାରତର ପ୍ରାଚୀନ ସଭ୍ୟତା ଠାରୁ ଆରମ୍ଭ କରି ୨୦୪୭ର ବିକଶିତ ଭାରତର ସଂକଳ୍ପ ପର୍ଯ୍ୟନ୍ତ, ମାରୱାଡ଼ି ସମାଜର ଭୂମିକା ଓ ଓଡ଼ିଶାର ଅର୍ଥନୈତିକ ପ୍ରଗତିକୁ ନେଇ ସେ ଏକ ଦୂରଦୃଷ୍ଟିସମ୍ପନ୍ନ ରୋଡମ୍ୟାପ୍ ଉପସ୍ଥାପନ କରିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ, ଉତ୍କଳ ପ୍ରାଦେଶିକ ମାରୱାଡ଼ି ସମ୍ମେଳନର ଏହି ଅଧିବେଶନ କେବଳ ଏକ ସଭା ନୁହେଁ, ବରଂ ଏହା ଏକ ଏକତା, ସଂକଳ୍ପ ଏବଂ ଭବିଷ୍ୟତ ପାଇଁ ଏକ ନୂତନ ଦିଗଦର୍ଶନର ମଞ୍ଚ । ଭାରତ ଆଜି ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୀତି ହୋଇଥିବା ବେଳେ ଏହି ସଫଳତାରେ ସବୁ ନାଗରିକଙ୍କ ସହ ମାରୱାଡ଼ି ସମାଜର ବିଶେଷ ଅବଦାନ ଓ ଦାୟିତ୍ୱ ରହିଛି । ସେହିପରି ଭାରତୀୟ ସଂସ୍କୃତି, ପରମ୍ପରା ଓ ସଭ୍ୟତାକୁ ଆଗେଇ ନେବାରେ ମାରଓ୍ୱାଡି ସମାଜର ଯଥେଷ୍ଟ ଅବଦାନ ରହିଛି । ଅତୀତରେ ସୋମନାଥ ମନ୍ଦିର ଉପରେ ଆକ୍ରମଣ ଓ ଗୁଲାମୀ କାରଣରୁ ଆମେ ଆମର ଅନେକ ଗୌରବମୟ ଇତିହାସ ଭୁଲିଯାଇଥିଲେ । ମାତ୍ର ବର୍ତ୍ତମାନ ଇତିହାସର ଦର୍ପଣରେ ଭବିଷ୍ୟତ ପାଇଁ ମାର୍ଗ ପ୍ରସ୍ତୁତ କରିବାର ସମୟ ଆସିଛି ।
ବର୍ତ୍ତମାନ ଆମେ ଏପରି ଏକ ସମୟରେ ଉପନୀତ ହୋଇଛେ, ଯେଉଁଠି ଆମର ଲକ୍ଷ୍ୟ ହୋଇଛି ୨୦୩୬ ସୁଦ୍ଧା ଓଡ଼ିଶାକୁ ସମୃଦ୍ଧ କରିବା ସହ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ କରିବା ପାଇଁ ଦାୟିତ୍ୱ ନେବାକୁ ହେବ । ବିକଶିତ ଭାରତର ସ୍ୱପ୍ନ ବିକଶିତ ଓଡ଼ିଶା ବିନା ପୂରଣ ହୋଇପାରିବ ନାହିଁ । ବିକଶିତ ଭାରତ ଗଠନ କରିବାକୁ ହେଲେ ପ୍ରଥମେ ଓଡ଼ିଶାର ୫୦ ହଜାରରୁ ଅଧିକ ଥିବା ଗାଁକୁ ବିକଶିତ କରିବାକୁ ହେବ । ଯଦି ସମାଜର ଇଞ୍ଜିନ ଅର୍ଥାତ୍ ନେତୃତ୍ୱ ଓ ଅର୍ଥନୀତି ଶକ୍ତିଶାଳୀ ହୁଏ, ତେବେ ବିକାଶର ଗତି ଦ୍ରୁତ ହେବ । ତେଣୁ ଏ ଦିଗରେ ମାରଓ୍ୱାଡି ସମାଜ ମଧ୍ୟ ରେଳଡବାର ଇଞ୍ଜିନ ବୃହତ୍ତର ଦାୟିତ୍ୱ ନେବା ଆବଶ୍ୟକ ।
ଶ୍ରୀ ପ୍ରଧାନ କହିଛନ୍ତି ଯେ, ସମ୍ବଲପୁରରେ ଅନେକ ସମ୍ଭାବନା ରହିଛି, ତେଣୁ ଏହାକୁ ଏକ ‘ଏଜୁକେସନ ହବ୍’ ଓ ‘ଇକୋନୋମିକ ଜୋନ୍’ ଭାବେ ଗଢ଼ିତୋଳିବା ପାଇଁ ସମସ୍ତଙ୍କର ସାମୂହିକ ଆବଶ୍ୟକତା ରହିଛି । ସେହିପରି ସେ କହିଥିଲେ, ଭାରତର ପ୍ରକୃତ ପୁଞ୍ଜି ହେଉଛି ‘ଜ୍ଞାନ’ । ପାଠପଢାକୁ ଗୁରୁତ୍ୱ ଦେଲେ ହିଁ ସମାଜରେ ବୈପ୍ଳବିକ ପରିବର୍ତ୍ତନ ଆସିପାରିବ ।
ଏହି ଅବସରରେ ଶ୍ରୀ ପ୍ରଧାନ ମାରଓ୍ୱାଡି ସମାଜକୁ ପରିବେଶ ସୁରକ୍ଷା ପାଇଁ ଗଛ ଲଗାଇବା ସହ ମାତୃଭାଷାକୁ ପ୍ରୋତ୍ସାହନ ଦେବା ଏବଂ ବିଶେଷ ପର୍ବ ପର୍ବାଣୀ ବା ଦିନମାନଙ୍କର ଅଙ୍ଗନବାଡ଼ି ଭଳି ଛୋଟ ଛୋଟ ପିଲାମାନଙ୍କୁ ଫଳ ଓ ପୋଷଣଯୁକ୍ତ ଖାଦ୍ୟ ବିତରଣ କରିବା ଏବଂ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଖାଦ୍ୟରେ ତେଲର ବ୍ୟବହାର ହ୍ରାସ କରି ସୁସ୍ଥ ରହିବା ପାଇଁ ପରାମର୍ଶ ଦେଇଛନ୍ତି ।
Comments are closed, but trackbacks and pingbacks are open.